ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଉରକେଲା ବିଧାୟକ ଦିଲ୍ଲୀପ ରାୟଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ପରିବହନ ମନ୍ତ୍ରୀ।

ଦଶବର୍ଷ ମଧ୍ୟରେ ଓଡ଼ିଶାରେ ୮୨ ହଜାରରୁ ଅଧିକ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଥିବା ବେଳେ ମୋଟରଯାନ ଆଇନ୍ ଉଲ୍ଲଙ୍ଘନ ଅଭିଯୋଗରେ ୪୮୬ କୋଟି ଟଙ୍କାର ଜରିମାନା ଆଦାୟ ହୋଇଛି। ଏହି ବର୍ଷଗୁଡ଼ିକରେ ରାଜ୍ୟରେ ଲକ୍ଷାଧିକ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୪୩ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ବିଧାନସଭାରେ ପଚାରିଥିବା ପ୍ରଶ୍ନର ଉତ୍ତରରେ ପରିବହନ ମନ୍ତ୍ରୀ ଡାକ୍ତର ନୃସିଂହ ଚରଣ ସାହୁ ଏହି ତଥ୍ୟ ଦେଇଛନ୍ତି।

୨୦୦୮ ବର୍ଷରେ ରାଜ୍ୟରେ ୮୧୮୧ଟି ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୩୦୭୯ ଲୋକ ମରିଥିଲେ। ୪୩୬୩ ଜଣ ଗୁରୁତର ଭାବେ ଓ ୫୫୯୪ ଜଣ ସାମାନ୍ୟ ଆଘାତପ୍ରାପ୍ତ ହୋଇଥିଲେ।

୨୦୧୭ ବର୍ଷରେ ୧୦୮୫୫ଟି ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ଉକ୍ତ ମୃତ୍ୟୁ ସଂଖ୍ୟା ଥିଲା ୪୭୯୦। ଏହି ବର୍ଷ ୫୪୧୨ ଜଣ ଗୁରୁତର ଭାବେ ଆହତ ହୋଇଥିବା ବେଳେ ୫୭୯୨ ଜଣ ସାମାନ୍ୟ ଆହତ ହୋଇଥିଲେ।

୨୦୧୮ ବର୍ଷର ସେପ୍ଟେମ୍ବର ସୁଦ୍ଧା ଓଡ଼ିଶାରେ ୮୨୯୨ଟି ସଡ଼କ ଦୁର୍ଘଟଣା ଦରଜ ହୋଇଥିବା ବେଳେ ୩୮୧୭ ଜଣ ଲୋକ ପ୍ରାଣ ହରାଇଥିଲେ। ଏହି ବର୍ଷ ୮୭୧୮ ଜଣ ଆହତ ହୋଇଥିବା ମନ୍ତ୍ରୀଙ୍କ ତଥ୍ୟରୁ ଜଣାପଡ଼ିଛି।

ମୋଟାମୋଟି ଭାବେ ଓଡ଼ିଶାରେ ୨୦୦୮ରୁ ୨୦୧୮ ସେପ୍ଟେମ୍ବର ପର୍ଯ୍ୟନ୍ତ ୧,୦୪,୭୧୩ଟି ସଡ଼କ ଦୁର୍ଘଟଣାରେ ୪୩,୩୧୨ ଜଣଙ୍କ ମୃତ୍ୟୁ ଘଟିଥିବା ପରିବହନ ମନ୍ତ୍ରୀ ସ୍ୱୀକାର କରିଛନ୍ତି। ପରିବହନ ମନ୍ତ୍ରୀ ପୁଣି ଦର୍ଶାଇଛନ୍ତି ଯେ ୨୦୦୯-୧୦ ବର୍ଷରେ ବିନା ଲାଇସେନ୍ସରେ ଗାଡ଼ିଚାଳନା କରୁଥିବା ବେଳେ ୮୩୪୨ ଜଣ ଧରାପଡ଼ିଥିଲେ। ସେମାନଙ୍କଠାରୁ ୪୧ ଲକ୍ଷ ଟଙ୍କାରୁ ଅଧିକ ଜରିମାନା ଆଦାୟ କରାଯାଇଥିଲା।

ଏହି ବର୍ଷରେ ବେପରୁଆ ଗାଡ଼ିଚାଳନା ଅଭିଯୋଗରେ ୨୨୪୮ ଜଣଙ୍କୁ ଧରା ଯାଇଥିଲା। ସେମାନଙ୍କଠାରୁ ସାଢ଼େ ୧୫ ଲକ୍ଷ ଟଙ୍କାରୁ ଅଧିକ ଜରିମାନା ଆଦାୟ କରାଯାଇଥିବା ବେଳେ ମୋଟ୍ ୧୦୯୪ଟି ମାମଲା ରୁଜୁ ହୋଇଥିଲା।

୨୦୧୬-୧୭ ବର୍ଷରେ ପରିବହନ ବିଭାଗ କର୍ତ୍ତୃପକ୍ଷ ଯାଞ୍ଚ ବେଳେ ୩୧,୩୨୧ଟି ବିନା ଲାଇସେନ୍ସ ଗାଡ଼ିଚାଳନା ଘଟଣା ଧରିବା ସହିତ ୧୭୨ ଲକ୍ଷ ଟଙ୍କାରୁ ଅଧିକ ଜରିମାନା ଆଦାୟ କରିଥିଲେ। ସେହିପରି ୨୩,୧୮୦ଟି ଦ୍ରୁତ ଓ ବେପରୁଆ ଗାଡ଼ିଚାଳନା ମାମଲା ଧରାଯିବା ସହିତ ୨୩୮ ଲକ୍ଷ ଟଙ୍କାରୁ ଅଧିକ ଜରିମାନା ଆଦାୟ ହୋଇଥିଲା । ମୋଟାମୋଟି ଭାବେ ଉକ୍ତ ବର୍ଷରେ ଏ ସଂକ୍ରାନ୍ତୀୟ ୭୩୬୬ଟି ମାମଲା ରୁଜୁ ହୋଇଥିଲା।(ଏଜେନ୍ସୀ)

Comment