ଓଡ଼ିଶାଲାଇଭ୍‍ ବ୍ୟୁରୋ

ପେଟ୍ରାଲ ପମ୍ପକୁ ନେଇ ରାଜନୀତିରେ ଝଡ଼। ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି।

ସମଗ୍ର ଦେଶରେ ପେଟ୍ରୋଲ ପମ୍ପରେ ନିୟୋଜିତ ଥିବା କର୍ମଚାରୀଙ୍କ ବ୍ୟକ୍ତିଗତ ବିବରଣୀ ସଂଗ୍ରହକୁ ନେଇ ଏକ ବିବାଦ ଛିଡ଼ା ହୋଇଛି। ବିଗତ କିଛିଦିନ ଧରି ପ୍ରାୟ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ନିଜ ବିବରଣୀ ଯଥା ଜାତି, ଧର୍ମ ଓ ନିର୍ବାଚନ ମଣ୍ଡଳୀ ଆଦି ତଥ୍ୟ ସଂଗ୍ରହ କରାଯାଉଥିବା ବେଳେ ଏହାକୁ ଏକ ଖରାପ ପଦକ୍ଷେପ ବୋଲି ଶାସକ ବିଜେଡି କହିଛି।

ଦଳର ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହିଭଳି ଏକ ତଥ୍ୟ ସଂଗ୍ରହ ଅଭିଯାନ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ଶ୍ରୀ ପାତ୍ରଙ୍କ କହିବା କଥା ଯେ ଯେହେତୁ ନିର୍ବାଚନ ପାଖେଇ ଆସୁଛି ସେଥିପାଇଁ ଏଭଳି ଏକ ରାଜନୈତିକ ଉଦ୍ୟମ ଆରମ୍ଭ କରିଛନ୍ତି ମୋଦି ସରକାର। ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ନିର୍ବାଚନ ମଣ୍ଡଳୀ ଓ ଧର୍ମ ଆଜି ପଚରା ଯାଉଥିବାରୁ ଏହା ରାଜନୀତି ନୁହେଁ ତ ଆଉ କଣ ବୋଲି ସେ ପ୍ରଶ୍ନ କରିଛନ୍ତି।

ବିଜେପି ପକ୍ଷରୁ ଏନେଇ ଏକ ସ୍ପଷ୍ଟୀକରଣ ଦିଆଯାଇଛି। ସେଥିରେ କୁହାଯାଇଛି ଯେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଦକ୍ଷତା ବିକାଶ ପାଇଁ ଏହିଭଳି ତଥ୍ୟ ନିଆଯାଉଛି। ଏହି କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କ ମୂଳ ଦକ୍ଷତା କ’ଣ ତାହା ଜାଣିବା ଏହି କସରତର ଉଦ୍ଦେଶ୍ୟ, ଏଥିରେ କିଛି ରାଜନୀତି ନାହିଁ।

ଓଡ଼ିଶା ବିଜେପିର ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ରଙ୍କ କହିବା କଥା ଯେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟ ଏହି ବିବରଣୀ ସଂଗ୍ରହକୁ ନେଇ ସ୍ପଷ୍ଟୀକରଣ ଦେଇ ସାରିଥିବା ବେଳେ ଏଠି ଓଡ଼ିଶାରେ ତାକୁ ରାଜନୀତିକରଣ କରାଯାଇଥିବା ଦୁର୍ଭାଗ୍ୟଜନକ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କିନ୍ତୁ ଏହି ସୁମାରିକୁ ସମର୍ଥନ କରିବା ଦେଖିବାକୁ ମିଳିଛି। କର୍ମଚାରୀଙ୍କ ସବୁ ବିବରଣୀ ସଂଗ୍ରହ କରି ତାକୁ ପାଖରେ ରଖିବା କିଛି ଭୁଲ କାମ ନୁହେଁ ଓ ଏହା କରିବାର ଅଧିକାର ସରକାରଙ୍କର ଅଛି ବୋଲି ନିରଞ୍ଜନ କହିଛନ୍ତି। ତେବେ ଯଦି ରାଜନୀତି ଉଦ୍ଦେଶ୍ୟ ରଖି ସରକାର ଏହା କରୁଛନ୍ତି। ଏ ନେଇ ପ୍ରଶ୍ନ କରାଯିବା ଦରକାର ବୋଲି ସେ ମତ ଦେଇଛନ୍ତି।

ଜୁନ ୬ ତାରିଖରୁ ତିନିଟି ଯାକ ତୈଳ କମ୍ପାନି – ଇଣ୍ଡିଆନ ଅଏଲ, ବିପିସିଏଲ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ – ଦେଶର ୬୦ ହଜାର ପେଟ୍ରୋଲ ପମ୍ପରେ ନିଯୁକ୍ତ ଥିବା ୧୦ ଲକ୍ଷ କର୍ମଚାରୀଙ୍କ ସମସ୍ତ ବିବରଣୀ ସଂଗ୍ରହ କରିବା ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପାଇଁ ଏମାନଙ୍କ ପ୍ରାକ-ଦକ୍ଷତା କେତେ କ’ଣ ଅଛି ତାହା ଜାଣିବା ପାଇଁ ଏଭଳି ତଥ୍ୟ ସଂଗ୍ରହ କରାଯାଉଛି ବୋଲି କହିଛନ୍ତି ଜଣେ ଅଧିକାରୀ।

Comment