ଓଡ଼ିଶାଲାଇଭ୍ ପ୍ରମୁଖ ପ୍ରତିନିଧି

ଓଡ଼ିଶା କ୍ୟାଡରର ଆଇଏଏସ୍ ଅଫିସର ଅପରାଜିତା ଷଡ଼ଙ୍ଗୀ ଚାକିରି ଛାଡ଼ି ସକ୍ରିୟ ରାଜନୀତିରେ ପଶିବା ବିଷୟକୁ ନେଇ ଉଠୁଛି ପଡୁଛି ଓଡ଼ିଶା!

ସ୍ୱେଚ୍ଛାକୃତ ଅବସର ନେଉଥିବା ଓଡ଼ିଶା କ୍ୟାଡର୍ ଆଇଏଏସ୍ ଅଫିସର୍ ଅପରାଜିତା ଷଡ଼ଙ୍ଗୀକୁ ନେଇ ଗତ କିଛି ଦିନ ଧରି ଯେଉଁ ଚର୍ଚ୍ଚା ଚାଲିଥିଲା ତାହା ଏବେ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମ୍ୟାଡାମ୍ ଅପରାଜିତା ସକ୍ରିୟ ରାଜନୀତିରେ ପଶିବା ଜଳଜଳ ହୋଇ ଦିଶୁଛି। ବିଶେଷକରି ପ୍ରଧାନମନ୍ତ୍ରୀ ତାଙ୍କର ଇସ୍ତଫା ପତ୍ରକୁ ଗ୍ରହଣ କରିନେବା ବାବଦରେ ଅପରାଜିତା ତାଙ୍କର ସୋସିଆଲ୍ ମିଡିଆ ଆକାଉଣ୍ଟରେ ମୋଦିଙ୍କୁ ଯେଭଳି ଭାବେ ଗଦ୍‌ ଗଦ୍ ହୋଇ କୃତଜ୍ଞତା ଜଣାଇଛନ୍ତି ଏଥିରୁ ସେ ପଦ୍ମ ଧରିବା କଥାଟା ଅନେକଙ୍କୁ ଦିଶୁଛି।


କିଛି ଦିନ ତଳେ ଅପରାଜିତା ଷଡ଼ଙ୍ଗୀ ଇଚ୍ଛାକୃତ ଭାବେ ଅବସର ଗ୍ରହଣ କରିବା ପାଇଁ ସରକାରଙ୍କୁ ନିବେଦନ କରିଥିଲେ। ଓଡ଼ିଶା କ୍ୟାଡରର ଆଇଏଏସ୍ ଅଫିସର ଶ୍ରୀମତୀ ଷଡ଼ଙ୍ଗୀ ରାଜ୍ୟରେ ଦୀର୍ଘ ବର୍ଷ ବିଭିନ୍ନ ପଦ ପଦବୀ ସମ୍ଭାଳିବା ପରେ ଏହି କିଛି ବର୍ଷ ତଳେ କେନ୍ଦ୍ରକୁ ଯାଇଥିଲେ। ନବୀନଙ୍କ ପଲିଟିକାଲ୍ ଓ ପ୍ରଶାସନିକ କରିଡର୍‌ର କିଛି ଛାମୁଆ ବ୍ୟକ୍ତିଙ୍କ ସହ ତାଙ୍କର ମନ ନ ମିଶିବା ସେ କେନ୍ଦ୍ରକୁ ଯିବା ପଛରେ ଅନ୍ୟତମ କାରଣ ବୋଲି ସେତେବେଳେ ଚର୍ଚ୍ଚା ହୋଇଥିଲା। ଅପରାଜିତା ଷଡ଼ଙ୍ଗୀ ସେହି ଚର୍ଚ୍ଚାକୁ ଆଜି ଏକପ୍ରକାର ସତ୍ୟରେ ପରିଣତ କରିଛନ୍ତି।

ସବୁବେଳେ ଚର୍ଚ୍ଚିତ ଅପରାଜିତା?

ଅପରାଜିତା ଦୀର୍ଘ ବର୍ଷ ଓଡ଼ିଶାରେ କାମ କରିଛନ୍ତି। ତେବେ ସେ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନର କମିଶନର୍ ଥିବା ବେଳେ ସାଧାରଣରେ ତାଙ୍କ ସକ୍ରିୟତା ଦେଖିବାକୁ ମିଳିଥିଲା। ସେହିପରି ପରବର୍ତ୍ତୀ ସମୟରେ ଗଣଶିକ୍ଷା ବିଭାଗର ଶାସନ ସଚିବ ଥିବା ବେଳେ ସେ ତାଙ୍କ ପ୍ରଶାସନିକ ଦକ୍ଷତା ଦେଖାଇଥିଲେ। କେବଳ ପ୍ରଶାସନିକ ଦକ୍ଷତା କି ନେତୃତ୍ୱ ନୁହେଁ ଅନେକ କ୍ଷେତ୍ରରେ ସେ ଫ୍ରଣ୍ଟ୍ ଫୁଟ୍‌ରେ ଖେଳିବାକୁ ପସନ୍ଦ କରୁଥିବାରୁ ଏହି ଦୁଇ ପଦବୀରେ ଥିବା ବେଳେ ତାଙ୍କୁ ଅନେକ ଡରୁଥିଲେ। ରାଜ୍ୟର ଲକ୍ଷ ଲକ୍ଷ ପ୍ରାଥମିକ ଶିକ୍ଷୟିତ୍ରୀଙ୍କୁ ସେମାନଙ୍କ ଇଚ୍ଛା ବିରୋଧରେ ୟୁନିଫର୍ମ ହିସାବରେ ଗୋଲାପି ଶାଢ଼ି ପିନ୍ଧାଇବାରେ ସକ୍ଷମ ହୋଇଥିଲେ ଅପରାଜିତା। ମୋଟାମୋଟି ଭାବେ ଓଡ଼ିଶା ଛାଡ଼ିବାର କିଛି ବର୍ଷ ପୂର୍ବରୁ ଆଇଏଏସ୍ ଅପରାଜିତା ଷଡ଼ଙ୍ଗୀ ବେଶ୍ ଚର୍ଚ୍ଚିତ ଥିଲେ।

ସବୁ ଦଳରେ ଚର୍ଚ୍ଚା

ଅପରାଜିତା ମ୍ୟାଡାମ୍ ସିଧାସଳଖ ଭାବେ ରାଜନୀତିରେ ପ୍ରବେଶ କରିବା କଥା ଘୋଷଣା କରିନାହାନ୍ତି। କିନ୍ତୁ ଗତ କିଛିଦିନର ଗତିବିଧିକୁ ଦେଖିଲେ ମନେହୁଏ ଯେ ତାଙ୍କର ରାଜନୀତିରେ ପ୍ରବେଶ ନେଇ ଆଉ କୌଣସି ସନ୍ଦେହର ଅବକାଶ ନାହିଁ। ବିଭିନ୍ନ ରାଜନୈତିକ ଦଳ ମଧ୍ୟ ଏ ବିଷୟରେ ପ୍ରତିକ୍ରିୟା ରଖିଲେଣି।

ଅପରାଜିତା ଷଡ଼ଙ୍ଗୀ ଚାକିରିରୁ ଅବସର ନେଇ ଯଦି ରାଜନୀତିରେ ପ୍ରବେଶ କରନ୍ତି ତେବେ ବିଜେପି ଏହାକୁ ସ୍ୱାଗତ କରି ବ। ଏକଥା କହିଛନ୍ତି ଦେଶର ବରିଷ୍ଠ ନେତା ପ୍ରଦୀପ ପୁରୋହିତ। ଯଦିଓ ଅପରାଜିତାଙ୍କ ଏହି ନୂଆ ଅବତାରକୁ ନେଇ ଓଡ଼ିଶା ବିଜେପିର ବିଭିନ୍ନ ମହଲରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଗୁଞ୍ଜରିତ ହେଉଛି ତେବେ ମୋଟୋମୋଟି ଭାବେ ରାଜ୍ୟର ନେତାମାନେ ତାଙ୍କୁ ସ୍ୱାଗତ କରିବାକୁ ଏକ ପ୍ରକାର ପ୍ରସ୍ତୁତ ହୋଇଗଲେଣି। ରାଜ୍ୟ ବିଜେପିର ଏହି ପ୍ରସ୍ତୁତି ପଛର ସବୁଠୁ ବଡ କାରଣ ହେଉଛି ଏହି ଯେ ମ୍ୟାଡାମ୍ ସିଧାସଳଖ ଦିଲ୍ଲୀରୁ ଆସୁଛନ୍ତି। ଅପରାଜିତାଙ୍କ ପଛରେ କାହାର ଆଶୀର୍ବାଦ ରହିଛି ସେ କଥା ସ୍ପଷ୍ଟ ନ ହେବା ପର୍ଯ୍ୟନ୍ତ ମୁହଁ ଖୋଲିଲେ ମହାପାପ!

ଅପରାଜିତାଙ୍କ ପ୍ରସଙ୍ଗରେ ବିଜେଡି ମଧ୍ୟ ନିଜର ପ୍ରତିକ୍ରିୟା ରଖିଛି। ଦଳର ଉପ-ସଭାପତି ଦେବୀ ମିଶ୍ର କହିଛନ୍ତି ଯେ ଯଦି ଅପରାଜିତା ତାଙ୍କ ଦଳରେ ଯୋଗ ଦେବାକୁ ଚାହାଁନ୍ତି ତେବେ ବିଜେଡ଼ି ତାକୁ ସ୍ୱାଗତ କରିବ। କିନ୍ତୁ ଓଡ଼ିଶା ରାଜନୀତିରେ ଅପରାଜିତାଙ୍କ ପ୍ରବେଶ ବିଜେଡି ଭଳି ଆଞ୍ଚଳିକ ଦଳ ଉପରେ କି ପ୍ରଭାବ ପକାଇବ ସେ ନେଇ ବିଜେଡି ମହଲରେ ମଧ୍ୟ ଚର୍ଚ୍ଚା ଜୋର୍‌ ଧରିଛି।

ସୋସିଆଲ୍ ମିଡିଆ ଉଠୁଛି ପଡୁଛି!

ଅପରାଜିତା ଷଡ଼ଙ୍ଗୀକୁ ନେଇ ଏବେ ସୋସିଆଲ୍ ମିଡିଆରେ ଚାଲିଛି ଗରମାଗରମ ଚର୍ଚ୍ଚା। ନିଜେ ଅପରାଜିତା ଏହି କିଛି ଦିନ ହେଲା ଟୁଇଟର୍ ମାଧ୍ୟମରେ ବେଶ୍ ସକ୍ରିୟ ହୋଇ ଉଠିଛନ୍ତି। ଯଦିଓ ସେ ରାଜନୀତିରେ ଯୋଗଦେବା ସମ୍ପର୍କରେ ସିଧାସଳଖ ଭାବେ ଗୋଟିଏ ବି ଶବ୍ଦ ଲେଖିନାହାନ୍ତି ତେବେ ବି ତାଙ୍କର ପ୍ରତିଟି ମେସେଜ୍ ଭିତରେ ରାଜନୈତିକ ଭାବନା ଓ ପ୍ରତିକ୍ରିୟା ଦିଶିଯାଉଛି।

୧୯୯୪ ବ୍ୟାଚ୍ ଆଇଏଏସ୍ ଅଫିସର ଅପରାଜିତା ଷଡ଼ଙ୍ଗୀ ‘ମୁଁ ନୁହେଁ ଆମେ’ ସ୍ୱରରେ କଥା କହିବା ଆରମ୍ଭ କରିଛନ୍ତି। ଓଡ଼ିଶାର ଜନସାଧାରଣଙ୍କ ଆଶୀର୍ବାଦ ଅପେକ୍ଷାରେ ଥିବା ଅପରାଜିତା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି। ଶ୍ରୀ ଜଗନ୍ନାଥଙ୍କ ରଥକୁ ହଜାର ହଜାର ଜନତା ଶ୍ରଦ୍ଧାର ସହ ଭିଡ଼ି ନେଇଥାନ୍ତି। ଏହା ଜଣଙ୍କର କାମ ନୁହେଁ। କୌଣସି ବଡ ସଫଳତା ପାଇଁ ‘ମୁଁ’ ନୁହେଁ ବରଂ ‘ଆମେ’ ବୋଲି ଅପରାଜିତା ଷଡ଼ଙ୍ଗୀ ଏକ ଟୁଇଟର୍ ମେସେଜ୍‌ର ଉତ୍ତରରେ କହିଛନ୍ତି।

ଅପରାଜିତା ତାଙ୍କ ବିଏମ୍‌ସି କମିଶନର୍ ସମୟର ‘ପ୍ରୋଗ୍ରେସ୍ ଥ୍ରୁ ପାର୍ଟନରସିପ୍’ କଥା ମନେ ପକାଇଛନ୍ତି। ପ୍ରଶାସନିକ ଅଧିକାରୀ ହିସାବରେ ଏକ ଲମ୍ବା ଇନିଂସ୍ ଖେଳିବା ପରେ ଏବେ ସେ ଯେଉଁ ନୂଆ ଦୁନିଆରେ ପ୍ରବେଶ କରିବାକୁ ଯାଉଛନ୍ତି ସେଠି ମଧ୍ୟ ‘ପ୍ରୋଗ୍ରେସ୍’ ଅର୍ଥାତ୍ ସଫଳତା ପାଇବା ପାଇଁ ତାଙ୍କୁ ‘ପାର୍ଟନରସିପ୍’ ବା ସହଯୋଗର ଯେ ଅତ୍ୟନ୍ତ ଆବଶ୍ୟକ ଏହିକଥା ହିଁ କହିବାକୁ ଚାହିଁଛନ୍ତି ଅପରାଜିତା।

ସୋସିଆଲ୍ ମିଡିଆରେ ବିଭିନ୍ନ ଲୋକଙ୍କ ପ୍ରଶ୍ନ ଓ ପ୍ରତିକ୍ରିୟାର ଗୋଟି ଗୋଟି ଜବାବ ଦେଉଛନ୍ତି ଅପରାଜିତା। ଜଣାଅଜଣା ପ୍ରାୟ ସମସ୍ତଙ୍କୁ ଜବାବ୍ ଦେବା ସହ ଧନ୍ୟବାଦ ଦେବାକୁ ଭୁଲୁନାହାନ୍ତି ଅପରାଜିତା।

ବିକାଶର ଧାରାକୁ ପ୍ରଶଂସା କଲେ ଅପରାଜିତା

ସୋସିଆଲ୍ ମିଡିଆରେ ଏକ ମେସେଜ୍‌ର ଉତ୍ତର ଲେଖିବା ବେଳେ ଅପରାଜିତା ଦାରିଦ୍ର୍ୟର ଦ୍ରୁତ ହ୍ରାସ, ବିକାଶର ଧାରାରେ ଗତିଶୀଳତା ଯୁବ ପିଢ଼ି ପାଇଁ ନିଯୁକ୍ତିର ସୁଯୋଗ ସୁପ୍ରଶାସନ ଏବଂ ଅଭିଯୋଗ ପରିଚାଳନା କ୍ଷେତ୍ରରେ ସଫଳତା ଭଳି କେତେକ ଶବ୍ଦ ବ୍ୟବହାର କରିଛନ୍ତି। ତେବେ ମ୍ୟାଡାମ୍ ଷଡ଼ଙ୍ଗୀ ଏହି ଶାସନ ଓ ପ୍ରଶାସନିକ ସଫଳତା କଥା କହିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହାର ପ୍ରଶଂସା କରୁଛନ୍ତି ତାହା ପାଠକମାନଙ୍କୁ ଅନୁମାନ କରିନେବାକୁ ହେବ।

କୁଆଡେ ଯିବେ ଅପରାଜିତା

ଓଡ଼ିଶାର ରାଜନୀତି ବାବଦରେ ଆଗ୍ରହ ରଖୁଥିବା ଲୋକଙ୍କ ମନରେ ପ୍ରଶ୍ନ ଯେ ଆଇଏଏସ୍ ପଦକୁ ଛାଡି ସକ୍ରିୟ ସାମାଜିକ ଜୀବନରେ ପ୍ରବେଶ କରିବାକୁ ବାହାରିଥିବା ଅପରାଜିତା ଷଡ଼ଙ୍ଗୀ କେଉଁ ଦଳରେ ଯୋଗ ଦେବେ? ଏ ବିଷୟରେ ଅବଶ୍ୟ କ୍ଷୀର ଓ ପାଣି ଆଉ କିଛି ଦିନ ଭିତରେ ସଫା ହୋଇଯିବ। ତେବେ ତାହାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅପରାଜିତା ଯେଉଁ ଦଳକୁ ଯାଆନ୍ତୁ ନା କାହିଁକି ତାଙ୍କୁ ଦଳ ଭିତରେ କେତେ ଗୁରୁତ୍ୱ ମିଳିବ ଏବଂ ୨୦୧୯ ନିର୍ବାଚନ ବେଳେ ତାଙ୍କୁ କୌଣସି ପ୍ରମୁଖ ଆସନ ବା ଭବିଷ୍ୟତର ପଦ ପଦବୀ ପାଇଁ ଉପସ୍ଥାପନ କରାଯିବ କି? ଏ ପ୍ରଶ୍ନର ଉତ୍ତର ମିଳିବାକୁ ଅବଶ୍ୟ କିଛିଟା ସମୟ ଲାଗିବ।

ସିଭିଲ୍ ସର୍ଭିସ୍ରୁ ସିଭିଲ୍ ସୋସାଇଟି?

ଆଇଏଏସ୍ ଅଫିସର ଅପରାଜିତା ଷଡ଼ଙ୍ଗୀ ସକ୍ରିୟ ପ୍ରଶାସନିକ ପଦବୀର ମୋହ ଛାଡି ସାଧାରଣ ଜୀବନକୁ ଆସୁଛନ୍ତି। ତେବେ  ସେ ଦୀର୍ଘ ୨୪ ବର୍ଷର କ୍ଷମତାର ଚଉକି ଛାଡି ଯଦି ଆସୁଛନ୍ତି ତେବେ ରାଜନୀତିକୁ ନ ଯାଇ ସିଭିଲ୍ ସୋସାଇଟିକୁ ଆସନ୍ତୁ। ଏହା ହେଲେ ସେ ସମାଜ ପାଇଁ ବାସ୍ତବରେ କିଛି କରିପାରିବେ। ଏଭଳି ଏକ କଥା ଉଠାଇଛନ୍ତି ଓଡ଼ିଶା କଂଗ୍ରେସର ପୁରୁଣା ନେତା କୈଳାସ ଆଚାର୍ଯ୍ୟ। ଅପରାଜିତା ଜଣେ ସାମାଜିକ କର୍ମୀ ହିସାବରେ କାମ କଲେ ସମାଜ ତାଙ୍କଠାରୁ ଅଧିକ ଆଶା କରିପାରିବ, ଏହି କଥା କହିବାକୁ ଚାହିଁଛନ୍ତି ରାଜନୀତି ଅପେକ୍ଷା ସାମାଜିକ ଜୀବନରେ ଅଧିକ ଗୁରୁତ୍ୱ ରଖୁଥିବା କୈଳାସ ଆଚାର୍ଯ୍ୟ।

ଆଜିର ଦିନରେ ଓଡ଼ିଶା ରାଜନୀତି ବେଶ୍ ଗତିଶୀଳ ମନେ ହେଉଛି। ଗୋଟିଏ ପଟେ ୧୮ ବର୍ଷ ମୁଖ୍ୟମନ୍ତ୍ରୀ ଆସନରେ ରହି କିମ୍ବା ନବୀନ ବାବୁ ୨୦୧୯ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି। କଂଗ୍ରେସ୍ ଶିବିରରେ କିଛିଟା ଉତ୍ସାହ ଓ କାର୍ଯ୍ୟକ୍ରମ ଦେଖିବାକୁ ମିଳୁଛି। ସେହିପରି ବିଜେଡିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ବିଜେପି ଶିବିରରେ ଉଠାପକା ଚାଲିଛି। ବିଜେପିର ତୁଙ୍ଗ ନେତା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟମାନେ ୨୦୧୯ ସିଂହାସନ ପାଇଁ ଜୋର୍‌ଦାର ଉଦ୍ୟମ ଚଳାଇଛନ୍ତି। ତେବେ ୟା’ ଭିତରେ ନବୀନ ବ୍ରାଣ୍ଡ ସାଧାରଣରେ ଆଗଧାଡିରେ ରହିଛି।

ଏଭଳି ଏକ ସମୟରେ ଅପରାଜିତା ଷଡ଼ଙ୍ଗୀଙ୍କ ଭଳି ଜଣେ ସକ୍ରିୟ ଆଇଏଏସ୍ ଅଫିସର ଚାକିରି ଛାଡି ରାଜନୀତିକୁ ପଶିବା ବିଷୟ ଅଧିକ ଆଲୋଚିତ ହେଉଛି। ବିଶେଷକରି ନବୀନ ବାବୁଙ୍କ ଲୋକପ୍ରିୟ ଶାସନ ପଛରେ ପ୍ରଶାସନିକ ଅଧିକାରୀଙ୍କ ଯେଉଁ ସକ୍ରିୟ ହାତ ରହିଛି ତାକୁ ପ୍ରତିହତ କରିବା ପାଇଁ ବିଜେପି ମଧ୍ୟ ବାଟ ଖୋଜୁଥିବା ଚର୍ଚ୍ଚା ହେଉଛି। ଅପରାଜିତା ଷଡ଼ଙ୍ଗୀ ଏହି ଲଢ଼େଇର ଏକ ଘୋଡ଼ା ହୋଇପାରନ୍ତି। ଆଉ ମନେ ରଖିବା କଥା ହେଉଛି ଯେ, ମ୍ୟାଡାମ୍ ସିଧା ଦିଲ୍ଲୀରୁ ଆସୁଛନ୍ତି।

Comment