ଓଡ଼ିଶାଲାଇଭ୍ ବ୍ୟୁରୋ

ଯଦି ଆପଣଙ୍କର ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଆକାଉଣ୍ଟ ଅଛି ଏବଂ ଆପଣ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଏହି ଖବର ଗୁରୁତ୍ୱପୂର୍ଣ୍ଣ। କାରଣ ୧ ଡିସେମ୍ବରଠାରୁ ଏ ଦିଗରେ ଏକ ଟାଣୁଆ ପଦକ୍ଷେପ ନେବାକୁ ଯାଉଛି ବ୍ୟାଙ୍କ।

ଭାରତୀୟ ଷ୍ଟେଟ ବ୍ୟାଙ୍କ ନିଜର ଅଫିସିଆଲ ୱେବସାଇଟ୍‌ରେ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି। ଯଦି ଆପଣ ଏସବିଆଇ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ସେବା ବ୍ୟବହାର କରୁଛନ୍ତି, କିନ୍ତୁ ଆପଣ ଏପର୍ୟ୍ୟନ୍ତ ନିଜ ମୋବାଇଲ ନମ୍ବର ବ୍ୟାଙ୍କ ଆକାଉଣ୍ଟ ସହିତ ରେଜିଷ୍ଟର କରିନାହାନ୍ତି, ତେବେ ନଭେମ୍ବର ୩୦ ସୁଦ୍ଧା କରାଇନିଅନ୍ତୁ। ନହେଲେ ଡିସେମ୍ବର ୧ରୁ ଆପଣ ଇଣ୍ଟରନେଟ ମାଧ୍ୟମରେ କାରବାର କରିପାରିବେ ନାହିଁ।

ଆଜି ଦେଶର ଅଧିକାଂଶ ଗ୍ରାହକ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସେବା ବ୍ୟବହାର କରୁଛନ୍ତି। ପ୍ରଥମ ଦଫାରେ ବିଭିନ୍ନ ବ୍ୟାଙ୍କର ସାଇଟ୍ ମାଧ୍ୟମରେ ଏହି ସେବା ଆରମ୍ଭ ହୋଇଥିଲା। ତେବେ ମୋବାଇଲ ଆପ୍‌ର ବ୍ୟାପକ ଲୋକପ୍ରିୟତା ଏବଂ ଫୋନ ବ୍ୟାଙ୍କିଙ୍ଗ୍ ସେବା ଭଳି ଅତ୍ୟାଧୁନିକ ଓ ତତ୍‌କାଳ ବ୍ୟବସ୍ଥା ଆରମ୍ଭ ହେବା ଫଳରେ ଏବେ ଡିଜିଟାଲ ବ୍ୟାଙ୍କିଙ୍ଗର ଏକ ନୂଆ ଯୁଗ ଆରମ୍ଭ ହୋଇଛି। ତେବେ ଏସବୁ ଆଧୁନିକ ମାଧ୍ୟମର ପ୍ରୟୋଗ ସତ୍ୱେ ଅନେକ ଗ୍ରାହକ ବ୍ୟାଙ୍କରେ ସେମାନଙ୍କ ମୋବାଇଲ ନମ୍ବର ରେଜିଷ୍ଟର କରିନାହାନ୍ତି। ଫଳରେ ଗ୍ରାହକମାନଙ୍କୁ ନିରାପଦ ଡିଜିଟାଲ ବ୍ୟାଙ୍କିଙ୍ଗ  ଯୋଗାଇଦେବା ବ୍ୟାଙ୍କଗୁଡ଼ିକ ପାଇଁ ଏକ ଆହ୍ୱାନ ହୋଇଛି।

କାହିଁକି ଜରୁରୀ ମୋବାଇଲ ନମ୍ବର?

ଆଜିର ଦିନରେ ମୋବାଇଲ ହେଉଛି ଡିଜିଟାଲ ବ୍ୟାଙ୍କିଙ୍ଗର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। କେବଳ ସେତିକି ନୁହେଁ, ଇଣ୍ଟରନେଟ ବା ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ନିରାପଦ ନେଣଦେଣ ପାଇଁ ବ୍ୟବହାର ହେଉଥିବା ଓଟିପି ମୋବାଇଲ ଫୋନ ଜରିଆରେ ମିଳିଥାଏ। ତେଣୁ ଗ୍ରାହକଙ୍କ ମୋବାଇଲ ନମ୍ବର ବ୍ୟାଙ୍କରେ ପଞ୍ଜୀକୃତ ହୋଇନଥିଲେ ଏହି ଅନ୍‌ଲାଇନ୍‌ ସେବାକୁ ସୁରକ୍ଷିତ କରିବା ସମ୍ଭବପର ନୁହେଁ। ତେବେ ଆପଣଙ୍କୁ ମୋବାଇଲ ନମ୍ବର ଅପଡେଟ୍ କରିବା ପାଇଁ ଏସବିଆଇ ଶାଖାକୁ ଯିବାକୁ ହେବ। ଥରେ ଆପଣଙ୍କ ମୋବାଇଲ ନମ୍ବର ବ୍ୟାଙ୍କ ଖାତା ସହ ଯୋଡ଼ି ହୋଇଗଲେ ପ୍ରତିଟି ଟ୍ରାନ୍‌ଜାକସନ୍‌ ବାବଦରେ ଆପଣଙ୍କୁ ତୁରନ୍ତ ଏସଏମଏସ ମିଳିପାରିବ।

ନିଜ ବ୍ୟାଙ୍କ ଖାତା ସହିତ ମୋବାଇଲ ନମ୍ବର ଅପଡେଟ୍ କରିବା ଏଥିପାଇଁ ଜରୁରୀ, ଆପଣଙ୍କୁ ପ୍ରତି ନେଣଦେଣର ସୂଚନା ମିଳିପାରିବ। ତେଣୁ ଯଦି କୌଣସି ଘଟଣାରେ ଆପଣଙ୍କ ସହ କୌଣସି ଠକେଇ ହୋଇଥାଏ ଅର୍ଥାତ ଆପଣଙ୍କର ଅଜାଣତରେ କୌଣସି କାରବାର ହୋଇଥାଏ, ଆପଣ ଏସମ୍ପର୍କରେ ମୋବାଇଲ ମାଧ୍ୟମରେ ମିଳିଥିବା ସୂଚନାକୁ ଆଧାର କରି ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଆପଣଙ୍କ ବ୍ୟାଙ୍କ ନିକଟରେ ଅଭିଯୋଗ କରିପାରିବେ। ଫଳରେ ଆପଣ ଏହାଦ୍ୱାରା ସମ୍ଭାବ୍ୟ ଠକେଇରୁ ନିଜକୁ ସୁରକ୍ଷିତ ରଖିପାରିବେ।

Comment