ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଆଗକୁ ଆସୁଛି ଦଶହରା। ଏଥର ପୂଜାରେ ଦୁଇଟି ଓଡ଼ିଆ ସିନେମା ରିଲିଜ୍ ହେବାର ରହିଛି। ଆସନ୍ତୁ ଆଗାମୀ ପୂଜା ବଜାରର ନାୟକ, ନାୟିକାରେ ଭିତରେ ଲଢ଼େଇ ବିଷୟରେ ଜାଣିବା…

ଏଥର ଦଶହରାରେ

୨୦୧୮ ଦଶହରା ଅବସରରେ ଦୁଇଟି ଓଡ଼ିଆ ସିନେମା ରିଲିଜ୍‌ ହେବା। ଏ ଦୁଇଟି ସିନେମା ହେଲା ‘ଶ୍ରୀମାନ୍ ସୁରଦାସ’ ଓ ‘ପ୍ରେମକୁମାର’। ଏ ଦୁଇଟି ଯାକ ଫିଲ୍ମର ପ୍ରଯୋଜନା ସଂସ୍ଥା ଗୋଟିଏ। ହଁ ତରଙ୍ଗ ସିନେ ପ୍ରଡକ୍ସନସ ଉଭୟ ଓଡ଼ିଆ ସିନେମାର ପ୍ରଯୋଜନା କରିଛନ୍ତି।

ପୁଣିଥରେ ଅନୁଭବ ବନାମ ବାବୁସାନ୍

ଗତ କିଛିବର୍ଷ ହେବ ଦଶହରାରେ ଓଲିଉଡର ଦୁଇ ସୁପରଷ୍ଟାରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଥିବାର ଦେଖିବାକୁ ମିଳୁଛି। ଏଥର ବି ଏହି ଦୁଇ ଲୋକପ୍ରିୟ ନାୟକ ପୁଣି ମୁହାଁମୁହିଁ ହେଉଛନ୍ତି। ଏହି ଦୁଇ ନାୟକ ହେଲେ ଅନୁଭବ ଓ ବାବୁସାନ୍।

ଏଥର ଦଶହରାରେ ଅନୁଭବଙ୍କୁ ଦର୍ଶକ ‘ପ୍ରେମକୁମାର’ରେ ନାୟକ ଭୂମିକାରେ ଆସୁଛନ୍ତି। ଏଥିରେ ଦୁଇଟି ଭୂମିକାରେ ଅଛନ୍ତି ଅନୁଭବ। ଏଥିରେ ଗୋଟିଏ ଭୂମିକାରେ ସେ ପ୍ରେମ ଓ ଆରଟିରେ ଅଛନ୍ତି କୁମାର ଭୂମିକାରେ। ବହୁଦିନ ବ୍ୟବଧାନରେ ଅନୁଭବ ଡବଲ ରୋଲରେ ଆସୁଛନ୍ତି। ଏହି ସିନେମାର ନିର୍ଦ୍ଦେଶକ ହେଲେ ତାପସ ସରଘରିଆ।

ଅପରପକ୍ଷରେ ବାବୁସାନଙ୍କ ଅଭିନୀତ ‘ଶ୍ରୀମାନ୍ ସୁରଦାସ’ ରିଲିଜ୍ ହେଉଛି ଦଶହରାରେ। ଏଥିରେ ଟାଇଟଲ ରୋଲରେ ଆସୁଛନ୍ତି ବାବୁସାନ୍। ପ୍ରଥମଥର ପାଇଁ ଜଣେ ଦୃଷ୍ଟିହୀନ ଯୁବକ ଭୂମିକାରେ ନଜର ଆସିବେ ବାବୁସାନ୍। ଏହି ଫିଲ୍ମରେ ଆଉ ଜଣେ ନାୟକ ବି ଅଛନ୍ତି ସେ ହେଲେ ବୁଦ୍ଧାଦିତ୍ୟ ମହାନ୍ତି।

ପ୍ରକାରାନ୍ତରେ କହିବାକୁ ଗଲେ ଏଥର ପୂଜା ବଜାରରେ ନାୟକଙ୍କ ସଂଖ୍ୟା ତିନି। ଅନୁଭବ ଓ ବାବୁସାନ୍‌ଙ୍କ ମଧ୍ୟରେ ଯେଉଁ ଲଢ଼େଇ ହେଉଛି ସେଥିରେ କିଏ ବାଜିମାତ୍ କରୁଛନ୍ତି, ତାହା ଅବଶ୍ୟ ଦେଖିବା ଭଳି ହେବ।

୨୦୧୮ର ପୂଜା ବଜାରରେ ମୁଖ୍ୟତଃ ତିନି ନାୟିକାଙ୍କୁ ଦର୍ଶକଙ୍କୁ ପରଦା ଉପରେ ଦେଖିବାକୁ ପାଇବେ। ଏହି ତିନି ଜଣ ହେଲେ ତମନ୍ନା, ଶିବାନୀ ଓ ଭୂମିକା।

ତମନ୍ନା ତରଙ୍ଗ ଚାନେଲର ରିଆଲିଟି ଶୋ’ ‘କିଏ ହବ ମୋ’ ହିରୋର ରନର୍ସ ଅପ୍ ହେବା ପରେ ଓଲିଉଡରେ ଏଣ୍ଟ୍ରି ନେଇଥିଲେ। ସେ ପ୍ରଥମେ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଜୋକର୍’ ପାଇଁ କ୍ୟାମେରା ଫେସ୍‌ କରିଥିଲେ, ମାତ୍ର ତାହା ରିଲିଜ୍‌ ହୋଇନାହିଁ। ଅବଶ୍ୟ ପରେ ତମନ୍ନାଙ୍କୁ ନିଝୁମ ରାତିର ସାଥୀ, ଭାଇନା କ’ଣ କଲା ସେ’ ଏବଂ ବ୍ଲାକ୍ ମେଲ୍‌ ଆଦି ସିନେମା ଦେଖିବାକୁ ପାଇଛନ୍ତି ଦର୍ଶକ।

ପୂଜା ବଜାରର ଯେଉଁ ସିନେମାରେ ତମନ୍ନାଙ୍କୁ ଦର୍ଶକ ଦେଖିବାକୁ ପାଇବେ, ତାହା ହେଲା ‘ପ୍ରେମକୁମାର’। ତରଙ୍ଗ ସିନେ ପ୍ରଡକ୍ସନ୍ ପ୍ରଯୋଜିତ ତଥା ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ତମନ୍ନା ଅଛନ୍ତି ଅନୁଭବ ମହାନ୍ତିଙ୍କ ବିପକ୍ଷରେ। ଏଥିରେ ତାଙ୍କୁ ଜଣେ ମଡର୍ଣ୍ଣ ଯୁବତୀ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ।

‘ପ୍ରେମ କୁମାର’ରେ ଅନ୍ୟ ଜଣେ ନାୟିକାଙ୍କୁ ବି ଭେଟିବେ ଦର୍ଶକ। ଏହି ନାୟିକା ଜଣକ ହେଲେ ଶିବାନୀ। ଶିବାନୀ ତରଙ୍ଗ ସିନେ ପ୍ରଡକ୍ସନ୍ସର ଫିଲ୍ମ ‘ସିଷ୍ଟର ଶ୍ରୀଦେବୀ’ରେ ବାବୁସାନଙ୍କ ସହ ନଜର ଆସିଥିଲେ। ପ୍ରେମକୁମାର ହେଉଛି ଶିବାନୀଙ୍କ ଦ୍ୱିତୀୟ ସିନେମା, ଏଥିରେ ଅନୁଭବଙ୍କ ନାୟିକା ବନିଛନ୍ତି ଶିବାନୀ।

‘ପୂଜା ବଜାର’ର ଅନ୍ୟତମ ପ୍ରତୀକ୍ଷିତ ସିନେମା ହେଲା ‘ଶ୍ରୀମାନ ସୁରଦାସ’। ତରଙ୍ଗ ସିନେ ପ୍ରଡକ୍ସନ୍ସ ବ୍ୟାନରରେ ନିର୍ମିତ ତଥା ଅଶୋକ ପତିଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ନାୟିକା ଭୂମିକାରେ ଅଛନ୍ତି ଓଲିଉଡର ଟିନ୍‌ଏଜର ଗର୍ଲ ଭୂମିକା।

ଏହି ଫିଲ୍ମରେ ଦ୍ୱିତୀୟ ଥର ପାଇଁ ଭୂମିକାଙ୍କୁ ବାବୁସାନଙ୍କ ବିପକ୍ଷରେ ନାୟିକା ଭୂମିକାରେ ଦେଖିବାକୁ ମିଳିବ। ଏଥିରେ ଭୂମିକାଙ୍କ ଚରିତ୍ରଟି ବେଶ୍‌ ଦମ୍‌ଦାର୍‌ ବୋଲି କୁହାଯାଉଛି। ତିନି ନାୟିକାଙ୍କ ଭିତରୁ ଦର୍ଶକ ପୂଜା ବଜାରରେ କାହାକୁ ସବୁଠୁଁ ଅଧିକ ପସନ୍ଦ କରିବେ ତା’ ଦେଖିବାକୁ ବାକି ଅଛି।

Comment