ଓଡ଼ିଶାଲାଇଭ୍‌ ବ୍ୟୁରୋ

ବେଆଇନ ବାଲି ଉଠାଣ ଉପରେ ରୋକ ଲଗାଇବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଲେ ଟ୍ରିବ୍ୟୁନାଲ।

କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳର ବ୍ରାହ୍ମଣୀ ନଦୀ ଶଯ୍ୟାରୁ ବେଆଇନ ଭାବେ ଦୈନିକ ଶହ ଶହ ଟ୍ରିପ ବାଲି ଉଠାଣ ହେଉଥିବା ଅଭିଯୋଗ ହୋଇଛି। ଏହାଦ୍ୱାରା ବାଲି ମାଫିଆମାନେ ମାଲାମାଲ ହେଉଛନ୍ତି।

ବେଆଇନ ବାଲି ଉଠାଣ ପାଇଁ ଅଧିକାଂଶ ସ୍ଥାନରେ ନଦୀ ଲୋକଙ୍କ ପାଇଁ ବିପଦର କାରଣ ହେବାକୁ ଯାଉଛି। ନଦୀ ଶଯ୍ୟା ଖାଲଖମାରେ ପରିଣତ ହୋଇଛି।

ଏଭଳି ଅଭାବନୀୟ ଦୃଶ୍ୟ ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ନିମପୁର, ନରେନ୍ଦ୍ରପୁର ଓ ଅଳଭା ଗ୍ରାମରେ ଥିବା ବ୍ରାହ୍ମଣୀ ନଦୀର ଶଯ୍ୟାରେ ଦେଖିବାକୁ ମିଳିଛି। ଫଳରେ ନଦୀ ଜନବସତି ଆଡ଼କୁ ମୁହାଁଇଛି। ଫଳରେ ନଦୀ କୂଳ ବାସିନ୍ଦା ଭୟଭୀତ ହୋଇଯାଇଛନ୍ତି।

ଏହି ସମ୍ବେଦନଶୀଳ ଘଟଣା ପ୍ରତି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ, ବ୍ଲକ ଓ ତହସିଲ ପ୍ରଶାସନ ଏଥିପ୍ରତି ନିଘା ଦେଉ ନଥିବାରୁ ପଟ୍ଟାମୁଣ୍ଡାଇର ମନୋରଞ୍ଜନ ପ୍ରଧାନ ଓ ଅନ୍ୟମାନେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହୋଇଥିଲେ।

ଗତ ୧୨ ତାରିଖରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଏହି ମାମଲା ଉପରେରେ ଶୁଣାଣି କରିଛନ୍ତି।

ନଦୀ ଶଯ୍ୟାରୁ ଏପରି ବେଆଇନ ବାଲି ଖନନ ପରିବେଶ ଉପରେ କୁ ପ୍ରଭାବ ପକାଇଛି। ଅଭିଯୋଗକାରୀଙ୍କର ଅଭିଯୋଗ ଯଦି ସତ୍ୟ ଥାଏ ତେବେ ତୁରନ୍ତ ତଦନ୍ତ କରି ଏହାକୁ ବନ୍ଦ କରିବା ସହିତ ୭ ଦିନ ମଧ୍ୟରେ କୋର୍ଟକୁ ରିପୋର୍ଟ ଦେବାକୁ ଟ୍ରିବ୍ୟୁନାଲର ଖଣ୍ଡପୀଠ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଡିସେମ୍ବର ମାସ ୧୭ ତାରିଖରେ ଏହି ମାମଲାର ପରବର୍ତ୍ତି ଶୁଣାଣି ପାଇଁ ଖଣ୍ଡପିଠ ତାରିଖ ଧାର୍ଯ୍ୟ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଦେବାଶିଷ ତ୍ରିପାଠୀ ଓ ସହଯୋଗୀ ରାକେଶ କୁମାର ଷଡ଼ଙ୍ଗୀ ମାମଲା ପରିଚାଳନା କରୁଛନ୍ତି।

LEAVE A REPLY

Please enter your comment!
Please enter your name here