ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଖ୍ୟାତ ବିଜ୍ଞାପନ ବିଶାରଦ ଓ ଥିଏଟର ନିର୍ଦ୍ଦେଶକ ଆଲେକ ପଦମ୍‌ସୀଙ୍କ ପରଲୋକ ଘଟିଛି। ୯୦ ବର୍ଷ ବୟସରେ ଛାଡ଼ିଲେ ଶେଷ ନିଶ୍ୱାସ।

ପ୍ରଖ୍ୟାତ ବିଜ୍ଞାପନ ବିଶାରଦ, ଥିଏଟର ନିର୍ଦ୍ଦେଶକ ଏବଂ ଅଭିନେତା ଆଲେକ ପଦମ୍‌ସୀ ଆଉ ନାହାନ୍ତି। ଶନିବାର ମୁମ୍ବାଇଠାରେ ୯୦ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି।

ତାଙ୍କୁ ଫାଦର ଅଫ୍‌ ଇଣ୍ଡିଆନ ଆଡଭର୍ଟାଇଜିଂ ବୋଲି କୁହାଯାଏ। ସେ ‘ହମାରା ବଜାଜ’, ‘ ଦି ଏମ୍‌ଆର୍‌ଏଫ୍‌ ମସଲମ୍ୟାନ୍‌’, ‘ଦି କାମସୁତ୍ର କପୁଲ’, ‘ଲଲିତାଜୀ ଫର ସର୍ଫ’, ‘ଦି ଲିରିଲ ଗାର୍ଲ’ ଭଳି ପ୍ରସିଦ୍ଧି ଲାଭ କରିଥିବା ବିଜ୍ଞାପନର ମାଷ୍ଟରମାଇଣ୍ଡ ଥିଲେ।

୧୯୮୨ ମସିହାରେ ନିର୍ମିତ ଫିଲ୍ମ ‘ଗାନ୍ଧି’ରେ ସେ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଭୂମିକାରେ ଅଭିନୟ କରି ବେଶ୍‌ ଲୋକପ୍ରିୟ ହୋଇଥିଲେ।

ସୃଜନଶୀଳତା କ୍ଷେତ୍ରରେ ତାଙ୍କର ଅବଦାନ ଅନେକ। ୨୦୦୦ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ। ଏଥିସହ ତାଙ୍କୁ ମୁମ୍ବାଇରେ ଥିବା ଆଡଭର୍ଟାଇଜିଂ କ୍ଲବ ପକ୍ଷରୁ “ଆଡଭର୍ଟାଇଜିଂ ମ୍ୟାନ୍‌ ଅଫ୍‌ ଦି ସେଞ୍ଚୁରି” ସମ୍ମାନ ମଧ୍ୟ ମିଳିଥିଲା। ଟାଗୋର ରତ୍ନରେ ମଧ୍ୟ ସେ ସମ୍ମାନିତ ହୋଇଥିଲେ।

ତାଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପର୍ଯ୍ୟନ୍ତ ସମସ୍ତେ ଗଭୀର ଶୋକପ୍ରକାଶ କରିଛନ୍ତି। ଆଲେକଙ୍କ ବିୟୋଗରେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ତାହା ପୂରଣ କରିବା ସହଜ ନୁହେଁ।

ଆଲେକ ୧୯୨୮ରେ ଗୁଜରାଟର ଏକ ଖୋଜା ମୁସଲିମ ପରିବାରରେ ଜନ୍ମ ଗ୍ରହଣ କରିଥିଲେ।

Comment