ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ୱଚ୍ଛ ଓ ନିର୍ମଳ ରଖିବାର ସଂକଳ୍ପ ନେଇ ମାଲକାନଗିରିସ୍ଥିତ ଏକ ଆଦିବାସୀ ଅଞ୍ଚଳର ଲୋକମାନେ ଗାଁକୁ ପରିଷ୍କାର କରିଛନ୍ତି।
ମାଲକାନଗିରି ଜିଲ୍ଲାର କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଗୋରାଖୁଣ୍ଟା ପଞ୍ଚାୟତର କୁର୍ସୁୱାଡ଼ା ଗ୍ରାମର ଲୋକମାନେ ଗାଁକୁ ସଫା ସୁତୁରା ରଖିବାର ସଂକଳ୍ପ ନେଇ ଗତକାଲି ସମଗ୍ର ଅଞ୍ଚଳକୁ ପରିଷ୍କାର ଓ ପରିଛନ୍ନ କରିଛନ୍ତି। ଏଭଳି ପଦକ୍ଷେପ ମାଲକାନଗିରି ଜିଲ୍ଲାରେ ବେଶ୍ ଚହଳ ପକାଇଥିଲା।
କାହା ହାତରେ ଥିଲା କୋଡ଼ିକି ତ ଆଉ କାହା ହାତରେ ଥିଲା ଗାମେଲା। ପୁଣି କେହି କେହି ଧରିଛନ୍ତି କୋଦାଳ ଆଉ କିଏ ଦା। କିଏ ଅଳିଆ ଆବର୍ଜନା ଗୋଟାଉଥିଲା ତ ଆଉ କିଏ ଲଟା ବୁଦା ସଫେଇ କାର୍ଯ୍ୟ କରୁଥିଲେ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ସେହି ଅଞ୍ଚଳରେ। ଏହାପରେ ବ୍ଲିଚିଂ ପାଉଡ଼ର ସିଞ୍ଚନ କାର୍ଯ୍ୟ ମଧ୍ୟ ହୋଇଥିଲା।

ଛୋଟ ଛୁଆଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ଲାଗିପଡ଼ିଥିଲେ ଗାଁକୁ ସଫା କାର୍ଯ୍ୟକ୍ରମରେ। ଏଭଳି ନିଆରା ପଦକ୍ଷେପ ଏବେ ବହୁତ କମ ଶୁଣିବାକୁ ମିଳୁଛି। ଏହା କୌଣସି ପାଠୁଆ କିମ୍ବା ବୁଦ୍ଧିଜୀବୀ ରହୁଥିବା ଅଞ୍ଚଳ ନୁହେଁ। ଏହା ଗୋଟିଏ ନିପଟ ଆଦିବାସୀ ଅଧ୍ୟୁଷିତ ଗ୍ରାମର ଦୃଶ୍ୟ।
ସବୁଠାରୁ ବଡ଼ କଥା ହେଲା, ଏହି କାର୍ଯ୍ୟ ପାଇଁ ସେମାନଙ୍କୁ କେହି ପ୍ରେରଣା କି ନିର୍ଦ୍ଦେଶ ଦେଇନାହାନ୍ତି। ୨୦୦ ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମକୁ ପରିଷ୍କାର ରଖିବା ଲାଗି ନିଜ ଆଡୁ ସ୍ଥିର କରିବାସହ ତାହାକୁ ବାସ୍ତବ ରୂପ ମଧ୍ୟ ଦେଇଛନ୍ତି ଗ୍ରାମବାସୀ।
ଗ୍ରାମବାସୀଙ୍କ ଏଭଳି ପଦକ୍ଷେପ ବେଶ୍ ଚହଳ ପକାଇଥିବା ବେଳେ କୁର୍ସୁୱାଡ଼ା ଏବେ ଅନ୍ୟ ଗ୍ରାମବାସୀଙ୍କ ପାଇଁ ଆଦର୍ଶ ପାଲଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛତା କାର୍ଯ୍ୟକ୍ରମର ପ୍ରଭାବ ପୁରପଲ୍ଲୀ ପର୍ଯ୍ୟନ୍ତ ପଡ଼ିଥିବା କୁର୍ସୁୱାଡ଼ା ଗ୍ରାମରୁ ସ୍ପଷ୍ଟ ହେଉଛି।

ଏହାବ୍ୟତୀତ କେବଳ ଥରେ ଅଧେ ସଫେଇ କାର୍ଯ୍ୟ ସାରିଦେବା ନୁହେଁ, ପ୍ରତିମାସ ଏକ ନିର୍ଦ୍ଦିଷ୍ଟ ଦିନରେ ସମସ୍ତ ଗ୍ରାମବାସୀ ସଫେଇ କରିବେ ବୋଲି ନିଷ୍ପତ୍ତି ମଧ୍ୟ ନେଇଛନ୍ତି। ମାଲକାନଗିରି ଜିଲ୍ଲାରେ ଗତ ଦୁଇ ବର୍ଷ ତଳେ ଜାପାନୀ ରୋଗରେ ଶହ ଶହ ଶିଶୁ ମୃତ୍ୟୁବରଣ କରିଥିଲେ।
ଗୋରାଖୁଣ୍ଟା ଗ୍ରାମ ପଞ୍ଚାୟତର ସରପଞ୍ଚ ଏରା ପଡ଼ିଆମି କହିଛନ୍ତି, “ତେଣୁ ପ୍ରତ୍ୟେକ ଘର, ଘରଦାଣ୍ଡରୁ ଆରମ୍ଭ କରି ସମଗ୍ର ଗାଁକୁ ସଫା ରଖିବାକୁ ସମସ୍ତେ ସଂକଳ୍ପ ନେଇଛନ୍ତି।“


















