ଓଡ଼ିଶାଲାଇଭ୍‌ ବ୍ୟୁରୋ

ତିତ୍‌ଲିକୁ ରାଜନୀତି ଜୋର୍ ଧରିଛି। ସରକାରଙ୍କ ଜିରୋ କାଜୁଆଲିଟିକୁ ବିରୋଧୀ ଟାର୍ଗେଟ କରିଥିବା ବେଳେ ବିଜେଡି କହିଛି ତୁଚ୍ଛା ରାଜନୀତି।

ଓଡ଼ିଶାରୁ ତିତ୍‌ଲି ବିପଦ ଟଳିଯାଇଛି। ବନ୍ୟାଞ୍ଚଳରେ ସ୍ଥିତି ମଧ୍ୟ ସୁଧୁରୁଛି। ହେଲେ ତିତ୍‌ଲିକୁ ନେଇ ରାଜନୀତି ତେଜିଛି। ବିଜେପି ରାଜ୍ୟ ସରକାରଙ୍କ ଜିରୋ କାଜୁଆଲିଟିକୁ ସମାଲୋଚନା କରିଥିବା ବେଳେ ବିଜେଡି ଜବାବ ଦେଇଛି। ତିତ୍‌ଲି ଝଡ଼ ରାଜ୍ୟକୁ ଯେତିକି ତତେଇ ନଥିଲା ତାକୁ ନେଇ ଆରମ୍ଭ ହୋଇଥିବା ଆରୋପ ପ୍ରତ୍ୟାରୋପରେ ରାଜନୀତି ପାଣିପାଗ ଉଷ୍ମ ହୋଇଯାଇଛି।

ତିତ୍‌ଲି ପ୍ରଭାବରେ ଗଞ୍ଜାମ, ଗଜପତି ଏବଂ ରାୟଗଡ଼ାରେ ହେଲା ପ୍ରବଳ ବର୍ଷା। ବର୍ଷା ବଂଶଧାରା ଏବଂ ଋଷିକୂଲ୍ୟା ନଦୀରେ ଆଣିଲା ବନ୍ୟା। ବନ୍ୟାରେ ଏହି ତିନି ଜିଲ୍ଲା ଏବେ ଉବୁଟୁବୁ ହେଉଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ୟାଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବା ପରେ ୧୫ ଦିନ ପାଇଁ ରିଲିଫ୍ ଘୋଷଣା କରିଛନ୍ତି। ଆକାଶମାର୍ଗରୁ ବନ୍ୟା ପୀଡ଼ିତଙ୍କ ଦୁର୍ଦ୍ଦଶା ଦେଖି ଫେରିବା ପରେ ବିଜେପି ରାଜ୍ୟ ସରକାରଙ୍କୁ ବାଣ ମାରିଛି।

ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ରାଜ୍ୟ ସରକାରଙ୍କ ଜିରୋ କାଜୁଆଲିଟିକୁ ସମାଲୋଚନା କରିଛନ୍ତି। ବନ୍ୟା ପରିଚାଳନାରେ ରାଜ୍ୟ ସରକାର ଫେଲ୍ ମାରିଥିବାରୁ ଏସ୍‌ଆର୍‌ସିଙ୍କ ଇସ୍ତଫା ଦାବି କରିଛି ବିଜେପି।

ତିତ୍‌ଲି ପ୍ରଭାବରେ କୌଣସି କ୍ଷୟକ୍ଷତି ଯେପରି ନହୁଏ ସେଥିପ୍ରତି ସଜାଗ ରହିବାକୁ ସରକାରୀ କର୍ମଚାରୀଙ୍କୁ ତାଗିଦ କରିଥିଲେ ମୁଖ୍ୟମନ୍ତ୍ରୀ। କିନ୍ତୁ ପ୍ରବଳ ବର୍ଷା ଯୋଗୁଁ ଗଜପତି ଜିଲ୍ଲାରେ ପାହାଡ଼ ଧସି ୧୨ ଜଣଙ୍କର ମୃତ୍ୟୁ ହେବା ଘଟଣାକୁ ଏବେ ବିଜେପି ପ୍ରସଙ୍ଗ କରିଛି। ଏହା ରାଜ୍ୟ ସରକାରଙ୍କର ଦାୟିତ୍ୱହୀନତାର ପରିଚୟ ବୋଲି ବିଜେପି କହିଛି।

“ରାଜ୍ୟ ସରକାରଙ୍କ ବେପରୁଆ ବିପର୍ଯ୍ୟୟ ପରିଚାଳନା ନୀତି ଏବଂ ଏସ୍‌ଆର୍‌ସିଙ୍କ ଦାୟିତ୍ବହୀନତା ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟ ସରକାରଙ୍କର ଅପରିଣାମଦର୍ଶିତା ଯୋଗୁଁ ତିନୋଟି ଜିଲ୍ଲାରେ ସ୍ଥିତି ସଙ୍ଗିନ ହୋଇଯାଇଛି। ଏଥିପାଇଁ ଏସ୍‌ଆର୍‌ସି ଇସ୍ତଫା ଦେବା ଦରକାର”, କହିଛନ୍ତି ଗୋଲକ ମହାପାତ୍ର।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଟୁଇଟ୍ କରି ସରକାରଙ୍କୁ ସମାଲୋଚନା କରିଛନ୍ତି।

“ଜିରୋ କାଜୁଆଲିଟି କଥା କହିଥିଲେ ମୁଖ୍ୟମନ୍ତ୍ରୀ। ହେଲେ ଏହାକୁ ସରକାର କେମିତି ପରିଚାଳନା କଲେ ତାହା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଗଞ୍ଜାମ ଜିଲ୍ଲାରୁ ବେଶ୍ ଜଣାପଡ଼ୁଛି। ସରକାରୀ କର୍ମଚାରୀମାନେ ଏଥିପ୍ରତି କେତେ ତତ୍ପର ଥିଲେ ସ୍ପଷ୍ଟ ଅନୁମାନ କରି ହେଉଛି”, କହିଛନ୍ତି ନିରଞ୍ଜନ ପଟ୍ଟନାୟକ।

ବିଜେଡି ମଧ୍ୟ ଜବାବ ଦେଇଛି। ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, “ବିରୋଧୀ ଦଳ ଅଯଥା ରାଜନୀତି କରୁଛନ୍ତି। ବିଭିନ୍ନ ସ୍ୱେଚ୍ଛାସେବୀ, ସରକାରୀ କର୍ମଚାରୀ, ଜନପ୍ରତିନିଧି ଅକ୍ଲାନ୍ତ ପରିଶ୍ରମ କରି ୩ ଲକ୍ଷ ଲୋକଙ୍କୁ ସୁରକ୍ଷିତ ଲୋକଙ୍କୁ ସ୍ଥାନାନ୍ତର କଲେ। ହେଲେ ବିରୋଧୀ ଦଳ ଘରେ ବସି ଏମାନଙ୍କୁ ପ୍ରଶଂସା କରିବା ବଦଳରେ ସମାଲୋଚନା କରିବା ଠିକ୍ ନୁହେଁ।”

ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ନେତୃତ୍ୱରେ ଏକ ଟିମ୍ ଚିକିଟି, ରଙ୍ଗେଇଲୁଣ୍ଡା, ଦିଗପହଣ୍ଡି ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଜିରୋ କାଜୁଆଲିଟିକୁ ସମାଲୋଚନା କରିଛନ୍ତି।

Comment