ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡରେ ଏବେ ଦୁଇ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ନାୟକ ହେଲେ ସମ୍ବିତ୍ ଜ୍ୟୋତି ଜାଣନ୍ତୁ ଏବେ ଏହି ଦୁହିଁଙ୍କ ଭିତରେ  କିଭଳି ଜୋରଦାର ଟକ୍କର ଲାଗିଛି

କିଛିବର୍ଷ ତଳେ  ଓଲିଉଡର ଦୁଇ ସୁପରଷ୍ଟାର ଅନୁଭବ ଓ ଅରିନ୍ଦମଙ୍କ ଭିତରେ ଦେଖିବାକୁ ମିଳୁଥିଲା ଜବରଦସ୍ତ ଟକ୍‌କର। ଜଣେ ନିର୍ଦ୍ଦେଶକ ଅନୁଭବକୁ ନେଇ ଫିଲ୍ମ ନିର୍ମାଣ କରିବାକୁ ଅଣ୍ଟା ଭିଡ଼ୁଥିବା ବେଳେ ଆଉ ଜଣେ ଅରିନ୍ଦମଙ୍କୁ ନେଇ ସିନେମା ତିଆରି କରୁଥିଲେ। ଉଭୟଙ୍କ ଫିଲ୍ମ ବି ରଜ ଓ ପୂଜା ଭଳି ଅବସରରେ ସାମ୍ନାସାମ୍ନି ହେଉଥିଲେ।

ଏବେ ସେହିଭଳି ଟକ୍‌କର ଚାଲିଛି ଓଲିଉଡର ଦୁଇଜଣ ଲୋକପ୍ରିୟ ନାୟକଙ୍କ ଭିତରେ। ଅନୁଭବ ଓ ଅରିନ୍ଦମ୍‌ ଯେଉଁ ସ୍ତରକୁ ଯାଇଥିଲେ, ସେଭଳି ସ୍ଥାନକୁ ଏ ଦୁଇ ହିରୋ ଏଯାଏଁ ପହଞ୍ଚିନାହାନ୍ତି, ତଥାପି ଏ ଦୁହିଁଙ୍କ ହାତରେ ସବୁଠାରୁ ବେଶି ସିନେମା ରହିଛି। ଆଉ ସେଇଥିପାଇଁ କୁହାଯାଉଛି ଯେ ଏ ଦୁହିଁଙ୍କ ଭିତରେ ଟକ୍‌କର ହେଉଛି। ଏଠାରେ ଯେଉଁ ଦୁଇ ନାୟକଙ୍କ କଥା କୁହାଯାଉଛି, ସେ ଦୁହେଁ ହେଲେ ସମ୍ବିତ୍‌ ଓ ଜ୍ୟୋତି। କ୍ୟାରିଅର ଦୃଷ୍ଟିରୁ ସମ୍ବିତ୍‌ ଜ୍ୟୋତିଙ୍କଠାରୁ ସିନିଅର୍‌।

ସମ୍ବିତ୍‌ ୨୦୧୧ରେ ରିଲିଜ୍‌ ହୋଇଥିବା ଫିଲ୍ମ ’ପ୍ରେମ୍‌ ୱେଡ୍‌ସ ପ୍ରିୟା’ ଜରିଆରେ ଓଲିଉଡରେ ହିରୋଭାବେ କ୍ୟାରିଅର ଆରମ୍ଭ କରିଥିଲେ। ଏହାପରେ ତାଙ୍କୁ ‘ସଲାମ୍‌ ସିନେମା’, ‘ବାଳୁଙ୍ଗା ଟୋକା’, ‘ଗଞ୍ଜା ଲଢ଼େଇ’, ‘ଆଶିକ୍‌’, ‘ଲେଖିଛି ନାଆଁ ତୋର’, ‘ଓମ୍’, ‘ଚଉକାଛକା’, ‘ଛାତି ତଳେ ଡିଂ ଡଙ୍ଗ୍’, ‘୨୦୧୪ ଫିଅର୍ ଅଫ୍ ଦ ଇଅର୍‌’, ‘କଟକ- ଦ ସିଲଭର୍ ସିଟି’, ‘ବନ୍ଧନ’, ‘ତୁମକୁ ଦେଖିଲା ପରେ’ ଏବଂ ‘ହାପିଲକି’ ଆଦି ସିନେମାରେ ଦର୍ଶକ ଦେଖିବାକୁ ପାଇଛନ୍ତି।

ସମ୍ବିତଙ୍କ ଆଗାମୀ ସିନେମା

ଏବେ ସମ୍ବିତଙ୍କ ହାତରେ ରହିଛି ଅଧଡଜନେ ଓଡ଼ିଆ ସିନେମା, ଯାହା ଗୋଟିକ ପରେ ଗୋଟିଏ ରିଲିଜ୍‌ ହେବ। ଏହି ସିନେମାଗୁଡ଼ିକ ହେଲା ’ଯୋଉଠି ଥିଲେ ବି ତୁ ମୋର’, ‘ପ୍ରେମ ପାଇଁ ମହାଭାରତ’, ‘ବିଶ୍ୱନାଥ’ ଏବଂ ମନ ଖାଲି ତତେ ଚାହେଁ। ଏହାଛଡ଼ା ତାଙ୍କର ଏକ ସିନେମା ‘ଆଇ ଲଭ୍‌ ୟୁ-୨’ ବି ଅଟକି ରହିଛି। ତେଣେ ତାଙ୍କ ଅଭିନୀତ ଏକ ତେଲୁଗୁ ସିନେମା ‘ଲାଲିଜୋ-ଲାଲିଜୋ’ ବି ରିଲିଜ୍‌ ଅପେକ୍ଷାରେ। ତା’ଛଡ଼ା ଶୈଳେନ୍ଦ୍ର ମିଶ୍ରଙ୍କ ଏକ ଫିଲ୍ମ ବି ରହିଛି ସମ୍ବିତଙ୍କ ହାତରେ।

ଜ୍ୟୋତିଙ୍କ ଆଗାମୀ ସିନେମା

କଲର୍ସ ଚ୍ୟାନେଲରେ ପ୍ରସାରିତ ରିଆଲିଟି ସୋ’ ‘ମିଠାମିଠା ଯୋଡ଼ି’ର ବିଜେତା ଜ୍ୟୋତି ‘ମିଠାମିଠା’ ସିନେମା ଜରିଆରେ ଓଲିଉଡରେ ପ୍ରବେଶ କରିଥିଲେ। ହେଲେ ନାୟକ ଜ୍ୟୋତିଙ୍କ ଅଭିନୀତ ‘ଦେଲେ ଧରା କଥା ସରେ’ ଆଗେ ରିଲିଜ୍‌ ହୋଇଥିଲା।

ଏହାପରେ ଜ୍ୟୋତି ‘ନିଝୁମ୍‌ ରାତିର ସାଥୀ’, ‘ତୁ ମୋ ହିରୋ’, ‘ହାପିଲକି’ ଏବଂ ‘ଓଲେ ଓଲେ ଦିଲ୍ ବୋଲି’ ଆଦି ସିନେମାରେ ନଜର ଆସିଛନ୍ତି।

ଜ୍ୟୋତିଙ୍କ ହାତରେ ଏବେ ଅଧଡଜନେ ସିନେମା। ଏଥିମଧ୍ୟରୁ ଯେଉଁ କେତୋଟି ଖୁବ୍ ଶୀଘ୍ର ମୁକ୍ତିଲାଭ କରିବ, ସେଥିମଧ୍ୟରେ ରହିଛି ’ତୁ ମୋ ସୁନା ଚଢ଼େଇ’, ‘ସାଥୀ ଫେରିଆ’ ଆଦି ସିନେମା।

ଆଗରୁ ଏକାଠି, ଏବେ କିନ୍ତୁ ପ୍ରତିଦ୍ୱନ୍ଦ୍ୱୀ

ଆଗରୁ ସମ୍ବିତ୍‌ ଓ ଜ୍ୟୋତିଙ୍କୁ ଦର୍ଶକ ଦୁଇଭାଇ ଭୂମିକାରେ ଏକାଠି ଏକ ଓଡ଼ିଆ ଛବିରେ ଦେଖିବାକୁ ପାଇଥିଲେ। ସେହି ସିନେମା ହେଲା ‘ହାପିଲକି’।

ଏବେ କିନ୍ତୁ ସମ୍ବିତ୍ ଓ ଜ୍ୟୋତି ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଛନ୍ତି। ଯେଉଁ ପ୍ରଯୋଜକ ବା ନିର୍ଦ୍ଦେଶକମାନେ ନିଜ ସିନେମାରେ ଜ୍ୟୋତିଙ୍କୁ ନେଇଥିଲେ, ସେମାନେ ଏବେ ସେମାନଙ୍କ ଫିଲ୍ମରେ ସମ୍ବିତଙ୍କୁ ନେଉଛନ୍ତି। ଏବେ ଦେଖିବା କଥା ଏ ଦୁହିଁଙ୍କ ଭିତରୁ କିଏ ଆଗକୁ ଯାଉଛନ୍ତି।

Comment