ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଆଗାମୀ ଦିନରେ ଦର୍ଶକମାନେ ରୂପେଲି ପରଦାରେ କିଛି ନୂଆ ଚରିତ୍ରରେ ଭେଟିବାକୁ ଯାଉଛନ୍ତି ସେମାନଙ୍କ ମନପସନ୍ଦର ଆକ୍ଟରମାନଙ୍କୁ ଆସନ୍ତୁ ନଜର ପକାଇବା ସେହିସବୁ ପପୁଲାର ଆକ୍ଟରମାନଙ୍କ ଆଗାମୀ ଓଡ଼ିଆ ସିନେମାଗୁଡ଼ିକ ଉପରେ

ଲୋକାଲ୍ ଟୋକା ଲଭ୍ ଚୋଖା

ଓଲିଉଡ୍ ସୁପରଷ୍ଟାର ବାବୁସାନଙ୍କ ଲାଟେଷ୍ଟ ମୁଭି ହେଲା ‘ଲୋକାଲ ଟୋକା ଲଭ୍ ଚୋଖା’। ଇତିମଧ୍ୟରେ ଏହି ସିନେମାର ସୁଟିଂ ଶେଷ ହୋଇ ପୋଷ୍ଟ ପ୍ରଡକ୍ସନ ଚାଲିଛି। ଏହାର ରିଲିଜ୍ ଟାର୍ଗେଟ ରହିଛି ଗଣେଶ ପୂଜା।

ଏହି ସିନେମାରେ ବାବୁସାନ୍‌ଙ୍କ ନାୟିକା ବନିଛନ୍ତି ସନ୍‌ମୀରା। ଏହାଛଡା ମିହିର ଦାସଙ୍କୁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ ଏଥିରେ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ସୁଧାଂଶୁ ମୋହନ ସାହୁ। ଏହାର ସଂଳାପ ଲେଖିଛନ୍ତି ଡକ୍ଟର ରଜନୀ ରଞ୍ଜନ ଓ ସଙ୍ଗୀତ ଦାୟିତ୍ୱରେ ଅଛନ୍ତି ବୈଦ୍ୟନାଥ ଦାସ।

ବ୍ଲାକ୍ମେଲ୍

ମା’ ସିଂହାସିନୀ ଫିଲ୍ମସର ଦ୍ୱିତୀୟ ଓଡ଼ିଆ ସିନେମା ‘ବ୍ଲାକମେଲ୍‌’ର ସମସ୍ତ କାମ ସରିଛି, କେବଳ ରିଲିଜ୍ ପାଇଁ ଅପେକ୍ଷା। ଏହି ସିନେମାରେ ଅର୍ଦ୍ଧେନ୍ଦୁ, ତମନ୍ନା, ଆହାନା ଓ ସିଦ୍ଧାନ୍ତ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି।

‘ବ୍ଲାକମେଲ୍’ ଏକ ସସପେନସ ଥ୍ରିଲର। ଏହାର କାହାଣୀରେ ଟୁଇଷ୍ଟ ବି ଅଛି। ଏହାର ନିର୍ଦ୍ଦେଶକ ହେଲେ କୋରିଓଗ୍ରାଫର୍-କମ୍‍-ଡିରେକ୍ଟର ଅମିତ୍ ନାୟକ। ପ୍ରେମ୍ ଆନନ୍ଦ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଏହି ଚଳଚ୍ଚିତ୍ର ଖୁବ୍ ଶୀଘ୍ର ପରଦାକୁ ଆସିବ।

ପାଗଳ ମୁଁ ତୋ ପାଇଁ

ନବାଗତ ପ୍ରଯୋଜକ ସୁଧାଂଶୁ ଜେନାଙ୍କ ଓଡ଼ିଆ ସିନେମା ‘ପାଗଳ ମୁଁ ତୋ ପାଇଁ’ର ସୁଟିଂ ସରିଛି ଓ ପୋଷ୍ଟ ପ୍ରଡକ୍ସନ କାମ ବି ଇତିମଧ୍ୟରେ ଶେଷ ହୋଇଛି। ଏହି ସିନେମାର ନିର୍ଦ୍ଦେଶକ ହେଲେ ଏନ୍ ପାଢ଼ୀ। ଏହା ଏକ ଏକ ସସ୍‌ପେନସନଧର୍ମୀ ରୋମାଣ୍ଟିକ୍ ଫିଲ୍ମ।

ଏହି ସିନେମାରେ ନବାଗତ ଅଙ୍କିତ୍ କୁମାର ଓ ନବାଗତା ଲଭଲି ଲିଲି ନଜର ଆସିବେ ମେନ୍ ଲିଡ୍‌ରେ। ଏହାଛଡା ବିଜୁ ବଡଜେନା, ମନୋଜ ମିଶ୍ର, ଅନୀତା ଦାସ  ପ୍ରମୁଖ ଅଛନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ। ଏହାର ସଙ୍ଗୀତ ନିର୍ଦ୍ଦେଶକ ହେଲେ ଦୀପକ କୁମାର।

ନାୟକର ନାଁ ଦେବଦାସ

ଓଲିଉଡର ଜଣାଶୁଣା ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ ତାଙ୍କର ଲାଟେଷ୍ଟ ଓଡ଼ିଆ ସିନେମା ‘ନାୟକର ନାଁ ଦେବଦାସ’ର ସୁଟିଂ ଶେଷ କରି ସମ୍ପ୍ରତି ପୋଷ୍ଟ-ପ୍ରଡକ୍ସନ କାମରେ ମନ ଦେଇଛନ୍ତି। ଏହି ଫିଲ୍ମ ଦଶହରା ଆଗରୁ ରିଲିଜ୍ ହେବ।

ଏହି ସିନେମାରେ ଦେବଦାସ ଭୂମିକାରେ ଅସିତ୍, ପାରୋ ଭୂମିକାରେ ଭୂମିକା ଓ ଚନ୍ଦ୍ରମୁଖୀ ଚରିତ୍ରରେ ଅନୁ ଚୌଧୁରୀ ଅଛନ୍ତି। ବବି ମିଶ୍ର ଏଥିରେ ଚୁନ୍ନିଲାଲ୍ ଚରିତ୍ରରେ ନଜର ଆସିବେ। ଏହାଛଡ଼ା ବିଜୟ ମହାନ୍ତି, ପିଣ୍ଟୁ ନନ୍ଦ ଓ ଅପରାଜିତା ପ୍ରମୁଖଙ୍କୁ ବି ଦେଖିବାକୁ ମିଳିବ। ବୈଦ୍ୟନାଥ ଦାସ ଏହି ସିନେମାର ସଙ୍ଗୀତ ନିର୍ଦ୍ଦେଶକ।

ଯୋଉଠି ଥିଲେ ବି ତୁ ମୋର

ସମ୍ବିତଙ୍କ ଅଭିନୀତ ନୂଆ ସିନେମା ‘ଯୋଉଠି ଥିଲେ ବି ତୁ ମୋର’ ଏବେ ରିଲିଜ୍ ଅପେକ୍ଷାରେ ରହିଛି। ଏହି ସିନେମାର ସମସ୍ତ ସୁଟିଂ ଶେଷ ହୋଇଯାଇଛି ଓ ପୋଷ୍ଟ-ପ୍ରଡକ୍ସନ କାମ ଜାରି ରହିଛି। ଏହି ରୋମାଣ୍ଟିକ ଫିଲ୍ମ ଦଶହରା ପୂର୍ବରୁ ରିଲିଜ୍ ହେବ।

ଏହି ସିନେମାରେ ସମ୍ବିତ୍, ରୀୟା, ଆର୍ଯ୍ୟନ୍ ଦାଶ କୁମାର, ପୁପିନ୍ଦର, ବବି ମିଶ୍ର ଓ ମେଘନା ମିଶ୍ର ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହାର ନିର୍ଦ୍ଦେଶକ ହେଲେ ଶ୍ରୀକାନ୍ତ ଗୌତମ୍ ଓ ସଙ୍ଗୀତକାର ପ୍ରେମ୍ ଆନନ୍ଦ।

Comment