ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାରାଷ୍ଟ୍ରର କ୍ରାନ୍ତି ବନରେ ଲାଗିଛି ସ୍ଵାଧୀନତା ସଂଗ୍ରାମୀମାନଙ୍କ ନାଁରେ ସାତ ଶହ ଗଛ।

କେଉଁ ଗଛର ନାଁ ଚନ୍ଦ୍ରଶେଖର ଆଜାଦ ତ ଆଉ କେଉଁଟିର ବିର୍ସା ମୁଣ୍ଡା। ସ୍ଵାଧୀନତା ସଂଗ୍ରାମୀମାନଙ୍କ ନାଁରେ ନାମିତ ଏମିତି ସାତ ଶହ ଗଛ ରହିଛି ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାରେ ଥିବା କ୍ରାନ୍ତି ବନରେ। କ୍ରାନ୍ତି ବନର ପ୍ରତିଷ୍ଠାତା ସଂପତରାଓ ପାୱାରଙ୍କ ଭାଷାରେ ଏହା ସହିଦ ସ୍ଵାଧୀନତା ସଂଗ୍ରାମୀମାନଙ୍କର ଜୀବନ୍ତ ସ୍ମାରକୀ।

ସାଙ୍ଗଲି ଜିଲ୍ଲାର ବାଲୱାଡ଼ି ଗାଁରେ ରହିଛି ଭିନ୍ନ ଏକ ସ୍ମୃତିପୀଠ-କ୍ରାନ୍ତି ବନ। ସ୍ଵାଧୀନତା ସଂଗ୍ରାମରେ ଦେଶ ପାଇଁ ପ୍ରାଣବଳି ଦେଇଥିବା ସହିଦମାନଙ୍କ ସ୍ମୃତିରେ କ୍ରାନ୍ତି ବନରେ ରହିଛି ସାତ ଶହ ଗଛ। ଚାରି ଏକର ଜମିରେ ଲାଗିଥିବା ଗଛଗୁଡ଼ିକୁ ସହିଦମାନଙ୍କ ନାଁରେ ନାମିତ କରାଯାଇଛି।

କ୍ରାନ୍ତି ବନର ପ୍ରତିଷ୍ଠାତା ୭୭ ବର୍ଷୀୟ ସମାଜସେବୀ ସଂପତରାଓ ପାୱାର। ୧୯୯୨ ମସିହାରେ ଏଭଳି ଏକ ବିରଳ ସ୍ମାରକୀ ଗଢ଼ିବାକୁ ସେ ସ୍ଥିର କଲେ। ସେତେବେଳେ ଗାଁ ଲୋକେ ତାଙ୍କୁ ପାଗଳ ବୋଲି କହି ଉପହାସ କରୁଥିଲେ। କିନ୍ତୁ ଗାଁ ଲୋକଙ୍କ ଟାହିଟାପରାକୁ ଭ୍ରୁକ୍ଷେପ ନ କରି କ୍ରାନ୍ତି ବନ ଗଢ଼ିବାରେ ଲାଗି ପଡ଼ିଲେ ସଂପତରାଓ। ଶୁଷ୍କ ଟାଙ୍ଗରା ଜମିରେ ମାଟି ପାଣି ଦେଇ ଗଛ  ଲଗାଇଲେ। ସବୁ ଗଛର ନାଁ ଦେବା ସହିତ ଗଛଗୁଡ଼ିକର ଯତ୍ନ ନେଲେ।

ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ଯୋଗାଯୋଗ କରି ଗଛ ଲଗାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କଲେ। ତାଙ୍କ ଉଦ୍ୟମରେ ଆଖପାଖର ଅନେକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଗଛ ଲଗାଇଲେ। ଅଞ୍ଚଳର ସବୁଜିମା ବୃଦ୍ଧି ସହିତ କ୍ରାନ୍ତି ବନର ଆକର୍ଷଣ ବଢ଼ିବାରେ ଲାଗିଲା। କିନ୍ତୁ ୧୯୯୮ ମସିହାରେ ଜିଲ୍ଲା ପ୍ରଶାସନ ଏହା ଉପରେ କଟକଣା ଜାରି କଲା। ଗଛ ଲାଗିଥିବା ଜମି ସରକାରୀ ହୋଇଥିବାରୁ ଏହାକୁ ଜଙ୍ଗଲ ବିଭାଗ ହାତକୁ ନେଇଗଲା। ପରେ ପରେ ଗୋଟି ଗୋଟି କରି ଗଛ ଉଭେଇ ଯିବାରେ ଲାଗିଲା।

କିନ୍ତୁ କ୍ରାନ୍ତି ବନ ଗଢ଼ିବାକୁ ସଂକଳ୍ପବଦ୍ଧ ଥିଲେ ସଂପତରାଓ। ନିଜର ୪ ଏକର ଜମିରେ ଆଖୁ ଚାଷ କରିବା ବଦଳରେ ସ୍ଵାଧୀନତା ସଂଗ୍ରାମୀମାନଙ୍କ ନାଁରେ ଗଛ ଲଗାଇଲେ। ଆଖୁଚାଷରୁ ଆୟରେ ହିଁ ଘର ଚଳୁଥିଲା। ତେଣୁ ପରିବାର ଲୋକେ ଏଥିରେ ଆପତ୍ତି କଲେ। ହେଲେ ସଂପତରାଓ ଅନ୍ୟ ଜମିରେ ଆଖୁଚାଷ କରିବାକୁ ସ୍ଥିର କରି ନିଜ ଜମିରେ କ୍ରାନ୍ତି ବନ ଗଢ଼ିଲେ। ସେତେବେଳେ ତାଙ୍କୁ ସମର୍ଥନ କରିଥିଲେ ପୁଅ ବୈଭବ। ଘଟଣାକ୍ରମରେ କ୍ରାନ୍ତି ବନରେ କୂଅଖୋଳା ସମୟରେ ମାଟି ଅତଡ଼ା ଧସି ପ୍ରାଣ ହରାଇଥିଲେ ୨୧ ବର୍ଷର ବୈଭବ। ଏଥିରେ କିଛି ସମୟ ପାଇଁ ଭାଙ୍ଗି ପଡ଼ିଥିଲେ ସଂପତରାଓ। କିନ୍ତୁ ଲକ୍ଷ୍ୟଚ୍ୟୁତ ହୋଇ ନଥିଲେ।

ଏବେ ସାତ ଶହ ସହିଦଙ୍କ ନାଁରେ ଥିବା ଗଛଗୁଡ଼ିକୁ ଦେଖିବାକୁ ସ୍କୁଲ ଓ କଲେଜ ପିଲାମାନେ କ୍ରାନ୍ତି ବନ ଆସୁଛନ୍ତି। ଗୋଟି ଗୋଟି କରି ଗଛର ନାଁ କହିବା ସହ ସେହି ସ୍ବାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ଅବଦାନ ସଂପର୍କରେ ପିଲାମାନଙ୍କୁ ବୁଝାଇ ଦେଉଛନ୍ତି ସଂପତରାଓ। ତାଙ୍କ ଭାଷାରେ ଏହି ଗଛଗୁଡ଼ିକ ହିଁ ସହିଦମାନଙ୍କର ଜୀବନ୍ତ ସ୍ମୃତି। କାରଣ, ସହିଦଙ୍କର ମୃତ୍ୟୁ ହୁଏନାହିଁ।

Comment