ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ ଏବେ ନିର୍ଦ୍ଦେଶକମାନେ ଦର୍ଶକଙ୍କୁ ଡରାଇବା ପାଇଁ ତିଆରି କରୁଛନ୍ତି ହିନ୍ଦୀ ସିନେମା ଲାଗୁଛି ସତେ ଯେମିତି ହରର୍ ସିନେମାର ଜମାନା ଫେରୁଛି

ବଲିଉଡରେ ପ୍ରତିବର୍ଷ ଭିନ୍ନ ଭିନ୍ନ ସ୍ୱାଦର ସିନେମା ନିର୍ମିତ ହୋଇଥାଏ ଓ ତାହା ମୁକ୍ତିଲାଭ ମଧ୍ୟ କରିଥାଏ। ଏଥିମଧ୍ୟରୁ ଅଧିକାଂଶ ସିନେମା ହେଉଛି ରୋମାଣ୍ଟିକ୍,କମେଡି ଓ ଆକସନଧର୍ମୀ। ହେଲେ ଏବେ ହରର୍ ସିନେମା ତିଆରି ବି ବଲିଉଡରେ ଟ୍ରେଣ୍ଡରେ ଆସିଗଲାଣି।

ଚଳିତବର୍ଷ ଅନୁଷ୍କା ଶର୍ମାଙ୍କ ‘ପରୀ’ ରିଲିଜ୍ ହୋଇଥିଲା। ଏହା ମଧ୍ୟ ଥିଲା ଏକ ହରର୍‌ ସିନେମା। ଏହାର କାହାଣୀ ଜଣେ ସଇତାନ୍‌ ଉପରେ ଆଧାରିତ। ଅଭିନେତ୍ରୀ ଅନୁଷ୍କା ଶର୍ମା ଏଥିରେ ଦର୍ଶକଙ୍କୁ ଖୁବ୍ ଡରାଇଥିଲେ। ଆଗକୁ ମଧ୍ୟ ସେମିତି ଆଉ କିଛି ହରର୍‌ ସିନେମା ନିର୍ମିତ ହେଉଛି, ଯାହା ଖୁବ୍ ଶୀଘ୍ର ମୁକ୍ତିଲାଭ କରିବ।

ନିକଟରେ ଏକ ହିନ୍ଦୀ ଫିଲ୍ମ ‘ଲୁପ୍ତ’ର ପୋଷ୍ଟର ରିଲିଜ୍ ହୋଇଛି। ଏଥିରେ ଜାଭେଦ୍ ଜାଫ୍ରି ଓ ବିଜୟ କରଣଙ୍କ ଭଳି କଳାକାର ଅଛନ୍ତି। ପୋଷ୍ଟରରୁ ଯାହା ଜଣାଯାଉଛି, ଏହା ଏକ ହରର୍‍ ସିନେମା। ‘ଲୁପ୍ତ’ର ପୋଷ୍ଟରରୁ ସ୍ପଷ୍ଟ ହୋ‍ଇଯାଉଛି ଯେ ଏହା ଏକ ପରିବାରର କାହାଣୀ। ଏଥିରେ ହଲିଉଡ ମସଲା ଥିବା ମଧ୍ୟ ଜଣାଯାଉଛି।

ତା’ ପଛକୁ ଆସୁଛି ‘ସ୍ତ୍ରୀ’। ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୁରଙ୍କ ଅଭିନୀତ ‘ସ୍ତ୍ରୀ’ ଏକ ହରର୍‌ କମେଡି ବୋଲି କୁହାଯାଉଛି। ଜଣେ ମହିଳା କିପରି ଜଣେ ଟେଲରକୁ ହଇରାଣ କରୁଛି, ତାହା ଦେଖିବାକୁ ମିଳିବ।

ଏହାପରେ ଆସୁଛି ଆଉ ଏକ ସୁପର ନାଚୁରାଲ୍ ଥ୍ରିଲର। ଏହାର ଟାଇଟଲ୍ ହେଲା ‘ମୁସ୍କିଲ୍‌’। ଲୋକପ୍ରିୟ ଅଭିନେତା କୁନାଲ୍ ରୟ କପୁର୍ ଓ ରଜନୀଶ ଦୁଗ୍‌ଗଲ ଏହାର ମୁଖ୍ୟ କଳାକାର। ଏହାର କାହାଣୀ ମୁମ୍ବାଇର ଚାରିଜଣ ଯୁବତୀଙ୍କ ଉପରେ ଆଧାରିତ। ସେମାନେ ଗ୍ରୀସ୍ ଭ୍ରମଣରେ ବାହାରନ୍ତି। ସେଠାରେ ସେମାନେ ଏକ ଐତିହାସିକ ଦୁର୍ଗରେ ରହନ୍ତି। ସେଠାରେ ସେହି ଯୁବତୀମାନଙ୍କୁ କିଭଳି ଅଲୌକିକ ଘଟଣାର ସାମ୍ନା ହେବାକୁ ପଡ଼ୁଛି ଓ ସେଥିରୁ ସେମାନେ କିଭଳି ମୁକୁଳିଛନ୍ତି, ତାହା ହେଉଛି ହରର୍ ସିନେମା ‘ମୁସ୍କିଲ୍‌’ର କାହାଣୀ।

ଏହି ସିନେମାରେ କାମ କରିଥିବା କୁନାଲ୍ ରୟ କପୁର କହିଛନ୍ତି ଯେ ମତେ ସବୁବେଳେ ମନୋବୈଜ୍ଞାନିକ ଥ୍ରିଲର୍ ଓ ହରର୍‌ ଫିଲ୍ମ ଭଲଲାଗେ। ଏଭଳି ସିନେମାରେ କାମ କରିବାର ସୁଯୋଗ ମିଳୁଥିବାରୁ ସେ ସନ୍ତୁଷ୍ଟ।

ସମ୍ପ୍ରତି ଶାହାରୁଖ୍‌ ଖାନ୍‌ଙ୍କୁ ନେଇ ‘ଜିରୋ’ ଫିଲ୍ମର ନିର୍ମାଣ କରୁଛନ୍ତି ନିର୍ଦ୍ଦେଶକ ଆନନ୍ଦ ଏଲ୍‌ରାୟ। ସେ ବି ଦର୍ଶକଙ୍କୁ ଡରାଇବା ଲାଗି ପ୍ରସ୍ତୁତ ହେଉଛନ୍ତି। ସେ ଦର୍ଶକମାନଙ୍କୁ ଏକ ଭୟାନକ ରହସ୍ୟମୟ ଦୁନିଆ ଭିତରକୁ ନେବା ଲାଗି ପ୍ରସ୍ତୁତ ହେଉଛନ୍ତି।

ଆନନ୍ଦ ଏଲ୍‌ ରାୟ ଏକ ହରର୍ ମିଷ୍ଟ୍ରି ସିନେମା ନିର୍ମାଣ କରୁଛନ୍ତି, ଯାହାର ଟାଇଟଲ୍ ରହିଛି ‘ତୁମ୍ବାଡେ’। ଏହି ଫିଲ୍ମ ଅକ୍ଟୋବରରେ ରିଲିଜ୍ ହେବ। ଫିଲ୍ମର କାହାଣୀ ସମ୍ପର୍କରେ ବିଶେଷ ତଥ୍ୟ ସାମ୍ନାକୁ ଆସିନଥିଲେ ବି ଯାହା ଜଣାଯାଉଛି ଏହା ଦର୍ଶକଙ୍କ ମନରେ ଭୟ ଆଣିଦେବ ନିଶ୍ଚୟ।

୨୦୧୯ରେ ଏକ ସୁପରନାଚୁରାଲ୍ ଥ୍ରିଲର୍ ବି ପରଦାକୁ ଆସିବ। ଏହି ସିନେମାର ଟାଇଟଲ୍ ହେଲା ‘ବ୍ରହ୍ମାସ୍ତ୍ର’। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଅୟାନ୍ ମୁଖାର୍ଜୀ। ଏହାକୁ ସୁପରହିରୋ ଫିଲ୍ମ ନୁହେଁ, ବରଂ ସୁପର ନାଚୁରାଲ୍ ଫିଲ୍ମ ବୋଲି କରିବାକୁ ପସନ୍ଦ କରୁଛନ୍ତି ନିର୍ଦ୍ଦେଶକ ଅୟାନ୍ ମୁଖାର୍ଜୀ। ‘ବ୍ରହ୍ମାସ୍ତ୍ର’ରେ ଅମିତାଭ ବଚ୍ଚନ, ରଣବୀର କପୁର, ଆଲିଆ ଭଟ୍ଟ, ନାଗାର୍ଜୁନ ଏବଂ ମୌନୀ ରୟ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି। ଏହା ବି ଦର୍ଶକଙ୍କୁ ଚମକାଇବ ନିଶ୍ଚୟ।

Comment