ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

Odisha CM Naveen Patnaik - a Portrait bu OdishaLive

ଦିନେ ରାଜନୀତିରେ ନବୀନ ଥିବା ନବୀନ ପଟ୍ଟନାୟକ ଆଜି ବିରୋଧୀଙ୍କ ପାଇଁ ପାଲଟିଛନ୍ତି ଏକ ଅଭେଦ୍ୟ ଦୁର୍ଗ!ଆଗାମୀ ୨୦୧୯ ନିର୍ବାଚନ ପରିପ୍ରେକ୍ଷୀରେ ଏହି ବିସ୍ମୟକୁ ଭେଦ କରିବା ପାଇଁ ଆଜିଠାରୁ ଲାଗିପଡ଼ିଲେଣି ବିରୋଧୀ।

ରାଜନୀତିରେ ବୟସର କିଛି ମାପଦଣ୍ଡ ନଥାଏ। ଏହାକୁ ପ୍ରମାଣିତ କରିଛନ୍ତି ନବୀନ ପଟ୍ଟନାୟକ। ୫୦ ବର୍ଷ ବୟସ ପରେ ସେ ଓଡ଼ିଶା ରାଜନୀତିରେ ପ୍ରବେଶ କରିଥିଲେ। ତାହା ମଧ୍ୟ ଥିଲା ଆକସ୍ମିକ। ହେଲେ ଆଜି ନବୀନ ଦେଶର ଜଣେ ସଫଳ ରାଜନେତା ଭାବେ ପରିଚିତ। ତା’ ସାଙ୍ଗକୁ ଗତ ୨୦୦୦ ମସିହାରୁ ଲଗାତର ଭାବେ ୧୮ ବର୍ଷ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହି ସେ ରାଜନୈତିକ ତରାଜୁରେ ଜଣେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।

୨୦୦୦ ଏବଂ ୨୦୦୪ ମସିହାରେ ବିଜେପି ସହିତ ମେଣ୍ଟ କରି ନବୀନ ରାଜ୍ୟରେ ସରକାର ଗଢ଼ିଥିଲେ। ତେବେ ଗତ ଦୁଇଟି ନିର୍ବାଚନରେ ଏକକ ଭାବେ ଲଢ଼ି ବିଜୁ ଜନତା ଦଳକୁ ଏପର୍ଯ୍ୟନ୍ତ ରାଜ୍ୟର ଅପ୍ରତିଦ୍ଵନ୍ଦ୍ଵୀ ଦଳ ବୋଲି ପ୍ରମାଣିତ କରିଛନ୍ତି। ଚାରି ଚାରି ଥର ମୁଖ୍ୟମନ୍ତ୍ରୀ ହୋଇ ନବୀନ ଜନମତକୁ ନିଜ ସପକ୍ଷରେ ରଖିବା ସହିତ ବିରୋଧୀଙ୍କ ପାଇଁ ଆଜି ବି ଏକପ୍ରକାର ରାଜନୈତିକ ବିସ୍ମୟ ପାଲଟିଛନ୍ତି।

Odisha CM Naveen Patnaik taking Oath in 2000
୨୦୦୦ ମସିହାରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉଛନ୍ତି ନବୀନ।

ଗତ ନିର୍ବାଚନଗୁଡ଼ିକରେ ଗୋଟିକ ପରେ ଗୋଟିକରେ ଅଧିକରୁ ଅଧିକ ଲୋକପ୍ରିୟତା ପ୍ରମାଣିତ କରିଛନ୍ତି ନବୀନ। ବିରୋଧୀଙ୍କ ସବୁପ୍ରକାର ଷ୍ଟ୍ରାଟେଜି ଏବଂ ପରିଶ୍ରମ ବିଜେଡିର ବିଜୟକୁ ଅଟକାଇ ପାରିନାହିଁ। ଗତ ପଞ୍ଚାୟତ ନିର୍ବାଚନରେ ରାଜ୍ୟର କେତେକ ସ୍ଥାନରେ ବିଜେପିର ବିଜୟ ସାମୟିକ ଭାବେ ଏକ ନୂଆ ରାଜନୈତିକ ଗଣିତର ସଙ୍କେତ ଦେଉଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ତାହା ପୁଣି ମଉଳିଯାଇଛି। ତେଣୁ ବିଜେପି ପାଇଁ ସାମୟିକ ଭାବେ ଯେଉଁ ଆଶା ସଞ୍ଚାର ହୋଇଥିଲା ତାକୁ ନେଇ ଚିତ୍ର ଅସ୍ପଷ୍ଟ ରହିଛି। ଅନ୍ୟପକ୍ଷରେ ରାଜ୍ୟରେ କଂଗ୍ରେସ ଦଳ ଭିତରେ ଉତ୍ସାହ ବୃଦ୍ଧି ପାଇଥିଲେ ମଧ୍ୟ ଏହା ନବୀନଙ୍କୁ ଟକ୍କର ଦେଲା ଭଳି ଅବସ୍ଥାରେ ନାହିଁ। ତେଣୁ ବିରୋଧୀ ବିଜେପି ଓ କଂଗ୍ରେସ ନବୀନଙ୍କୁ ବୁଝୁ ବୁଝୁ ବେଳ ଗଡ଼ିଗଲା ଭଳି ମନେ ହେଉଛି।

ଆଗାମୀ ୨୦୧୯ ନିର୍ବାଚନ ରାଜ୍ୟ ରାଜନୀତି ପାଇଁ ଏକ ନୂଆ ପରୀକ୍ଷା ହେବ। ଏଥିପାଇଁ ଆଜି ପ୍ରତି ମୁହୂର୍ତ୍ତରେ ଓଡ଼ିଶାର ରାଜନୈତିକ ପାଣିପାଗରେ ନାନା ପରିବର୍ତ୍ତନ ଆସିବା ସହ ବିଭିନ୍ନ ଦଳରେ ବିଧାନସଭା ଆସନ ଗଣାଚାଲିଛି। ତେବେ ଏହି ପୃଷ୍ଠଭୂମିରେ ଆଜି ବି ନବୀନଙ୍କ ପଲା ବିରୋଧୀମାନଙ୍କଠାରୁ ଭାରି ରହିଛି।

ଓଡ଼ିଶା ରାଜନୀତିରେ ନବୀନ

ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଓଡ଼ିଶା ରାଜନୀତିରେ ପ୍ରବେଶ କରିଥିଲେ ନବୀନ ପଟ୍ଟନାୟକ। ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଯେତେବେଳେ ବିଜୁ ପରିବାରର ନେତାଙ୍କ ମଧ୍ୟରେ ନେତୃତ୍ୱକୁ ନେଇ ସଙ୍କଟ ଦେଖାଦେଇଥିଲା ସେତେବେଳେ ନବୀନ ହିଁ ରାହା ପାଲଟିଥିଲେ। ଓଡ଼ିଶାରେ ଜନତା ଦଳ ଭାଙ୍ଗି ସୃଷ୍ଟି ହେଲା ବିଜୁ ଜନତା ଦଳ। ବିଜୁ ବାବୁଙ୍କ ନାଁରେ ଗଠିତ ଏହି ରାଜନୈତିକ ଦଳର ନେତୃତ୍ୱ ନେଇ ନବୀନ ନୂଆଦିଲ୍ଲୀର ଭିନ୍ନ ଜୀବନଶୈଳୀ ଛାଡି ଓଡ଼ିଶାରେ ଆସି ପହଞ୍ଚିଥିଲେ।

Naveen Patnaik speaking to the media at Bhubaneswar after formation of Biju Janata Dal (BJD) in 1997
ବିଜୁ ଜନତା ଦଳ ଗଠନ ପରେ ପରେ ଦଳର ସଭାପତି ନବୀନ ପଟ୍ଟନାୟକ ଗଣମାଧ୍ୟମକୁ ଏ ସମ୍ପର୍କରେ ଭୁବନେଶ୍ୱରଠାରେ ସୂଚନା ଦେଉଛନ୍ତି। (୧୫ ଡିସେମ୍ବର ୧୯୯୭)

୧୯୯୭ରୁ ୨୦୧୮। ଏହି ୨୧ ବର୍ଷ ଭିତରେ ନବୀନ ସଫଳତାର ସହ ଗୋଟିଏ ପରେ ଗୋଟିଏ ଗୋଟି ଚାଳନା କରି କ୍ଷମତା ଓ ଲୋକପ୍ରିୟତାର ଶୀର୍ଷରେ ରହିଛନ୍ତି। ଏହି ସମୟ ଭିତରେ ନବୀନ ବିଭିନ୍ନ ଆହ୍ଵାନର ମୁକାବିଲା କରିଥିଲେ ମଧ୍ୟ ସେ ସବୁକୁ ସଫଳତାର ସହ ଉଡାଇ ଦେଇଛନ୍ତି।

୧୯୯୭ ଏପ୍ରିଲ ୧୭ ତାରିଖରେ ବିଜୁ ବାବୁଙ୍କର ଦେହାନ୍ତ ହୋଇଥିଲା। ବିଜୁ ଜନତା ଦଳର ଅୟମାରମ୍ଭ ସହ ସେହିବର୍ଷ ଆସିକା ଲୋକସଭା ଆସନରୁ ସାଂସଦ ଭାବେ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିଲେ ନବୀନ। ୧୯୯୮ରେ ବାଜପେୟୀଙ୍କ ନେତୃତ୍ଵରେ ଗଠିତ ଏନଡିଏ ସରକାରରେ ସେ ଖଣିମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଥିଲେ। ତେବେ ଲୋକସଭା ଛାଡି ବିଧାନସଭା ମଇଦାନକୁ ୨୦୦୦ ମସିହାରେ ଓହ୍ଲାଇଥିଲେ ନବୀନ।

ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ି ବିପୁଳ ଭୋଟରେ ବିଜୟୀ ହୋଇଥିଲେ ନବୀନ। ୨୦୦୦ ମସିହା ମାର୍ଚ୍ଚ ୫ ତାରିଖ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନରେ ବିଜେପି-ବିଜେଡି ମେଣ୍ଟ ସରକାରର ନେତା ଭାବେ ସେ ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଇଥିଲେ। ଏହାପରଠୁ ଆଉ କେବେ ପଛକୁ ଫେରି ନାହାନ୍ତି ନବୀନ।

୧୯୯୮ରେ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରୁଛନ୍ତି ନବୀନ ପଟ୍ଟନାୟକ।

୨୦୦୯ ନିର୍ବାଚନ ପୂର୍ବରୁ ନବୀନଙ୍କ ପାଇଁ ଆସିଥିଲା ଏକ ପରୀକ୍ଷା। କନ୍ଧମାଳ ସାମ୍ପ୍ରଦାୟିକ ଦଙ୍ଗା ବେଳେ ସାଥୀ ବିଜେପିର ଭୂମିକା ନେଇ ସେ ଅଡ଼ୁଆ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ। ଶେଷରେ ବିଜେପିର ହାତ ଛାଡ଼ିଥିଲେ ନବୀନ। ହେଲେ ବିଜେପି-ବିଜେଡି ମେଣ୍ଟ ଭାଙ୍ଗିଥିଲେ ବି ୨୦୦୯ ନିର୍ବାଚନରେ ନବୀନଙ୍କ ଲୋକପ୍ରିୟତାରେ କୌଣସି ପ୍ରଭାବ ପଡ଼ିନଥିଲା। ଯଥେଷ୍ଟ ସଂଖ୍ୟକ ଆସନ ପାଇ ବିଜେଡି ଏକକ ଭାବେ ସେଥର ସରକାର ଠିଆ କରାଇଥିଲା। ସେହିପରି ୨୦୧୪ ନିର୍ବାଚନରେ ମଧ୍ୟ ବିଜେଡି ତା’ର ଜୟଯାତ୍ରା ବଜାୟ ରଖିବା ସହ ବିରୋଧୀ କଂଗ୍ରେସ ଏବଂ ବିଜେପିକୁ କ୍ଷମତାଠାରୁ ଯଥେଷ୍ଟ ଦୂରତାରେ ଠିଆ ହେବାକୁ ବାଧ୍ୟ କରିଥିଲା। ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଏବଂ ଭୋଟ ରାଜନୀତିର ମାପକୁ ବୁଝି ନବୀନଙ୍କ ଶିବିର ଏଯାଏଁ ଯେଉଁ ରାଜନୀତିକ ଷ୍ଟ୍ରାଟେଜି କରି ଆସିଛନ୍ତି ବିରୋଧୀଙ୍କ ପାଇଁ ତାହା ଲଗାତର ଭାବେ ଏକ ଅଭେଦ୍ୟ ବ୍ୟୂହ ସୃଷ୍ଟି କରିଛି!

‘ଓଡ଼ିଆ’କୁ ଅସ୍ତ୍ର କରୁଛନ୍ତି ବିରୋଧୀ

‘ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଓଡ଼ିଆ ଜଣାନାହିଁ’ – ବିରୋଧୀମାନେ ଏହି ପ୍ରସଙ୍ଗକୁ ବାରମ୍ବାର ଉଠାଇ ଆସୁଛନ୍ତି। ବିଶେଷକରି ନିର୍ବାଚନ ସମୟରେ ଏହି ସ୍ଵର ଜୋରଦାର ହୋଇଥାଏ। ହେଲେ ନବୀନଙ୍କ ରାଜନୀତିକ ସଫଳତା ଉପରେ ଏହା ବିଶେଷ ପ୍ରଭାବ ପକାଇ ପାରିନାହିଁ।

ଅବଶ୍ୟ ଟିମ୍ ନବୀନ ଏହି ପ୍ରସଙ୍ଗକୁ ଗୁରୁତ୍ଵର ସହ ନେଇଥିବା ମନେ ହେଉଛି। କାରଣ ବିରୋଧୀଙ୍କ କଥାର ଜବାବ କଥାରେ ନଦେଇ ନବୀନ ଅଲଗା ବାଟରେ ଦେଉଛନ୍ତି। ସଂସ୍କୃତି ଓ ପର୍ଯ୍ୟଟନ ବିଭାଗକୁ ଅଲଗା କରି ସ୍ଵତନ୍ତ୍ର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଗଠନ ତା’ର ଏକ ଉଦାହରଣ। ସେହିପରି ସ୍ଵତନ୍ତ୍ର ଐତିହ୍ୟ କ୍ୟାବିନେଟ୍ ଗଠନ ଏବଂ ଓଡ଼ିଆ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପଦକ୍ଷେପ ନେଇ ନବୀନ ବିରୋଧୀଙ୍କୁ ସିଧାସଳଖ ଉତ୍ତର ଦେବାକୁ ପସନ୍ଦ କରିଛନ୍ତି। ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ସମୟରେ ଶାସ୍ତ୍ରୀୟ ମାନ୍ୟତା ପାଇଥିବାରୁ ଏହା ମଧ୍ୟ ତାଙ୍କ ରାଜନୀତିକ ପଲାକୁ କିଛି ପରିମାଣରେ ଭାରି କରୁଛି।

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ସହ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ତେଣୁ ଭାଷା ଓ ସଂସ୍କୃତିର କାର୍ଡ ଖେଳି ନବୀନଙ୍କୁ ଚେକ୍ ଦେବା ପାଇଁ ବିରୋଧୀ କଂଗ୍ରେସ ଏବଂ ବିଜେପି ଯେତେ ରଣନୀତି କଲେ ବି ତାହାକୁ କାଉଣ୍ଟର କରି ଚାଲିଛନ୍ତି ନବୀନ ବାବୁ।

ଟେର୍ ପାଉନାହାନ୍ତି ବିରୋଧୀ

୨୦୧୪ରେ ସାରା ଦେଶରେ ବହିଥିଲା ମୋଦି ହାୱା। ଦଳର ପୋଷ୍ଟର ବଏ ନରେନ୍ଦ୍ର ମୋଦିଙ୍କ ଉପରେ ଭରସା କରି ଓଡ଼ିଶାରେ ସରକାର ଗଠନ କରିବା ପାଇଁ ବିଜେପି ସ୍ଵପ୍ନ ଦେଖିଥିଲା। କିନ୍ତୁ ନିର୍ବାଚନ ଫଳ ସବୁ ଭୁଲ୍ ପ୍ରମାଣିତ କରିଥିଲା। ମୋଦିଙ୍କର ପ୍ରଭାବ ଓଡ଼ିଶାରେ ପଡ଼ିଲା ନାହିଁ। ଓଡ଼ିଶାବାସୀ ନବୀନଙ୍କ ଉପରେ ପୁଣି ଆସ୍ଥା ପ୍ରକଟ କଲେ। ଫଳରେ ନବୀନ ୨୦୧୪ରେ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

ସେତେବେଳେ ବିଜେଡି କେନ୍ଦ୍ରରେ କାହାକୁ ସମର୍ଥନ କରିବ ସେନେଇ ସାରା ଦେଶର ନଜର ରହିଥିଲା ନବୀନଙ୍କ ଉପରେ। କିନ୍ତୁ ନବୀନ ଚତୁରତାର ସହ ନିଜର କାର୍ଡ ଖେଳିଥିଲେ। ଉଭୟ ୟୁପିଏ ଏବଂ ଏନଡିଏ ଓଡ଼ିଶା ପ୍ରତି ଅବିଚାର କରିଥିବାରୁ ନବୀନ ସେମାନଙ୍କଠାରୁ ସମଦୂରତ୍ୱ ମନ୍ତ୍ର ଜପିଥିଲେ।

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କଠାରୁ ନୂଆଦିଲ୍ଲୀଠାରେ ଆଉଟଲୁକ୍ ଶ୍ରେଷ୍ଠ ପ୍ରଶାସକ ପୁରସ୍କାର ଗ୍ରହଣ କରୁଛନ୍ତି ନବୀନ।

ଏହାପରେ ବିଜେପି-ବିଜେଡି ଭିତରେ ଆରମ୍ଭ ହୋଇଥିଲା ପତିଆରା ଲଢ଼େଇ। ବିଜେଡିର ଦୋଷ ଦୁର୍ବଳତାକୁ ଅସ୍ତ୍ର କରି ରାଜରାସ୍ତାକୁ ଓହ୍ଲାଇଥିଲା ବିଜେପି। କଥା କଥାକେ ନବୀନଙ୍କୁ ଘେରିଥିଲେ ବିଜେପି ନେତା। ୨୦୧୯ରେ ରାଜ୍ୟରେ ବିଜେପି ସରକାର ଗଠନ କରିବାର ଲକ୍ଷ୍ୟ ନେଇ କେନ୍ଦ୍ର ନେତା ଘନ ଘନ ଓଡ଼ିଶା ଗସ୍ତରେ ଆସିଥିଲେ। ବିଜେଡିକୁ ଶାସନରୁ ହଟାଇବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଏହାର ପ୍ରଭାବ ୨୦୧୭ ପଞ୍ଚାୟତ ନିର୍ବାଚନ ଉପରେ କିଛିମାତ୍ରାରେ ପଡ଼ିଥିଲା। ଆଗଅପେକ୍ଷା ବିଜେପିର ଭୋଟହାର ବୃଦ୍ଧି ପାଇଥିଲା। ନବୀନଙ୍କ ଲୋକପ୍ରିୟତାରେ କିଛିଟା ବ୍ରେକ୍ ଲାଗିଥିଲା। କିନ୍ତୁ ପଞ୍ଚାୟତ ନିର୍ବାଚନ ପରେ ବିଭିନ୍ନ ପୌର ପରିଷଦ ଏବଂ ପଞ୍ଚାୟତରେ ହୋଇଥିବା ଉପ-ନିର୍ବାଚନରେ ବିଜେଡି ପୁଣି ବିଜୟ ବାନା ଉଡ଼ାଇ ବିରୋଧୀଙ୍କୁ ଦେଇଥିଲା ଶକ୍ତ ଝଟ୍‌କା।

୨୦୧୯ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ବିଜେପୁର ଉପ-ନିର୍ବାଚନରେ ବି ବିଜେଡିର ପଲା ଭାରି ରହିଥିଲା। ବିରୋଧୀ ଦଳର ରଣନୀତିକୁ ଭୁଲ୍ ପ୍ରମାଣିତ କରି ନବୀନ ପୁଣି  ଖେଳିଥିଲେ ମାଷ୍ଟ୍ରରଷ୍ଟ୍ରୋକ।

ମୋଦି-ନବୀନ ଲଢ଼େଇ

ଆଉ ୫/୬ମାସ ପରେ ଓଡ଼ିଶାରେ ହେବ ଅସଲ ଲଢ଼େଇ। ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ଆଧାରକରି ବିଜେଡି ପଞ୍ଚମ ପାଳିର ସରକାର ଗଠନ କରିବାକୁ ପ୍ରସ୍ତୁତ ହେଉଛି। ଗୋଟିଏ ପରେ ଗୋଟିଏ ଲୋକପ୍ରିୟ ଯୋଜନା କରି ନବୀନ ଭୋଟରଙ୍କ ନିକଟତର ହେଉଛନ୍ତି।

Odisha CM Naveen Patnaik Inaugurates Aahar a Flagship Programme under Food Security
‘ଆହାର’ କେନ୍ଦ୍ରରେ ଖାଦ୍ୟ ପରଷୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପ୍ରତିଥର ନିର୍ବାଚନ ପୂର୍ବରୁ ନବୀନ ଏଭଳି କିଛି ଯୋଜନା ପ୍ରସ୍ତୁତ କରିଥାନ୍ତି ଯାହା ହୋଇଥାଏ ଗେମ ଚେଞ୍ଜର। ଅତୀତରେ ଟଙ୍କିକିଆ ଚାଉଳ ଏପରି ଏକ ବିଷୟ ଥିଲା। ଏବେ ୨୦୧୯ ନିର୍ବାଚନ ପୂର୍ବରୁ ନବୀନ ନିକଟରେ ଦୁଇ ଦୁଇଟି ନୂଆ କାର୍ଡ ଖୋଲିଛନ୍ତି। କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାକୁ କାଉଣ୍ଟର କରି ନବୀନ ଆରମ୍ଭ କରିଛନ୍ତି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ଏଥିରେ ବୀମାଭୁକ୍ତ ବ୍ୟକ୍ତିମାନଙ୍କୁ ୫ଲକ୍ଷ ଏବଂ ମହିଳାଙ୍କ କ୍ଷେତ୍ରରେ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ଚିକିତ୍ସା ଯୋଗାଇ ଦେବେ ସରକାର। ମୋଦିଙ୍କ ସ୍ଵାସ୍ଥ୍ୟ ବୀମା ଯୋଜନାକୁ ଏହା କାଉଣ୍ଟର କରିବ।

ସେହିପରି ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ପଡ଼ିଥିବା ଲୋକଙ୍କୁ ଟଙ୍କିକିଆ ଚାଉଳ ଦେବା ପାଇଁ ନବୀନ ଆରମ୍ଭ କରିଛନ୍ତି ରାଜ୍ୟର ନିଜସ୍ଵ ଯୋଜନା। ଏଥିରେ ୨୫ଲକ୍ଷରୁ ଅଧିକ ପରିବାର ଉପକୃତ ହେବେ। ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ଏହି ଯୋଜନା ମାଧ୍ୟମରେ ପ୍ରଥମ ୧୦ ଦିନରେ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ରାସନ କାର୍ଡ ଦିଆଯାଇଥିବା ବିଷୟ ସରକାରୀ ବିଜ୍ଞାପନରୁ ଜଣାପଡ଼ୁଛି। ତେଣୁ ଏହିସବୁ ସାର୍ବଜନୀନ ଯୋଜନା ବାଣରେ ବିରୋଧୀ ଶିବିରର ରଣନୀତି ଏକପ୍ରକାର ଫେଲ୍ ମାରିଯାଉଛି। ନବୀନଙ୍କ ମୁକାବିଲା କରିବାକୁ  ବାଟ ଖୋଜୁଛନ୍ତି ବିରୋଧୀ।

Odisha CM Naveen Patnaik offers tribute to Mahtma Gandhiନବୀନଙ୍କ ଲୋକପ୍ରିୟତାକୁ ଟକ୍କର ଦେବା ପାଇଁ ବିଜେପି ପୁଣିଥରେ ନରେନ୍ଦ୍ର ମୋଦିଙ୍କ ଉପରେ ଭରସା କରିଛି। ମୋଦିଙ୍କୁ ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ କରି ନବୀନଙ୍କୁ ଚେକ୍ ଦେବା ଲାଗି ପ୍ରସ୍ତୁତ ହେଉଛି ବିଜେପି। ଯଦି ମୋଦି ପୁରୀରୁ ପ୍ରାର୍ଥୀ ହୁଅନ୍ତି ତାହାଲେ ରାଜ୍ୟ ରାଜନୀତିରେ ଏକ ନୂଆ ଦୃଶ୍ୟ ଦେଖିବାକୁ ମିଳିବ। ମୋଦି ଏବଂ ନବୀନ ଏହି ଦୁଇ ବ୍ରାଣ୍ଡ ମଧ୍ୟରେ ସିଧାସଳଖ ଲଢ଼େଇ ହେବ  ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି।

ରାଜ୍ୟରେ ବିଜେପି ଯେଉଁଭଳ ଭାବେ ପାଦ ଦୃଢ଼ କରିବା କଥା ତାହା କରିପାରିନାହିଁ।  କେନ୍ଦ୍ର  ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଧାସଳଖ ଭାବେ ନବୀନଙ୍କୁ ଟାର୍ଗଟେ କରି ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି। ତେବେ ସାମଗ୍ରିକ ଭାବେ ନବୀନଙ୍କ ପତିଆରାକୁ ଭାଙ୍ଗିଲା ଭଳି ବିଜେପି ବିକଳ୍ପ ସୃଷ୍ଟି କରିପାରିନାହିଁ।

ଅନ୍ୟପକ୍ଷରେ ଓଡ଼ିଶାରେ କଂଗ୍ରେସ ସ୍ଥିତିରେ ଯଦି କିଛି ଉନ୍ନତି ଘଟେ ତେବେ କାହାକୁ ବେଶି ମାଡ ପଡ଼ିବ?  ଏ ପ୍ରଶ୍ନର ଉତ୍ତର ବିଜେଡି ଶିବିରକୁ ସୁହାଉଛି। ଅର୍ଥାତ୍ କଂଗ୍ରେସର ଉତଥାନ ବିଜେଡି ପାଇଁ ଯେତିକି ଆହ୍ଵାନ ସୃଷ୍ଟି ନ କରିବ ବିଜେପିକୁ ତା’ଠାରୁ ଅଧିକ କ୍ଷତି ପହଞ୍ଚାଇପାରେ ବୋଲି ରାଜନୀତିକ ବିଦ୍ଵାନମାନେ ବିଚାର କରୁଛନ୍ତି। ତେଣୁ ବାହାରକୁ ଯେତେ ଗହଳି ଦିଶୁଥିଲେ ମଧ୍ୟ ଉଭୟ ବିଜେପି ଓ କଂଗ୍ରେସ ଶିବିରରେ ବିଜେଡିକୁ ଚେକ୍ ଦେବା ନେଇ ବିଭିନ୍ନ କଳ୍ପନା ଓ ଯୋଜନା ଚାଲିଛି। ୨୦୧୯ ନିର୍ବାଚନରେ ହିଁ ବାସ୍ତବରେ ପ୍ରମାଣିତ ହେବ କାହାର କେତେ ଦମ୍!

Odisha CM Naveen Patnaik Reviews Flood and Cyclone Situation ସାପ-ନେଉଳ ଖେଳ!

ଓଡ଼ିଶା ରାଜନୀତିରେ ଚାଲିଛି ସାପ-ନେଉଳ ଖେଳ! ଏହି ଖେଳର କେତେବେଳେ ଏପଟେ ବିଜେଡି ଆଉ ସେପଟେ ବିଜେପି। କଂଗ୍ରେସ ପ୍ରାୟତଃ ଦେଖଣାହାରୀ। କିନ୍ତୁ ଦେଖିବା କଥା ହେଉଛି ଯେ ବିଜେଡି ସୁପ୍ରିମୋ ନବୀନ ମଝିରେ ମଝିରେ ଏଭଳି ଗୁଗ୍‌ଲି ଛାଡ଼ୁଛନ୍ତି ଯେ ବିରୋଧୀମାନେ ଦ୍ୱନ୍ଦ୍ୱରେ ଛନ୍ଦି ହୋଇ ଯାଉଛନ୍ତି।

ଓଡ଼ିଶାରେ ବିଜେଡି-ବିଜେପି ମଧ୍ୟରେ ତୁତୁ ମେମେ ଚାଲିଥିବା ବେଳେ ବିଜେପିର ବଡ଼ ନେତାଙ୍କୁ ଆଣି ମଞ୍ଚରେ ବସାଇ ନବୀନ ବାଃବାଃ ନେବାରେ ସକ୍ଷମ ହୋଇଛନ୍ତି। ବିଜୁ ପଟ୍ଟନାୟକଙ୍କ ଉପରେ ଲିଖିତ ଇଂଗ୍ଲିସ୍ ପୁସ୍ତକ ‘ଦ ଟଲ୍ ମ୍ୟାନ – ବିଜୁ ପଟ୍ଟନାୟକ’ ର ଲୋକାର୍ପଣ ମଞ୍ଚରେ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କ ସହ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ବାମପନ୍ଥୀ ନେତା ସୀତାରାମ ୟେଚୁରୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଜୁ ବାବୁଙ୍କ ବନ୍ଧୁ ଦେବେଗୌଡାଙ୍କୁ ଏକାଠି କରିଥିଲେ ନବୀନ। ଏହି ସର୍ବଭାରତୀୟ ନେତାମାନଙ୍କୁ ନବୀନ ନିବାସରେ ଓଡ଼ିଶାର ପଖାଳ ଓ ଛେନାପୋଡ଼ ଖୁଆଇ ଆପ୍ୟାୟିତ କରିଥିଲେ ବିଜେଡି ସୁପ୍ରିମୋ।

BJP Leader L K Advani, Former President Pranab Mukharjee, CPIM Secreteray General Sitaram Yechury and Former PM Devegouda at Naveen Nivas with Odisha CM Naveen Patnaik
ଜାତୀୟ ସ୍ତରର ନେତାମାନଙ୍କୁ ନବୀନ ନିବାସରେ ଓଡ଼ିଆ ଖାଦ୍ୟର ସ୍ୱାଦ ଦେଇ ଆପ୍ୟାୟିତ କରୁଛନ୍ତି ମୁଖ୍ୟମନ୍ତ୍ରୀ।

ଅନ୍ୟପକ୍ଷରେ ଯେତେବେଳେ ଓଡ଼ିଶାର ବିଜେପି ନେତାମାନେ ନବୀନଙ୍କ ଇମେଜକୁ ଧରାଶାୟୀ କରିବା ପାଇଁ ପ୍ରସଙ୍ଗ ପାଇବାମାତ୍ରେ ଆକ୍ରମଣ କରୁଥିଲେ ନବୀନ ସେମାନଙ୍କୁ ଏକ ଚକ୍‌ମା ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟଲ୍‌ମ୍ୟାନ ପୁସ୍ତକ ଉପହାର ଦେଇ ନବୀନ ଚର୍ଚ୍ଚାରେ ରହିଥିଲେ।

ନବୀନଙ୍କ ପୁଞ୍ଜି ହେଉଛି ନୀରବତା ଏବଂ ଶାଳୀନତା। ବିରୋଧୀମାନେ ଯେତେ ଉଗ୍ର ଏବଂ ଆକ୍ରମଣାତ୍ମକ ହୋଇଛନ୍ତି ନବୀନ ସେତିକି ନୀରବତା ପ୍ରଦର୍ଶନ କରିଛନ୍ତି। ଏହା ନବୀନଙ୍କ ବ୍ୟକ୍ତିତ୍ୱ ପ୍ରତି ସାଧାରଣରେ ଏକ ସକରାତ୍ମକ ପ୍ରଭାବ ସୃଷ୍ଟି କରିପାରିଛି।

Odisha CM Naveen Patnaik Presents a copy of Tall Man Biju Patnaik to PM Narendra Modi

ଅନ୍ୟପକ୍ଷରେ ଗତ କିଛିବର୍ଷ ମଧ୍ୟରେ ଜାତୀୟ ସ୍ତରରେ ବିଭିନ୍ନ ମଞ୍ଚରେ ନବୀନଙ୍କୁ ମିଳିଛି ପୁରସ୍କାର ଓ ସମ୍ମାନ। ତା’ଭିତରେ ରହିଛି ଆଉଟଲୁକ୍ ଶ୍ରେଷ୍ଠ ପ୍ରଶାସକ ଏବଂ ଏମ୍‌ଆଇଟି ଦ୍ୱାରା ପ୍ରଦାନ କରାଯାଇଥିବା ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ। ସେହିପରି ନିକଟରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନେଇ ଇଣ୍ଡିଆଟୁଡେ ପକ୍ଷରୁ କରାଯାଇଥିବା ଜନମତ ସର୍ବେକ୍ଷଣ ବେଳେ ନବୀନ ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି ପ୍ରକାଶ ପାଇଛି। ବିରୋଧୀଙ୍କର ଏହିସବୁ କଥା ହଜମ ହେଉନାହିଁ।

ଏକ ରାଜନୈତିକ ବିସ୍ମୟ!

ବିଭିନ୍ନ ରାଜନୈତିକ ଘଟଣାରେ ନବୀନ ନିଜ ପାଇଁ ସୁରକ୍ଷିତ ସ୍ଥାନ ସୃଷ୍ଟି କରିପାରିଛନ୍ତି। ବିଶେଷକରି ଜାତୀୟ ସ୍ତରରେ ସମର୍ଥନ ଓ ବିରୋଧ ରାଜନୀତି ଭିତରେ ବିଜୁ ଜନତା ଦଳ ଯେତେବେଳେ ଯେଉଁ ପଦକ୍ଷେପ ନେଇଛି ନବୀନ ତାକୁ ଯୁକ୍ତି ସଙ୍ଗତ ଭାବେ ଉପସ୍ଥାପନ କରିଛନ୍ତି।

କିଛିଦିନ ତଳେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ବେଳେ ସାମ୍ବାଦିକ – ସାଂସଦ ହରିବଂଶଙ୍କୁ ବିଜେଡି ସମର୍ଥନ କରିଥିଲା। ସେତେବେଳେ ନବୀନ ଜେଡି(ୟୁ) କାହାଣୀ କହିଥିଲେ। “ଆମେ ଏନଡିଏ ପ୍ରାର୍ଥୀ ନୁହଁ, ବରଂ ଜେଡିୟୁ ପ୍ରାର୍ଥୀଙ୍କୁ ସମର୍ଥନ କରିଛୁ। କାରଣ ଅତୀତରେ ଆମେ ପି ଏ ସାଙ୍ଗମାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଥିଲୁ। ସେତେବେଳେ ଜେଡିୟୁ ଆମକୁ ସମର୍ଥନ ଦେଇଥିଲା”, ସେତେବେଳେ ଏହି ସଫେଇ ଦେଇଥିଲା ଦଳ।

Odisha CM Naveen Patnaik Presenting Land Rights to Landless Peopleଏହି ଘଟଣାର ଆଉ ଏକ ଦିଗ ମଧ୍ୟ ବେଶ୍ ରୋଚକ ମନେହୁଏ। କାରଣ ନବୀନଙ୍କୁ ପୋଡ଼ା ଟ୍ରାନ୍ସଫର୍ମର କହି ଅତୀତରେ ବହେ ଝାଡ଼ିଥିବା ବିଜେପି ରାଷ୍ଟ୍ରୀୟ ଦଳପତି ଅମିତ ଶାହ ଖୋଦ୍ ଫୋନ କରି ହରିବଂଶଙ୍କୁ ସମର୍ଥନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ତା’ର ୨୪ ଘଣ୍ଟା ନପୂରୁଣୁ ମୋଦି ମଧ୍ୟ ନବୀନଙ୍କୁ ଫୋନ କରିଥିଲେ। ତେବେ ନବୀନ ହରିଂବଶଙ୍କୁ ସମର୍ଥନ କଲେ ସତ, କିନ୍ତୁ ତାଙ୍କ କହିବା କଥା ସେ ବିଜେପିକୁ ସମର୍ଥନ କଲେ ନାହିଁ।

ସେହିପରି ମୋଦି ସରକାରଙ୍କ ବିରୋଧରେ କିଛିମାସ ତଳେ ସଂସଦରେ ଆସିଥିଲା ଅନାସ୍ଥା। ସେତେବେଳେ ନବୀନ ତାକୁ ସମର୍ଥନ କରିବେ କି ବିରୋଧ କରିବେ ତାକୁ ନେଇ ଢେର ଚର୍ଚ୍ଚା ହୋଇଥିଲା।

ଏହି ମାମଲାରେ ନବୀନ ନିଜକୁ ବେଶ୍ ସ୍ମାର୍ଟ ବୋଲି ରାଜନୀତିରେ ପ୍ରମାଣ କରିଥିଲେ। ତାଙ୍କ ସଦସ୍ୟମାନେ ମୋଦିଙ୍କ ବିରୋଧରେ ଭୋଟ ନଦେଇ ସାମୂହିକ ଭାବେ କକ୍ଷତ୍ୟାଗ କରିଥିଲେ। ଏହି ଘଟଣାରେ ବିଜେଡିର ସଂଖ୍ୟା ମୋଦିଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ତେବେ କକ୍ଷତ୍ୟାଗ କରି ମିଡିଆ କ୍ୟାମେରା ନିକଟରେ ପହଞ୍ଚିବା ଭିତରେ ବିଜେଡି ନେତାମାନେ ତା’ର କାରଣ ପ୍ରସ୍ତୁତ କରି ରଖିଥିଲେ। ବିଜେଡିର କହିବା କଥା ଯେ ଦଳ ମୋଦିଙ୍କୁ ବଞ୍ଚାଇବାକୁ ଚାହେଁନାହିଁ। ବରଂ ଅତୀତରେ ଓଡ଼ିଶା ସ୍ୱାର୍ଥ ପ୍ରତି ଆନ୍ଧ୍ରର ଟିଡିପି ସରକାର କ୍ଷତି ପହଞ୍ଚାଉ ଥିବାରୁ ସେମାନେ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ସମର୍ଥନ ଦେବାର ପ୍ରଶ୍ନ ଉଠୁନାହିଁ। ୟା’କୁ କହନ୍ତି ରାଜନୀତି! ନବୀନ ଚଉକା ଓ ଛକା ମାରି ଚାଲିଛନ୍ତି। ବିରୋଧୀମାନେ ବଲବଲ ହୋଇ ଦେଖୁଛନ୍ତି!

ନବୀନଙ୍କୁ ହାଲ୍ ଭୟ!

ନବୀନ ପଟ୍ଟନାୟକ ସମସ୍ତଙ୍କର। ନବୀନ ପଟ୍ଟନାୟକ କାହାର ନୁହନ୍ତି! – ଏକଥା ଅନ୍ୟକେହି ବୁଝନ୍ତୁ କି ନବୁଝନ୍ତୁ ବିଜେଡିର କେତେକ ଛାମୁଆ ଓ ଯୁବ ନେତା ଅଙ୍ଗେ ନିଭାଇଛନ୍ତି। ବିଜୁ ଜନତା ଦଳ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କ ଭଳି ନେତାମାନେ ଗୋଟିଏ ପର୍ଯ୍ୟାୟରେ ହାଣ ଖାଇଥିଲେ। ତେବେ ନବୀନଙ୍କ ଏହି କଠୋର ନିଷ୍ପତ୍ତିରୁ ବାଦ୍ ପଡ଼ି ନାହାନ୍ତି ଅନେକ ପ୍ରବୀଣ ଓ ତରୁଣ ନେତା। ଦୁର୍ନୀତିର ଅଭିଯୋଗ ହେଉ କି ଦଳ ବିରୋଧୀ କାର୍ଯ୍ୟ କିମ୍ବା କୌଣସି ତାତ୍କାଳିକ ଘଟଣା, ଯେତେବେଳେ ନବୀନଙ୍କ ଇମେଜ ଉପରେ ଆଞ୍ଚ ଆସିଛି ବଳିପଡ଼ିଛନ୍ତି ନେତା – ପଦବୀରୁ ହେଉ କି ଦଳରୁ।

Odisha CM Naveen Patnaik waving the crowds at Bhubaneswar after being greeted for receiving Ideal CM Award at Pune

ଏହାର ତାଜା ଉଦାହରଣ ହେଉଛନ୍ତି ବୈଜୟନ୍ତ ପଣ୍ଡା ଏବଂ ଡାକ୍ତର ଦାମୋଦର ରାଉତ। ବୈଜୟନ୍ତ ଘନଘନ ତୃତୀୟ ମହଲାକୁ ତୀର ମାରି ନବୀନଙ୍କ ପତିଆରା ପ୍ରତି ଆହ୍ୱାନ ସୃଷ୍ଟି କରିଥିଲେ। ସେହିପରି ଦାମ ବାବୁ ବହୁ କଥା ଅକଥା କହି ନିଜ ପାଇଁ ବିପଦକୁ ଡାକି ଆଣିଥିଲେ।

ବିଜେଡି ରାଜନୀତିରେ ଗୋଟିଏ କଥା ବାରମ୍ବାର ସ୍ପଷ୍ଟ ହୋଇଛି ଯେ ନେତା ଯେତେ ଟାଣୁଆ ହୁଅନ୍ତୁ ନବୀନଙ୍କ ଆଶୀର୍ବାଦ ବିନା ତାଙ୍କର କୌଣସି ମୂଲ୍ୟ ନାହିଁ। କାରଣ ଦଳରେ ନବୀନ ହିଁ ଏକମାତ୍ର ବ୍ରାଣ୍ଡ। ନବୀନ ଯାହାଙ୍କ ହାତ ଛାଡ଼ିଛନ୍ତି ସେ ସ୍ୱାଧୀନ ହୁଅନ୍ତୁ ବା ଅନ୍ୟ କାହାର ହାତ ଧରନ୍ତୁ ରାଜନୀତିକ ରଣକ୍ଷେତ୍ରରେ ନିଜର ପତିଆରା ରକ୍ଷା କରିପାରି ନାହାନ୍ତି।

କେବଳ ରାଜନେତା ନୁହନ୍ତି, ପ୍ରଶାସନିକ କ୍ଷେତ୍ରରେ ମଧ୍ୟ ନବୀନ ଅନେକ ଆଇଏଏସ୍ ଅଧିକାରୀଙ୍କୁ କ୍ଷମତାରୁ ହଟାଇବାକୁ ପଛଘୁଞ୍ଚା ଦେଇ ନାହାନ୍ତି। ତାଙ୍କର ଏହି ଷ୍ଟାଇଲ୍ ଜନତାଙ୍କୁ ବେଶ୍ ଭଲ ଲାଗିଛି। ତେଣୁ ନେତା ହୁଅନ୍ତୁ କି ଅଫିସର ଯିଏ ଯେତେ କ୍ଷମତା ଠୁଳ କରିଥିଲେ ମଧ୍ୟ ନବୀନଙ୍କୁ ସମସ୍ତଙ୍କର ହାଲ୍ ଭୟ!

Odisha CM Naveen Patnaik receives Ideal CM Award at Pune
ପୁନେଠାରେ ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ଗ୍ରହଣ ଅବସରରେ ନବୀନ।

ଦୀର୍ଘ ୨୧ ବର୍ଷ ଧରି କ୍ଷମତାରେ ଅଛନ୍ତି ନବୀନ। ତା’ ଭିତରୁ ମୁଖ୍ୟମନ୍ତ୍ରୀ ପଦବୀରେ କାଟିଲେଣି ୧୮ ବର୍ଷ। ୨୦୧୯ ନିର୍ବାଚନ ପାଇଁ ମଧ୍ୟ ନବୀନ ହେଉଛନ୍ତି ଦଳର ଏକମାତ୍ର ପୋଷ୍ଟରବୟ। ଅନେକ ସମୟରେ ଦଳ ଭିତରେ ଓ ବାହାରେ ନବୀନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଆଲୋଚନା ବେଳେ ତାଙ୍କର ଉତ୍ତରାଧିକାରୀ ପ୍ରସଙ୍ଗ ଉଠୁଥିବା ମନେହୁଏ। ତେବେ ଦଳ କିମ୍ବା ପରିବାର କେଉଁଠୁ ବାହାରିବେ ନବୀନଙ୍କ ଉତ୍ତରାଧିକାରୀ? ଏ ପ୍ରଶ୍ନର ଉତ୍ତର ଅନ୍ତତଃ ଦଳ ପାଖରେ ନାହିଁ। ସମ୍ଭବତଃ ନବୀନ ନିଜେ ହିଁ ଏହାର ଉତ୍ତର ପ୍ରସ୍ତୁତ କରି ରଖିଛନ୍ତି ଏବଂ ଠିକଣା ସମୟରେ ତାହା ଲୋକଲୋଚନକୁ ଆସିବ।

Comment