ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ସକ୍ରିୟ ରାଜନୀତିକୁ ଆସିବେ ଅପରାଜିତା ଷଡ଼ଙ୍ଗୀ।

ପ୍ରଶାସକରୁ ରାଜନୀତିକୁ ଆସିବା କିଛି ନୂଆ କଥା ନୁହେଁ। ବିଗତ ଦିନରେ ଅନେକ ପ୍ରଶାସନିକ ଅଧିକାରୀ ଓଡ଼ିଶା ରାଜନୀତିକୁ ଆସିଥିବା ବେଳେ ଏବେ ଅପରାଜିତା ଷଡ଼ଙ୍ଗୀଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଅପରାଜିତା ଖୁବଶୀଘ୍ର ରାଜନୀତିରେ ନୂଆ ଇନିଂସ୍ ଆରମ୍ଭ କରିବାକୁ ଯାଉଥିବା ଆଲୋଚନା ହେଉଛି।

୧୯୯୪ ବ୍ୟାଚ ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସର ହେଉଛନ୍ତି ଅପରାଜିତା। ସେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରରେ ବିଭିନ୍ନ ବିଭାଗର ଗୁରୁତ୍ବପୂର୍ଣ୍ଣ ଦାୟିତ୍ୱରେ ରହିଥିଲେ। କିନ୍ତୁ ଏବେ ଅପରାଜିତା ଭିଆର୍‌ଏସ୍‌ ନେବାକୁ ଓଡ଼ିଶା ସରକାରଙ୍କ ନିକଟରେ ଆବେଦନ କରିଥିଲେ। ଏହି ଆବେଦନକୁ ଅନୁମୋଦନ ମଧ୍ୟ କରିଛନ୍ତି ରାଜ୍ୟ ସରକାର। କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଅପରାଜିତା କାହିଁକି ହଠାତ୍ ଚାକିରି ଛାଡ଼ିଲେ ତାକୁ ନେଇ କଳ୍ପନ ଜଳ୍ପନା ସୃଷ୍ଟି ହୋଇଛି।

ସ୍ୱେଚ୍ଛାକୃତ ଅବସର ପରେ ଅପରାଜିତା ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି। ବିଜେପିରେ ସାମିଲ ହୋଇ ୨୦୧୯ ନିର୍ବାଚନ ଲଢ଼ିବେ ବୋଲି ଆଲୋଚନା ହେଉଛି।

ଅପରାଜିତା ଓଡ଼ିଶାରେ ବେଶ୍ ଜଣାଶୁଣା। ୨୦୦୬ରୁ ୨୦୦୯ ଯାଏଁ ସେ ଭୁବନେଶ୍ୱର ମହାନଗର ନିଗମର କମିଶନର ଥିଲେ। ଭୁବନେଶ୍ବରର ବିକାଶ ପାଇଁ ଅପରାଜିତା ସେତେବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ଚର୍ଚ୍ଚାରେ ରହିଥିଲେ।

ଏହାସହ ଅପରାଜିତା ପଞ୍ଚାୟତିରାଜ ବିଭାଗର ସଚିବ ରହିବା ସହ ସ୍କୁଲ ଓ ଗଣଶିକ୍ଷା, ବୟନଶିଳ୍ପ ବିଭାଗର ସଚିବ ରହିଥିଲେ। ପରେ ୨୦୧୩ରେ ସେ କେନ୍ଦ୍ର ଡେପୁଟେସନରେ ଯାଇଥିଲେ। ୪ ବର୍ଷ କେନ୍ଦ୍ର ସରକାରଙ୍କ ଅଧିନରେ ରହିବା ପରେ ଏବେ ଅପରାଜିତା ରାଜନୀତି ମୁହାଁ ହୋଇଥିବା କୁହାଯାଉଛି। ସେତେବେଳେ ବିଜେଡିର ଗୁଡ୍‌ବୁକ୍‌ରେ ଅପରାଜିତା ନଥିବାରୁ କେନ୍ଦ୍ର ଡେପୁଟେସନରେ ଯାଇଥିବା କୁହାଯାଉଛି।

ଯଦି ଅପରାଜିତା ଭୁବନେଶ୍ୱରରୁ ବିଜେପିର ଲୋକସଭା ପ୍ରାର୍ଥୀ ହୁଅନ୍ତି ତାହାଲେ ଖେଳ ଜମିବ ବୋଲି ରାଜନୀତି କରିଡରରେ ଚର୍ଚ୍ଚା ହେଉଛି। କାରଣ ଭୁବନେଶ୍ୱର ଲୋକସଭା ଆସନ ୧୯୯୮ରୁ ବିଜେଡିର ପ୍ରସନ୍ନ ପାଟ୍ଟାଶାଣୀଙ୍କ ହାତରେ ରହିଛି।

ଏସବୁ ଚର୍ଚ୍ଚା ଭିତରେ ଅପରାଜିତା ଶୁକ୍ରବାର ଦିନ ଟୁଇଟ୍ କରିଛନ୍ତି। ସେ କହିଛନ୍ତି, “କେବଳ ବଞ୍ଚିବା ମୋ’ ଜୀବନର ଲକ୍ଷ୍ୟ ନୁହେଁ।  ସମାଜ ପାଇଁ କିଛି କରିବାର ଲକ୍ଷ୍ୟ ରହିଛି।”

ଏହି ଟୁଇଟ୍‌ ଜରିଆରେ ଯଦିଓ ଅପରାଜିତା ରାଜନୀତିରେ ଯୋଗ ଦେବା ସମ୍ପର୍କରେ କିଛି କହି ନାହାନ୍ତି, ହେଲେ ଏହା ଅନେକ ସଙ୍କେତ ଦେଉଛି।

ପ୍ରଶାସକରୁ ନେତା

ନିକଟରେ ବହୁ ପ୍ରଶାସନିକ ଅଧିକାରୀ ଚାକିରିରୁ ଅବସର ନେବା ପରେ ରାଜନୀତିରେ ଯୋଗ ଦେଇଛନ୍ତି। ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକ ବିଜେଡିରେ ସାମିଲ ହୋଇଛନ୍ତି। ସେ ବିଜୁ ଯୁବ ବାହିନୀର ମୁଖ୍ୟ ରହିଛନ୍ତି। ସେହିପରି ପୂର୍ବତନ ଏଜି ଅମର ପଟ୍ଟନାୟକ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି। ତାଙ୍କୁ ଦଳର ମୁଖପାତ୍ର ଏବଂ ଆଇଟି ସେଲ୍‌ର ଦାୟିତ୍ୱ ଦିଆଯାଇଛି। ସେହିପରି ପୂର୍ବତନ ପ୍ରଶାସକ ଅଶୋକ ତ୍ରିପାଠୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି।

Comment