ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

କଙ୍ଗନା ରାନାୱତଙ୍କ ନୂଆ ସିନେମା ‘ମଣିକର୍ଣ୍ଣିକା’ ବିଭିନ୍ନ କାରଣରୁ ବିବାଦରେ ରହିଆସିଛି। ଆସନ୍ତୁ ନଜର ପକାଇବା ସେହି ବିବାଦ ଉପରେ…

ଝାନ୍‌ସୀ ରାଣୀ ଲକ୍ଷ୍ମୀବାଈଙ୍କ ବାୟୋପିକ୍‌ ହେଉଛି ‘ମଣିକର୍ଣ୍ଣିକା- ଦ କୁଇନ୍‌ ଅଫ୍‌ ଝାନ୍‌ସୀ’। ଜି ଷ୍ଟୁଡିଓସ୍ ସହିତ କମଲ ଜୈନ୍‌ ଓ ନିଶାନ୍ତ ପିଟ୍ଟି ମିଶି ଏହାର ନିର୍ମାଣ କରୁଛନ୍ତି। ୨୦୧୮ରେ ‘ମଣିକର୍ଣ୍ଣିକା’ର ସୁଟିଂ ଆରମ୍ଭ ହେବାମାତ୍ରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଗଲା। ଆସନ୍ତୁ ଜାଣିବା କାହିଁକି ବିବାଦରେ ‘ମଣିକର୍ଣ୍ଣିକା’।

ସର୍ବବ୍ରାହ୍ମଣ ମହାସଭାର ବିରୋଧ

ପ୍ରଥମେ ସର୍ବବ୍ରାହ୍ମଣ ମହାସଭା ପକ୍ଷରୁ ‘ମଣିକର୍ଣ୍ଣିକା’କୁ ବିରୋଧ କରାଯାଇଥିଲା। ଏହି ସଂଗଠନର ଅଭିଯୋଗ ଯେ, ଏହାର କାହାଣୀ ଇତିହାସ ସହିତ ମେଳ ଖାଉନାହିଁ। ଏହି ସଂଗଠନର ଅଧ୍ୟକ୍ଷ ସୁରେଶ ମିଶ୍ରା କହିଥିଲେ, ‘ମଣିକର୍ଣ୍ଣିକା’ର କିଛି ଦୃଶ୍ୟ ଓ ଗୀତର ସୁଟିଂ ସମୟରେ ସେ ଜାଣିବାକୁ ପାଇଲେ ଯେ ଏଥିରେ ରାଣୀ ଲକ୍ଷ୍ମୀବାଇଙ୍କର ଜଣେ ଇଂରେଜ ସହିତ ଆଫେଆର୍ ଥିବା ଦର୍ଶାଯିବ। ଏହି ବିବାଦ ଉଠିବା ମାତ୍ରେ ନିର୍ମାତା କମଲ ଜୈନ ସର୍ବବ୍ରାହ୍ମଣ ମହାସଭାର ରାଜ୍ୟ ଅଧ୍ୟକ୍ଷଙ୍କୁ ବୁଝାଇଥିଲେ ଇତିହାସର କଥା ସହିତ କିଛି ବି ଅମେଳ ରଖାଯିବ ନାହିଁ ସିନେମାରେ।

ନିର୍ଦ୍ଦେଶକଙ୍କୁ ନେଇ ବିବାଦ

‘ମଣିକର୍ଣ୍ଣିକା’ ଫିଲ୍ମର ନିର୍ଦ୍ଦେଶନା ଦେଉଥିଲେ କ୍ରିଶ୍। ଫିଲ୍ମର ସମସ୍ତ ସୁଟିଂ ଶେଷ ହେବା ବେଳକୁ ଚର୍ଚ୍ଚା ହେଲା ଯେ, ନିର୍ମାତା ଓ ନିଜେ କଙ୍ଗନା ରାନାୱତ ଏହାର କାମକୁ ନେଇ ସନ୍ତୁଷ୍ଟ ନୁହଁନ୍ତି। ଏଣୁ ସେମାନେ ଏହାର କିଛି ଅଂଶ ରିସୁଟ୍ କରିବାକୁ ଚାହାଁନ୍ତି, ଆଉ କେତେକ ପ୍ୟାଚ୍ଅପ୍‌ କାମ ବି ଅଛି।

ଏଥିପାଇଁ ନିର୍ମାତା ନିର୍ଦ୍ଦେଶକ କ୍ରିଶଙ୍କ ସହ ଯୋଗାଯୋଗ କରିଥିଲେ। ହେଲେ ସେତେବେଳକୁ କ୍ରିଶ୍ ଅନ୍ୟ ଏକ ଫିଲ୍ମ କାମରେ ବ୍ୟସ୍ତ ଅଛନ୍ତି। ଏହାପରେ କ୍ରିଶ୍‌ ଆଉ ରିସୁଟ୍ ବା ପ୍ୟାଚଅପ୍‌ ପାଇଁ ସମୟ ଦେଲେ ନାହିଁ। ଫଳତଃ ଅନ୍ୟସବୁ ନିର୍ଦ୍ଦେଶନା ଦାୟିତ୍ୱ ନିଜେ କଙ୍ଗନା ରାନାୱତ ବହନ କରିଥିବା କୁହାଯାଉଛି।

ସୋନୁସୁଦ୍‌ ଛାଡ଼ିଲେ

କଙ୍ଗନା ରାନାୱତ ଓ ଅଙ୍କିତା ଲୋଖଣ୍ଡେ ଷ୍ଟାରର୍ ମୁଭି ‘ମଣିକର୍ଣ୍ଣିକା’ରେ ସୋନୁ ସୁଦ୍‌ ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରୁଥିଲେ। କିନ୍ତୁ ଏହି ଫିଲ୍ମରୁ ଓହରିଯାଇଛନ୍ତି ସୋନୁ ସୁଦ୍‌।

କୁହାଯାଉଛି ଯେ, ସୋନୁ କଙ୍ଗନାଙ୍କର ବ୍ୟବହାରରେ ଅତିଷ୍ଠ ହୋଇ ‘ମଣିକର୍ଣ୍ଣିକା’ ଛାଡ଼ିଛନ୍ତି। ଖାଲି ସେତିକି ନୁହେଁ, ଏହି ସିନେମାର ନିର୍ଦ୍ଦେଶକ କ୍ରିଶ୍‌ ମଧ୍ୟ ‘ମଣିକର୍ଣ୍ଣିକା’ରୁ ଆଉଟ୍‌ ହୋଇଯାଇଛନ୍ତି। ଏବେ ଏହି ସିନେମାକୁ କମ୍ପ୍ଲିଟ୍ କରିବେ ନିଜେ କଙ୍ଗନା ରାନାୱତ ବୋଲି ଜଣାଯାଇଛି।

ଏହି ଘଟଣାକୁ ନେଇ କଙ୍ଗନା ରାନାୱତ କହିଛନ୍ତି ଯେ, ଜଣେ ମହିଳା ନିର୍ଦ୍ଦେଶକଙ୍କ ସହ କାମ କରିବାକୁ ଚାହାଁନ୍ତି ନାହିଁ ସୋନୁମୁଦ୍‌। ଏହି କାରଣରୁ ସେ ‘ମଣିକର୍ଣ୍ଣିକା’ ଛାଡ଼ିଛନ୍ତି। ସେ ଆଉ ଡେଟ୍ସ ବି ଦେଉନାହାନ୍ତି।

ଏଣେ ସୋନୁସୁଦ୍ ଏ ସମ୍ପର୍କରେ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ ‘ତାଙ୍କ ପାଇଁ ନିର୍ଦ୍ଦେଶକ ପୁରୁଷ କି ମହିଳା, ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। ଆଗରୁ ସେ ଫରାହ ଖାନ୍‌ଙ୍କ ଭଳି ମହିଳା ନିର୍ଦ୍ଦେଶକଙ୍କ ସହିତ କାମ କରିଛନ୍ତି। ଫରାହ ଆଜିବି ତାଙ୍କର ଭଲ ବନ୍ଧୁ।

ସୋନୁ ସୁଦ୍‌ ‘ମଣିକର୍ଣ୍ଣିକା’ ଛାଡ଼ିବା ପରେ ତାଙ୍କ ସ୍ଥାନରେ ଜଣେ ନବାଗତ କଳାକାରଙ୍କୁ ନେଇ ଫିଲ୍ମକୁ ରି-ସୁଟ୍ କରାଯିବ ବୋଲି କଙ୍ଗନା କହିଛନ୍ତି।

Comment