ଓଡ଼ିଶାଲାଇଭ୍‌ ବ୍ୟୁରୋ

ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଅବସରରେ ଆୟୋଜିତ ୩୬ ଘଣ୍ଟିଆ ହାକାଥନ୍ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସଚିବାଳୟ ତୃତୀୟ ମହଲା ସମ୍ମିଳନୀ କକ୍ଷରେ ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଥିଲା।

ଏଥିରେ ରାଜ୍ୟ ଯୋଜନା ଓ ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା ମନ୍ତ୍ରୀ ଉଷା ଦେବୀ ଉପସ୍ଥିତ ଥିଲେ।

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଏବଂ ବିଜୁ ପଟ୍ଟନାୟକ ବୈଷିୟକ ବିଶ୍ୱ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ କଲେଜ ଅଫ ଇଂଜିନିୟରିଂ ଏଣ୍ଡ ଟେକ୍ନୋଲୋଜି (ସିଇଟି) ଠାରେ ଦକ୍ଷତା ବିକାଶକୁ ନେଇ ଏକ ୩୬ ଘଣ୍ଟିଆ ସ୍ମାର୍ଟ ହାକାଥନ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିରେ ଦେଶ ବ୍ୟାପୀ ବିଭିନ୍ନ କଲେଜ ଓ ବିଶ୍ୱ ବିଦ୍ୟାଳୟରୁ ୪୦୩୮ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ।

ଓଡ଼ିଶା ସମତେ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ନୂଆଦିଲ୍ଲୀ, ପଞ୍ଜାବ, ରାଜସ୍ଥାନ, ତାମିଲନାଡ଼ୁ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗର ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ଓଡ଼ିଶାରୁ ସମୁଦାୟ ୪୫ଟି ଦଳ ରହିଥିବା ବେଳେ ଅନ୍ୟ ୧୧ଟି ରାଜ୍ୟର ୩୫ଟି ଦଳ ଏଥିରେ ଅଂଶ ଗ୍ରହଣ କରିଥିଲେ।

କୃଷିରେ ୯୨, ପରିବେଶ ବିଜ୍ଞାନ ଏବଂ ଜଳବାୟୁରେ ୧୫୯, ଶିକ୍ଷାରେ ୧୮୯, ସ୍ୱାସ୍ଥ୍ୟରେ ୧୯୮, ଗୃହ ଏବଂ ସହରରେ ୫୮, ଶିଳ୍ପରେ  ୪୬, ଦକ୍ଷତା ଏବଂ ଉଦ୍ୟୋଗୀତାରେ ୩୪ ଓ ଅନ୍ୟାନ୍ୟ କ୍ଷେତ୍ରରେ ୩୦୬ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।

ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଦଳଙ୍କୁ ୧ ଲକ୍ଷ, ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଦଳକୁ ୮୦ ହଜାର ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଦଳଙ୍କୁ ୭୫ ହଜାର ଟଙ୍କା ପୁରସ୍କାର ସ୍ୱରୂପ ପ୍ରଦାନ କରାଯାଇଛି। ଓଡ଼ିଶାରୁ ଏବଂ ଓଡ଼ିଶା ବାହାରର ଶ୍ରେଷ୍ଠ ଦଳଙ୍କୁ ସ୍ୱତନ୍ତ୍ର ପୁରସ୍କାର ଭାବେ ୭୫ ହଜାର ଟଙ୍କା ପ୍ରଦାନ କରାଯାଇଛି।

ଏହି ଅବସରରେ ଉତ୍ତରାଞ୍ଚଳ ରଜସ୍ୱ ଆୟୁକ୍ତ ତଥା ବିପିୟୁଟି କୁଳପତି ଡି ଭି ସ୍ୱାମୀ ସ୍ମାର୍ଟ ଓଡ଼ିଶା ହାକଥାନ୍ ଉପରେ ଏକ ଭିଡିଓ ଉପସ୍ଥାପନ କରିଥିଲେ। (ଏଜେନ୍ସୀ)

Comment