ଓଡ଼ିଶାଲାଇଭ୍ ବ୍ୟୁରୋ

ଅଭିଜିତ ଆୟାର ଗତକାଲି ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ବିଧାୟକଙ୍କ ବିରୋଧରେ ନିନ୍ଦନୀୟ ମନ୍ତବ୍ୟ ଦେଉଥିବାର ଏକ ଭିଡ଼ିଓ ପୋଷ୍ଟ କରି ଆଜି ଗିରଫ ହୋଇଛନ୍ତି।

ଅଭିଜିତ ଆୟାର ଗତକାଲି ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ବିଧାୟକଙ୍କ ବିରୋଧରେ ନିନ୍ଦନୀୟ ମନ୍ତବ୍ୟ ଦେଉଥିବାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ। ଯାହା ପରବର୍ତ୍ତୀ ସମୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

କୋଣାର୍କ ବିଷୟରେ ଅଶାଳୀନ ମନ୍ତବ୍ୟ ଦେଇଥିବା ତଥା ଓଡ଼ିଆ ଲୋକଙ୍କ ଧାର୍ମିକ ଭାବନା ପ୍ରତି କ୍ଷତି ପହଞ୍ଚାଇଥିବା ଅଭିଜିତ ଶେଷରେ ଗିରଫ ହୋଇଛନ୍ତି। ସେ କୋଣାର୍କ, ପୁରୀ ଓ ରାଜ୍ୟ ବିଧାୟକଙ୍କ ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଦେଇ ବିବାଦରେ ଛନ୍ଦି ହୋଇ ପଡ଼ିଥିଲେ।

ଏହାଛଡ଼ା ଦମ୍ ଅଛି ତ ଗିରଫ କର ବୋଲି ମଧ୍ୟ ଚ୍ୟାଲେଞ୍ଜ ଦେଇଥିଲେ ବୈଜୟନ୍ତଙ୍କ ବନ୍ଧୁ ଅଭିଜିତ୍। ତାଙ୍କୁ ଆଜି ଦିଲ୍ଲୀର ନିଜାମୁଦ୍ଦିନ ଥାନାରେ ଗିରଫ କରିସାରିବା ପରେ  ମେଡିକାଲ ଟେଷ୍ଟ ପାଇଁ ପଠାଯାଇଛି।

ତାଙ୍କୁ ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗରେ ଗିରଫ କରାଯାଇଛି। ଏବେ ତାଙ୍କୁ ଦିଲ୍ଲୀର ସାକେତ କୋର୍ଟରେ ହାଜର କରାଯାଇଛି। ତାଙ୍କୁ ଟ୍ରାନଜିଟ୍ ରିମାଣ୍ଡରେ ଆଣିପାରେ ଓଡ଼ିଶା ପୋଲିସ।

ଗତ ୧୫ ତାରିଖରେ ବୈଜୟନ୍ତଙ୍କ ହେଲିକପ୍ଟର ଚିଲିକାରେ ଉଡ଼ୁଥିବାର ଘଟଣା ସାରା ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ହେଲିକପ୍ଟରରେ ବୈଜୟନ୍ତଙ୍କ ସହ ଅଭିଜିତ ଆୟାର ମିତ୍ର ମଧ୍ୟ ବସିଥିଲେ। ସେହି ହେଲିକପ୍ଟର ସେ ଚିଲିକା, କୋଣାର୍କ, ପୁରୀ ଓ ଅନ୍ୟନ୍ୟା ସ୍ଥାନ ବି ବୁଲିଥିଲେ।

ସେ କୋଣାର୍କ ମନ୍ଦିରରେ ଖୋଦେଇ ହୋଇଥିବା ଚିତ୍ରକୁ ନେଇ ସମାଲୋଚନା କରିଥିଲେ। ମନ୍ଦିରରେ ଏପରି ଅଶ୍ଳୀଳ ଚିତ୍ର ଖୋଦିତ ହୋଇଛି, ଏହା କିପରି ଏକ ପବିତ୍ର ସ୍ଥାନ ହୋଇପାରିବ ବୋଲି ସେ ଭିଡ଼ିଓରେ ଜରିଆରେ କହିଥିଲେ। ଏହାଛଡ଼ା ଓଡିଶାକୁ ନୀଚା ଦେଖାଇବାକୁ ଯାଇ କହିଥିଲେ ଓଡିଶାକୁ ଆବିଷ୍କାର କରିଥିଲେ ବଙ୍ଗାଳି ଏବଂ ଜଗନ୍ନାଥ ପ୍ରକୃତରେ କଲିକାତାର ଦେବତା ଭଳି ଅନେକ ମନ୍ତବ୍ୟ ଦେଇଥିଲେ ସେ।

ତାଙ୍କର ଏଭଳି ମନ୍ତବ୍ୟକୁ ନେଇ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ଆଜି ବିଧାନସଭାରେ ଏହାକୁ ନେଇ ସବୁ ଦଳ ନିନ୍ଦା କରିଥିଲେ। ଏପରିକି ସ୍ୱାଧିକାର ଭଙ୍ଗ ନୋଟିସ ବି ଆଣିଥିଲେ ବିରୋଧୀ ଦଳ ନେତା। ଶେଷରେ ତାଙ୍କୁ ଗିରଫ କରାଯାଇଛି।

Comment