ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଛୋଟ ପରଦାର ଜଣେ ନାମୀ ନାୟିକା ଯଲିଉଡରେ ପ୍ରବେଶ କରିଛନ୍ତି ସେ ହେଲେଶଙ୍ଖା ସିନ୍ଦୂରଫେମ୍ ସୁଲଗ୍ନା ଆସନ୍ତୁ ଜାଣିବା ଟେଲିଭିଜନରୁ ଯାତ୍ରାକୁ ଆସିଥିବା ନାୟିକା ସୁଲଗ୍ନାଙ୍କ ସମ୍ପର୍କରେ

ଯଲିଉଡ ପ୍ରତି ଅଧିକାଂଶ କଳାକାରଙ୍କର ସ୍ୱତନ୍ତ୍ର ଆକର୍ଷଣ ରହିଛି। ଓଲିଉଡର କିଛି କଳାକାର ଇତିମଧ୍ୟରେ ଯଲିଉଡରେ ଢେର ନାଁ କରିଲେଣି। ଓଲିଉଡ ତାରକାଙ୍କ ପଦାଙ୍କ ଅନୁସରଣ କରି କେତେକ ଟେଲି ତାରକା ମଧ୍ୟ ଯାତ୍ରାରେ ଯୋଗ ଦେଇଛନ୍ତି।

ଆଗରୁ ଲରେନ୍ସ, ଅକ୍ଷୟ ବସ୍ତିଆ, ସୋମେଶ୍, ଚନ୍ଦନ ଓ ଛନ୍ଦିତାଙ୍କ ପରି ଆଗଧାଡ଼ିର ଟେଲି କଳାକାର ଯଲିଉଡରେ ହଙ୍ଗାମା କରି ସାରିଛନ୍ତି। ଏବେ ଏହି ତାଲିକାରେ ଆଉ ଏକ ନୂଆ ନାଁ ସାମିଲ୍ ହୋଇଛି। ସେହି ନାଆଁଟି ହେଲା ସୁଲଗ୍ନା।

ସୁଲଗ୍ନା ସମ୍ପ୍ରତି ବାଘାଯତୀନ ଲୋକନାଟ୍ୟରେ ନାୟିକା ଭାବେ ସକ୍ରିୟ। ସେ ଏଥିରେ ‘ରାତିର ସପନକୁ କରିଛି ସାଥୀ’ ଶୀର୍ଷକ ଏକ ନାଟକରେ ନାୟିକା ଭାବେ ରିହର୍ସାଲ୍ ଚଳାଇଛନ୍ତି। ଏହି ନାଟକରେ ସୁଲଗ୍ନାଙ୍କ ବିପକ୍ଷରେ ନାୟକ ସାଜିଛନ୍ତି ଯଲିଉଡର ଜଣାଶୁଣା ଅଭିନେତା ବାପି ପଣ୍ଡା। କିଶୋର ଖଣ୍ଡୁଆଳ ଏହି ନାଟକର ନିର୍ଦ୍ଦେଶକ। ତେବେ ସୁଲଗ୍ନାଙ୍କ ଗ୍ଲାମର ଜଗତର ଯାତ୍ରା କିଛି କମ୍ ରୋମାଞ୍ଚକର ନୁହେଁ। ଆସନ୍ତୁ ସେ ବିଷୟରେ ଜାଣିବା…

ସୁଲଗ୍ନାଙ୍କ ଜନ୍ମ ଭଦ୍ରକ ଜିଲାରେ। ତାଙ୍କ ବାପା ଜଣେ ଶିକ୍ଷକ ଓ ମାଆ ଜଣେ ଗୃହିଣୀ। ତେବେ ପିଲାବେଳୁ ସେ ଆସି କଟକରେ ରହିଲେ। ତାଙ୍କ ମା’ଙ୍କର ଇଚ୍ଛା ଥିଲା ଝିଅ ବଡ ହେଲେ ହିରୋଇନ୍ ହେଉ।

ଝିଅକୁ ହିରୋଇନ୍ କରିବା ଅଭିଳାଷ ନେଇ ସୁଲଗ୍ନାଙ୍କ ମା’ କଟକରେ ରହିଲେ। ସେ କଟକର ସତ୍ୟସାଇ ଇଂରାଜୀ ମିଡିୟମ୍ ସ୍କୁଲରେ ପଢ଼ିଥିଲେ। ସୁଲଗ୍ନା କଟକରେ କଳାବିକାଶ କେନ୍ଦ୍ରରେ ଗୁରୁଶ୍ରୀ ଅଜୟ ଦାସଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷା ମଧ୍ୟ କରିଛନ୍ତି।

ସୁଲଗ୍ନା କହନ୍ତି ଯେ ତାଙ୍କର ଅଭିନୟ ପ୍ରତି ବିଶେଷ ରୁଚି ନଥିଲା। କେବଳ ମାଆଙ୍କ ଇଚ୍ଛାକୁ ସମ୍ମାନ ଦେଇ ଗ୍ଲାମର୍ ଦୁନିଆକୁ ଆସିଛନ୍ତି। କଟକରେ ପ୍ରଯୋଜକ ବିଜୟ କନ୍ଦୋଇଙ୍କ ଅଫିସରେ ମେଗା ଧାରାବାହିକ ‘ଶଙ୍ଖା ସିନ୍ଦୁର’ ଅଡିସନକୁ ସୁଲଗ୍ନାଙ୍କୁ ସାଙ୍ଗରେ ଧରି ତାଙ୍କ ମାଆ ଯାଇଥିଲେ। ସେଠାରେ ଲୁକ୍ ଟେଷ୍ଟ ଦେବା କଥା ଶୁଣି ସୁଲଗ୍ନା ଥରିଥିଲେ। ନିର୍ଦ୍ଦେଶକ ଅମିତ ଘୋଷ ଓ ମାଆ ମୀନତି ସୁଲଗ୍ନାଙ୍କୁ ସାହସ ଦେଲେ।

ତା’ପରେ ସୁଲଗ୍ନା ତରଙ୍ଗରେ ପ୍ରସାରିତ ମେଗା ଧାରାବାହିକ ‘ଶଙ୍ଖାସିନ୍ଦୂର’ର ନାୟିକା ଚରିତ୍ର ‘ମିଲି’ ପାଇଁ ଚୁକ୍ତିବଦ୍ଧ ହୋଇଥିଲେ। ଏହି ମେଗା ଧାରାବାହିକରେ ପ୍ରାୟ ତିନିବର୍ଷ ଧରି ଅଭିନୟ କରିବା ପରେ ସେ ସହର, ଗାଁ ସବୁଠି ମିଲି ଭାବେ ପରିଚିତ ହେଲେ।

ଏହି ମେଗା ଧାରାବାହିକରେ ସୁଲଗ୍ନାଙ୍କ ବିପକ୍ଷରେ ନାୟିକା ଭୂମିକାରେ ଦେଖା ଦେଇଥିଲେ ଋଷି। ‘ଶଙ୍ଖା ସିନ୍ଦୂର’ରେ ତାଙ୍କ ଅଭିନୟ ମଧ୍ୟ ପ୍ରଭାବଶାଳୀ ହୋଇଥିଲା। ଏହି ସମୟରେ ସୁଲଗ୍ନାଙ୍କ ପାଖକୁ ଫିଲ୍ମରେ ହିରୋଇନ୍ ହେବା ଲାଗି ଅଫର୍ ଆସିଥିଲା। ମାତ୍ର ‘ଶଙ୍ଖା ସିନ୍ଦୂର’ ପାଇଁ ମାସକୁ ପ୍ରାୟ ୨୮ ଦିନ ସମୟ ଦେବାକୁ ପଡୁଥିଲା। ଏଣୁ ସେ ସମୟାଭାବରୁ ସିନେମାରେ କାମ କରିପାରିନଥିଲେ।

‘ଶଙ୍ଖା ସିନ୍ଦୂର’ର ପ୍ରସାରଣ ଶେଷ ହେବା ପରେ ଯେତେବେଳେ ସୁଲଗ୍ନାଙ୍କ ପାଖକୁ ଯଲିଉଡରୁ ଆକର୍ଷଣୀୟ ପାରିଶ୍ରମିକ ଅଫର୍ ଆସିଲା, ସେ ରାଜି ହୋଇଗଲେ। ବାଘାଯତୀନ ଲୋକନାଟ୍ୟ ପରିବେଶରେ ସେ ବେଶ୍ ଖାପଖୁଆଇ ସାରିଲେଣି ନିଜକୁ। ଯାତ୍ରା ମଞ୍ଚରେ ନିଜ ଅଭିନୟ ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିବାର ବିଶ୍ୱାସ ରହିଛି ସୁଲଗ୍ନାଙ୍କର।

Comment