ଓଡ଼ିଶାଲାଇଭ୍ ବ୍ୟୁରୋ

ଚାଷୀ ଝଡ଼ରେ ଧୋଇଗଲା ଶୀତକାଳୀନ ଅଧିବେଶନର ପ୍ରଥମ ଦିନ।

ଚାଷୀ ପ୍ରସଙ୍ଗକୁ ନେଇ ହୁଲସ୍ତୁଲ ହେଲା ବିଧାନସଭା। ବିରୋଧୀ କଂଗ୍ରେସ ସଭ୍ୟଙ୍କ ନାରାବାଜୀ ଏବଂ ସ୍ଲୋଗାନରେ ଶୀତ ଅଧିବେଶନର ପ୍ରଥମ ଦିନ ଧୋଇ ହୋଇଯାଇଛି। ଗୃହ କାର୍ଯ୍ୟ ଚାଲି ନପାରିବାରୁ ବାଚସ୍ପତି ପ୍ରଦୀପ କୁମାର ଅମାତ ଗୁରୁବାର ଯାଏଁ ବିଧାନସଭାକୁ ମୁଲତବି କରିଛନ୍ତି।

ଶୁକ୍ରବାର ଥିଲା ଶୀତକାଳୀନ ଅଧିବେଶନର ପ୍ରଥମ ଦିନ। ଶୋକ ପ୍ରସ୍ତାବ ଆଗତ ହେବା ପରେ  ଗୃହର ମଧ୍ୟଭାଗକୁ ଚାଲି ଆସିଥିଲେ କଂଗ୍ରେସ ସଭ୍ୟ। ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ବାତିଲ କରି ଚାଷୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ପାଇଁ କଂଗ୍ରେସ ସଭ୍ୟମାନେ ଦାବି କରିଥିଲେ। ହେଲେ ବାଚସ୍ପତି ଗୃହ କାର୍ଯ୍ୟକୁ ଆଗକୁ ନେଇଥିଲେ।

କଂଗ୍ରେସ ସଭ୍ୟମାନେ ହୋ-ଡଳ୍ଳା କରିବାକୁ ବାଚସ୍ପତି ପ୍ରଥମେ ୧୨ଟା୧୪ ମିନିଟ ପର୍ଯ୍ୟନ୍ତ ଗୃହ ମୁଲତବୀ କରିଥିଲେ। ୧୨ଟା୧୪ ପରେ ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି କଂଗ୍ରେସ ସଭ୍ୟ ନିଜ ଜିଦରେ ଅଟଳ ରହିଥିଲେ। ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢ଼ିବାକୁ ଉଦ୍ୟମ କରିଥିଲେ କଂଗ୍ରେସ ବିଧାୟକ। ଫଳରେ ଗୃହ ଗୁରୁବାର ଯାଏଁ ମୁଲତବି କରିଥିଲେ ବାଚସ୍ପତି।

“ଆମେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ବାତିଲ କରି ଚାଷୀ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଦାବି କରିଥିଲୁ। କିନ୍ତୁ ଆମ ଦାବି ରହିଲାନି। ଚାଷୀଙ୍କ ସ୍ୱାର୍ଥ ରକ୍ଷା କରିବା ଦିଗରେ ସରକାର ଆଗ୍ରହ ଦେଖାଉ ନାହାନ୍ତି”, କହିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର।

କୃଷକ ଆନ୍ଦୋଳନକୁ ଚପାଇ ଦେବାକୁ ଉଦ୍ୟମ କରି ସରକାର ଗଣତନ୍ତ୍ରର ହତ୍ୟା କରିବାକୁ ଚାହୁଁଥିବା ନରସିଂହ ଅଭିଯୋଗ କରିଛନ୍ତି।

Comment