ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଗୋପାଳପୁରଠାରୁ ୧୭୦ କିଲୋମିଟର ଦୂରରେ ତିତ୍‌ଲି
  • ଗୋପଳାପୁରରେ ପବନର ବେଗ ୧୦୦ କିଲୋମିଟରରୁ ଅଧିକ
  • ସମୁଦ୍ରକୂଳରେ ଜଗି ରହିଛନ୍ତି କୋଷ୍ଟଗାର୍ଡ ଏବଂ ପୋଲିସ
  • ସମୁଦ୍ରକୂଳରୁ ଲୋକଙ୍କୁ ସ୍ଥାନାନ୍ତର କରାଗଲା

ମାଡ଼ି ଆସୁଛି ‘ତିତ୍‌ଲି’। ଗୋପାଳପୁରଠାରୁ ୧୭୦ କିଲୋମିଟର ଦୂରରେ ରହିଛି ଏହି ସାମୁଦ୍ରିକ ଝଡ଼। ସମୁଦ୍ରରେ ଉଗ୍ରରୂପ ଧାରଣ କରି ଓଡ଼ିଶା ଉପକୂଳ ଆଡ଼େ ମୁହାଁଇଛି ବାତ୍ୟା ତିତ୍‌ଲି। ଏହାର ପ୍ରଭାବରେ ଗୋପାଳପୁରରେ ବଢ଼ିଛି ପବନର ବେଗ।

ଗୋପାଳପୁରର ସମୁଦ୍ରକୂଳ ଅଞ୍ଚଳରେ ପ୍ରାୟ ୧୦୦ କିଲୋମିଟର ବେଗରେ ପବନ ବହୁଛି। ଏହାସହ ବର୍ଷା ମଧ୍ୟ ଲାଗି ରହିଛି। ପବନ ଏବଂ ବର୍ଷାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଛନ୍ତି।

ସାମୁଦ୍ରିକ ଝଡ଼ ‘ତିତ୍‌ଲି’ ଯେତିକି ନିକଟତର ହେବ ସେହି ଅନୁସାରେ ପବନର ବେଗ ବଢ଼ିବ। ବର୍ଷାର ପରିମାଣ ମଧ୍ୟ ଅଧିକ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗୁରୁବାର ସକାଳ ସାଢ଼େ ୫ଟାରୁ ସକାଳ ସାଢ଼େ ୮ଟା ମଧ୍ୟରେ ସ୍ଥଳଭାଗ ଛୁଇଁବ ତିତ୍‌ଲି। ସ୍ଥଳଭାଗ ଛୁଇଁବା ବେଳକୁ ପବନର ବେଗ ୧୬୫ କିଲୋମିଟର ରହିବ।

ଗୋପାଳପୁର ସମୂଦ୍ରକୂଳ ଅଞ୍ଚଳର ଲୋକଙ୍କୁ ପ୍ରଶାସନ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିଛି। ରାତି ବଢ଼ିବା ସହ ପବନର ବେଗ ବଢ଼ୁଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ଘଣ୍ଟାକୁ ୬୦ରୁ ୮୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଗୁରୁବାର ସନ୍ଧ୍ୟା ପର୍ଯ୍ୟନ୍ତ ପବନ ଲାଗି ରହିବ।

Comment