ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଖୁବଶୀଘ୍ର ବଡ଼ ପରଦାରେ ନଜର ଆସିବ ବଲିଉଡ ଫିଲ୍ମ ସୁଇଧାଗା। ଆସନ୍ତୁ ଜାଣିବା ଏହି ଫିଲ୍ମକୁ ନେଇ କିଛି ବିଶେଷ ବିବରଣୀ।

ଚଳିତ ମାସ ୨୮ ତାରିଖରେ ବଡ଼ ପରଦାରେ ରିଲିଜ୍ ହେବାକୁ ଯାଉଛି ବଲିଉଡ ଫିଲ୍ମ ‘ସୁଇଧାଗା’। ଏହି ଫିଲ୍ମରେ ବଲିଉଡର ଲୋକପ୍ରିୟ ଅଭିନେତା ବରୁନ୍ ଧାୱନ ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମା ପ୍ରମୁଖ ଚରିତ୍ରରେ ଅଭିନୟ କରିଛନ୍ତି।

ଏହି ଫିଲ୍ମଟି ଜଣେ ବୁଣାକାରର ଜୀବନୀ ଉପରେ ଆଧାରିତ। ଗୋଟିଏ ସାଧାରଣ ପରିବାରରେ ଜନ୍ମିତ ଲୋକଟି କିପରି ନିଜ ବାପା, ମା’ ଏବଂ ସ୍ତ୍ରୀର ଖର୍ଚ୍ଚ ଉଠାଇବା ଏବଂ ଭରଣପୋଷଣ କରିବା ପାଇଁ  ସିଲେଇ ଏବଂ ବୁଣାଇକୁ ନିଜର ପେସା ରୂପେ ଆପଣାଉଛନ୍ତି, ତାହା ଏହି ଫିଲ୍ମ ମାଧ୍ୟମରେ ଦର୍ଶାଯାଇଛି।

କିନ୍ତୁ ଯେତେବେଳେ ତା’ର କାରୁର୍କାଯ୍ୟକୁ ଚାଇନା ନିର୍ମିତ ବୋଲି କୁହାଯାଇଛି ସେ ଏହାର ପ୍ରତିବାଦ କରିଛନ୍ତି। ଶେଷରେ ସେ ନିଜେ ଏକ ‘ସୁଇଧାଗା’ ନାମକ ଏକ କମ୍ପାନୀ ଖୋଲି ସେଥିରେ ‘ମେଡ୍ ଇନ୍ ଇଣ୍ଡିଆ’ ର ଟ୍ୟାଗ୍ ଲଗାଇଛନ୍ତି। ଏହି ଫିଲ୍ମରେ ମୁଖ୍ୟତଃ ‘ମେଡ୍ ଇନ୍ ଇଣ୍ଡିଆ’ର ପ୍ରଚାର ଏବଂ ପ୍ରସାରକୁ ପ୍ରାଧାନ୍ୟ ଦିଆଯାଇଛି।

ଫିଲ୍ମରେ ବରୁନ୍ ବୁଣାକାରର ଭୂମିକା ନିଭାଉଥିବା ବେଳେ ଅନୁଷ୍କା ସ୍ତ୍ରୀ ଭୂମିକାରେ ନଜର ଆସିବେ। ଦର୍ଶକ ଫିଲ୍ମରେ ବରୁନ୍ ଏବଂ ଅନୁଷ୍କାଙ୍କୁ ସମ୍ପୂର୍ଣ୍ଣ ଏକ ଭିନ୍ନ ରୂପରେ ଦେଖିବାକୁ ପାଇବେ। ଗର୍ବର ବିଷୟ ହେଉଛି ଏହି ଫିଲ୍ମର ଅଫିସିଆଲ୍ ଲୋଗୋରେ ଦେଶର ବିଭିନ୍ନ ରାଜ୍ୟର ପାରମ୍ପାରିକ ଆର୍ଟଫର୍ମକୁ ଦର୍ଶାଯାଇଛି।

ଆତ୍ମବିଶ୍ୱାସ ସହିତ କିପରି ପ୍ରେମ ଏବଂ ସମ୍ମାନକୁ ଜିତା ଯାଇପାରିବ ତାହା ଅତି ସୁନ୍ଦର ଭାବେ ଚିତ୍ରିତ କରିଛନ୍ତି ଫିଲ୍ମର ନିର୍ଦ୍ଦେଶକ ଶ୍ରୀ ଶରତ୍ କତାରିଆ। ତେବେ ଫିଲ୍ମକୁ କେତେ ସଫଳତା ମିଳିବ ତାହା ତ ରିଲିଜ୍ ହେବା ପରେ ଜଣାଯିବ। କିନ୍ତୁ ଏହାର ଟ୍ରେଲର ଖୁବ୍ ଲୋକପ୍ରିୟତା ହାସଲ କରିଛି।

Comment