ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ରାଜ୍ୟସଭା ଉପାଧ୍ୟକ୍ଷ ପଦକୁ ନେଇ ଜାତୀୟ ରାଜନୀତି ସରଗରମ୍। କଂଗ୍ରେସ ପ୍ରାର୍ଥୀ ଦେବା ପରେ କିଏ କାହାକୁ ସମର୍ଥନ କରିବ ତାକୁ ନେଇ ଚାଲିଛି ଅଙ୍କକଷା।

ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ଆସନ୍ତା କାଲି ଭୋଟ ଗ୍ରହଣ କରାଯିବ। ଏହି ନିର୍ବାଚନରେ ଏନଡିଏ ଓ କଂଗ୍ରେସ ଭିତରେ ସିଧାସଳଖ ମୁକାବିଲା ହେବା ସ୍ପଷ୍ଟ ହୋଇଯାଇଛି। ଆଜି କଂଗ୍ରେସ ଦଳ ପକ୍ଷରୁ ଓଡ଼ିଶା କଂଗ୍ରେସର ପୂର୍ବତନ ପ୍ରଭାରୀ ବିକେ ହରିପ୍ରସାଦଙ୍କୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ଏହି ନିର୍ବାଚନ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି।

ପୂର୍ବରୁ ଏନଡିଏ ପକ୍ଷରୁ ଜେଡିୟୁ ନେତା ହରିବଂଶଙ୍କୁ ଉପାଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ କରାଯାଇସାରିଛି। ଏହି ନିର୍ବାଚନରେ ଗଣିତର ଖେଳ ଉପରେ ଯଦି ଆମେ ନଜର ପକାଇବା ତାହାଲେ ବିଜେପି ନେତୃତ୍ୱରେ ଏନଡିଏ ଆଗୁଆ ଥିବା ସ୍ପଷ୍ଟ ଜଣାପଡ଼ୁଛି।

ପୂର୍ବରୁ ଅନୁମାନ କରାଯାଉଥିଲା ଯେ ୟୁପିଏ ମେଣ୍ଟ ପକ୍ଷରୁ ଶରଦ ପାୱାରଙ୍କ ଏନସିପି ଦଳର ବନ୍ଦନା ଚୌହାନଙ୍କୁ ପ୍ରାର୍ଥୀ କରାଯିବ। କିନ୍ତୁ ଶେଷ ମୁହୂର୍ତ୍ତରେ କଂଗ୍ରେସ ନିଜ ଦଳର ପ୍ରାର୍ଥୀ ଦେଇଛି। ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା ବୁଧବାର ଦିନ ହରିପ୍ରସାଦଙ୍କ ପ୍ରାର୍ଥୀତ୍ୱ ଘୋଷଣା କରିଥିଲେ। ପ୍ରାର୍ଥୀ ହେବା ପରେ ହରିପ୍ରସାଦ କହିଲେ ଯେ ଦଳ କିଛି କଥା ଭାବିଚିନ୍ତି ଏଭଳି ନିଷ୍ପତ୍ତି ନେଇଥିବ।

ସେ କହିଲେ ଯେ ଆମେ ସବୁ ବିରୋଧୀ ଦଳ ସହ କଥାବାର୍ତ୍ତା କରିବା ପରେ ରଣନୀତି ପ୍ରସ୍ତୁତ କରିବୁ। ଏଣେ ରାଜ୍ୟସଭା ଉପସଭାପତି ପାଇଁ ଏନଡିଏ ପ୍ରାର୍ଥୀ ହରିବଂଶଙ୍କୁ ନେଇ ଜୋର ଚର୍ଚ୍ଚା ହେଉଛି। ଆଜି ହରିବଂଶ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ର ଦାଖଲ କରିବା ବେଳେ ପୂରା ଏନଡିଏ ଏକଜୁଟ ଥିବା ନଜରକୁ ଆସିଥିଲା। ବିଜେପିକୁ ବିରୋଧ କରୁଥିବା ଶିବସେନାର ନେତାମାନେ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ ସମୟରେ ଉପସ୍ଥିତ ଥିଲେ।

ଗଣିତ କ’ଣ କହୁଛି?

ଯଦି ଆମେ ରାଜ୍ୟସଭାର ବର୍ତ୍ତମାନ ସଂଖ୍ୟା ଉପରେ ଆଖି ପକାଇବା ତାହାଲେ ଏନଡିଏ ପାଖରେ ଅଧିକ ସଂଖ୍ୟକ ମତ ରହିଛି। ରାଜ୍ୟସଭାରେ ବିଜେପିର ସ୍କୋର ଏବେ ୧୧୬ରେ ପହଞ୍ଚିଗଲାଣି। ଯଦି ବିଜୁ ଜନତା ଦଳର ସଦସ୍ୟମାନେ ସମର୍ଥନ କରନ୍ତି (ଏହା ନିଶ୍ଚିତ ଭାବେ ହେବ) ତେବେ ବିଜେପିର ସଂଖ୍ୟା ୧୨୫ରେ ପହଞ୍ଚିବ। ବିଜେପିର ମ୍ୟାନେଜରମାନଙ୍କ ପକ୍ଷରୁ ଉଦ୍ୟମ କରାଯାଉଛି ଏହି ସଂଖ୍ୟାକୁ ଯେ କୌଣସି ପ୍ରକାର ୧୩୦ ପର୍ଯ୍ୟନ୍ତ ଟାଣି ନିଆଯିବ।

ଯଦି ବିଜେଡି ସମର୍ଥନ ନକରୁଛି ତେବେ ବିଜେପି ୟୁପିଏର ପଛରେ ପଡ଼ିଯିବା ସୁନିଶ୍ଚିତ। ଖାସ ଏଇଥି ପାଇଁ ବିଜେପି ସଭାପତି ଅମିତ ଶାହ ମଙ୍ଗଳବାର ଦିନ ନବୀନ ପଟ୍ଟନାୟକଙ୍କୁ ଫୋନ କରି ଦଳର ସମର୍ଥନ ଚାହିଁଥିଲେ।

ବିଜେଡିର ପଲା ଭାରି

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡିର ସମର୍ଥନ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ନବୀନ ପଟ୍ଟନାୟକ ଏନସିପି ନେତା ଶରଦ ପାୱାରଙ୍କ ସହିତ ଏନେଇ ଅଣଔପଚାରିକ ଭାବରେ କଥାବାର୍ତ୍ତା କରିଥିଲେ। ଯେହେତୁ ୟୁପିଏ ବିଜେଡିର ସାହାଯ୍ୟ ଲୋଡ଼ିନାହିଁ ସେହି ପରିସ୍ଥିତିରେ ନୀତିଶ କୁମାରଙ୍କ ଦଳର ପ୍ରାର୍ଥୀଙ୍କୁ ଆମେ ନିଶ୍ଚିତରେ ସମର୍ଥନ କରିବୁ ବୋଲି କୁଆଡ଼େ ନବୀନ ପାୱାରଙ୍କୁ କହିଥିବା ଚର୍ଚ୍ଚା ହେଉଛି।

ଏଆଇଏଡିଏମକେ (୧୮), ବିଜେଡି (୯), ତେଲେଙ୍ଗାନା ରାଷ୍ଟ୍ର ସମିତି (୬), ୱାଇଏସ୍‌ଆର୍ କଂଗ୍ରେସ (୨)- ଏ ସମସ୍ତଙ୍କ ସମର୍ଥନ ଯଦି ମିଳିଯାଏ ତେବେ ଏନଡିଏ ପାଖରେ ୧୨୬ ସଦସ୍ୟ ରହିବେ। ରାଜ୍ୟସଭାରେ ବର୍ତ୍ତମାନ ବିଜେପିର ୭୩ ଓ କଂଗ୍ରେସର ୫୦ ଜଣ ସଦସ୍ୟ ଅଛନ୍ତି।

ବିଜେପିର ଅଂଶୀଦାର ଦଳ ଶିବସେନା, ଜେଡିୟୁ ଓ ଅକାଳି ଦଳର ଯଥାକ୍ରମେ ତିନି, ଛଅ ଓ ତିନି ଜଣ ସଦସ୍ୟ ଅଛନ୍ତି।

ୟୁପିଏ ପାଖରେ ମୋଟ ୧୧୮ଟି ଭୋଟ ରହିଛି। କଂଗ୍ରେସର ସହଯୋଗୀ ଦଳ ପ୍ରାର୍ଥୀ ଦେବାକୁ ମନା କରିଦେବା କାରଣରୁ ଏନଡିଏର ପ୍ରାର୍ଥୀଙ୍କ ବିରୋଧରେ ଜଣେ ସର୍ବସମର୍ଥୀତ ପ୍ରାର୍ଥୀ ଦେବା ପାଇଁ କଂଗ୍ରେସକୁ କୁହାଯାଇଥିଲା। ଫଳରେ ହରିପ୍ରସାଦଙ୍କୁ କମନ ପ୍ରାର୍ଥୀ କରାଗଲା।

Comment