ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଦେଶଭକ୍ତି ଉପରେ ଆଧାରିତ କେତେକ ସିନେମା ସତ୍ୟ ଘଟଣା ଉପରେ ଆଧାରିତଆସନ୍ତୁ ନଜର ପକାଇବା ସେହି ସିନେମାଗୁଡ଼ିକ ଉପରେ

ଭାରତୀୟ ସିନେମାର କାହାଣୀରେ ବିଭିନ୍ନ ପ୍ରସଙ୍ଗ ଉପସ୍ଥାପିତ ହୋଇଛି। ଏଥିମଧ୍ୟରୁ ଗୋଟିଏ ହେଲା ଦେଶପ୍ରେମ। ବଲିଉଡର ନିର୍ମାତା ତଥା ନିର୍ଦ୍ଦେଶକମାନେ ଅନେକ ସମୟରେ ଦେଶାତ୍ମବୋଧକ ସିନେମା ନିର୍ମାଣ କରିଛନ୍ତି, ଯାହା ସତ୍ୟ ଘଟଣା ଉପରେ ଆଧାରିତ। ଆସନ୍ତୁ ସେଥିରୁ କେତୋଟି ସିନେମା କଥା ମନେ ପକାଇବା…

ଗାଜି ଆଟାକ୍

ଏହି ଫିଲ୍ମର କଥାବସ୍ତୁ ୧୯୭୧ ମସିହାରେ ଭାରତ-ପାକ୍‌ ଯୁଦ୍ଧ ଉପରେ ଆଧାରିତ ଥିଲା। ଭାରତୀୟ ପନ୍‌ଜୁବି ଏସ ୨୧ ଓ ପାକିସ୍ତାନର ପିଏନ୍‌ ଏସ ଗାଜି ଭିତରେ ୧୮ ଦିନ ଧରି ଯୁଦ୍ଧ ହୋଇଥିଲା। କୁହାଯାଏ ଯେ ଏହି ଯୁଦ୍ଧ ହେଉଛି ପ୍ରଥମ ଯୁଦ୍ଧ, ଯାହା ସମୁଦ୍ର ଭିତରେ ସଂଘଠିତ ହୋଇଥିଲା। ୨୦୧୭ରେ ରିଲିଜ୍‌ ହୋଇଥିବା ଏହି ଯୁଦ୍ଧ ସିନେମାରେ ରାଣା ଦମୁବଟ୍ଟି, ଅତୁଲ୍‌ କୁଲକର୍ଣ୍ଣୀ, କେ କେ ମେନନ୍‌, ତାପସୀ ପନୁ, ରାହୁଲ ସିଂହ ଓ ସତ୍ୟଦେଓ ବାଞ୍ଚାରଣା ପ୍ରମୁଖ ଅଭିନୟ କରିଥିଲେ।

ଏଲ୍..ସି

୨୦୦୩ରେ ମୁକ୍ତିଲାଭ କରିଥିବା ‘ଏଲଓସି’ ମଧ୍ୟ ଭାରତ-ପାକ ଯୁଦ୍ଧ ଉପରେ ଆଧାରିତ ସିନେମା। ଏଥିରେ ୧୯୯୯ରେ ହୋଇଥିବା ଭାରତ-ପାକ୍‌ ଯୁଦ୍ଧକୁ ପ୍ରଦର୍ଶିତ କରାଯାଇଥିଲା। ଜେ.ପି. ଦତ୍ତାଙ୍କ ପ୍ରଯୋଜିତ ତଥା ନିର୍ଦ୍ଦେଶିତ ଏହି ସିନେମାରେ ସଞ୍ଜୟ ଦତ୍ତ, ଅଜୟ ଦେବଗନ୍‌, କରଣ ନାଥ୍‌, ନାଗାର୍ଜୁନ, ସୈଫ୍‌ ଅଲ୍ଲୀ ଖାନ୍, ସୁନୀଲ ସେଟ୍ଟୀ, ରାଣୀ ମୁଖାର୍ଜୀ, କରିନା କପୁର, ଇଶା ଦେଓଲ୍‌ ଓ ରବିନା ଟଣ୍ଡନ୍ ପ୍ରମୁଖ ଅଭିନୟ କରିଥିଲେ।

ରାଜି

ଚଳିତବର୍ଷ ମୁକ୍ତିଲାଭ କରିଥିବା ସୁପରହିଟ୍‌ ସିନେମା ‘ରାଜି’ ବି ସତ୍ୟ ଘଟଣା ଉପରେ ଆଧାରିତ ଏକ ଦେଶାତ୍ମବୋଧକ ସିନେମା। ଏହାର କଥାବସ୍ତୁ ୧୯୭୧ ସମୟରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧରେ ଜଣେ ଭାରତୀୟ ଗୁପ୍ତଚରଙ୍କ ଉପରେ ଆଧାରିତ। ଏହାର କାହାଣୀ ପ୍ରଖ୍ୟାତ ଲେଖକ ହଜନ୍ଦର୍‌ ସିକ୍କାଙ୍କ ଇଂରାଜୀ ଉପନ୍ୟାସ ‘କଲିଙ୍ଗ୍ ସହମତ୍’ ଉପରେ ଆଧାରିତ ଥିଲା।

ଏହି ଉପନ୍ୟାସ ସତ୍ୟ ଘଟଣା ଉପରେ ଆଧାରିତ। ସେଇଥିପାଇଁ ‘ରାଜି’ର ଟ୍ୟାଗ୍‌ ଲାଇନ୍‌ ଥିଲା ‘ଆନ୍‌ ଇନ୍‌କ୍ରେଡିଟ ଟ୍ରୁ ଷ୍ଟୋରି’। ଏହି ସିନେମାରେ ଆଲିଆ ଭଟ୍ଟ ଟାଇଟଲ୍‌ ରୋଲ୍‌ରେ ନଜର ଆସିଥିଲେ। ଭିକି କୌଶଲ୍‌, ରଜିତ୍‌ କପୁର, ଶିଶିର ଶର୍ମା ଓ ଜୟଦୀପ୍‌ ଅହଲୱତ୍‌ ପ୍ରମୁଖ ମଧ୍ୟ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଥିଲା। ମେଘନା ଗୁଲଜାର୍‌ ଥିଲେ ଏହାର ନିର୍ଦ୍ଦେଶକ।

ମଙ୍ଗଲ ପାଣ୍ଡେ ରାଇଜିଂ

୨୦୦୫ରେ ମୁକ୍ତିଲାଭ କରିଥିବା ‘ମଙ୍ଗଲ ପାଣ୍ଡେ ଦ ରାଇଜିଂ’ ଏକ ବାୟୋପିକ୍‌। ଏହା ହେଉଛି ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ମଙ୍ଗଲ ପାଣ୍ଡେଙ୍କ ଜୀବନର ସତ୍ୟ ଘଟଣା ଉପରେ ଆଧାରିତ ସିନେମା।

ବବି ଦେବୀଙ୍କ ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶନା ଦେଇଥିଲେ କେତନ ମେହେଟ୍ଟା। ଏଥିରେ ମିଷ୍ଟର ପରଫେକସନିଷ୍ଟ ଅମୀର ଖାନ୍‌ ନିଭାଇଥିଲେ ମଙ୍ଗଲ ପାଣ୍ଡେଙ୍କ ଭୂମିକା। ଏତଦ୍‌ ବ୍ୟତୀତ ରାଣୀ ମୁଖାର୍ଜୀ ଓ ଅମିଷା ପଟେଲ ଥିଲେ ଦୁଇ ନାୟିକା ଭୂମିକାରେ।

ଲିଜେଣ୍ଡ୍ ଅଫ୍ ଭଗତ ସିଂହ

୨୦୦୨ରେ ମୁକ୍ତିଲାଭ କରିଥିଲା ପ୍ରଖ୍ୟାତ କ୍ରାନ୍ତିକାରୀ ଶହିଦ୍‌ ଭଗତ ସିଂହଙ୍କ ଜୀବନୀ ଉପରେ ପର୍ଯ୍ୟବେସିତ ଦୁଇଟି ହିନ୍ଦୀ ସିନେମା। ଏଥିମଧ୍ୟରୁ ଗୋଟିଏ ହେଲା ‘ଦ ଲିଜେଣ୍ଡ ଅଫ୍ ଭଗତ୍‌ ସିଂହ’। ଏଥିରେ ଦକ୍ଷ ଅଭିନେତା ଅଜୟ ଦେବଗନ୍‌ ଶହୀଦ୍‌ ଭଗତ ସିଂହଙ୍କ ଭୂମିକା ନିଭାଇଥିଲେ।

ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ରାଜ୍‌ କୁମାର ସନ୍ତୋଷୀ। ଏହି ସିନେମାରେ ଉଚ୍ଚକୋଟିର ଅଭିନୟ କରି ଅଜୟ ଦେବଗନ୍‌ ଲାଭ କରିଥିଲେ ରାଷ୍ଟ୍ରୀୟ ପୁରସ୍କାର।

ଶହୀଦ୍

ଏହା ମଧ୍ୟ ଶହୀଦ୍‌ ଭଗତ ସିଂହଙ୍କ ଜୀବନୀ ଉପରେ ପର୍ଯ୍ୟବେସିତ ଥିଲା। ଏଥିରେ ବବି ଦେଓଲ୍‌ ବନିଥିଲେ ଶହୀଦ୍‌ ଭଗତସିଂହ। ଏହି ସିନେମାରେ ସନ୍ନି ଦେଓଲଙ୍କୁ ଚନ୍ଦ୍ରଶେଖର ଆଜାଦ୍‌ ଭୂମିକାରେ ଦେଖିବାକୁ ପାଇଥିଲେ ଦର୍ଶକ। ଗୁଡୁ ଧାନୋଆ ଏହାର ନିର୍ଦ୍ଦେଶନା ଦେଇଥିଲେ।

Comment