ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଓଡ଼ିଶାର ସଂସ୍କୃତି ଓ ଏଠାକାର ବିଧାୟକଙ୍କ  ବିରୁଦ୍ଧରେ ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାର ମିତ୍ରଙ୍କ କ୍ଷମା ପ୍ରାର୍ଥନାକୁ ବିଧାନସଭା ଗୃହ କମିଟି ପକ୍ଷରୁ ଶନିବାର ଗ୍ରହଣ କରାଯାଇଛି। କ୍ଷମା ପ୍ରାର୍ଥନାକୁ ଗ୍ରହଣ କରିବା ସହ ଏହି ମାମଲାର ଅନ୍ତ ଘଟାଇବା ପାଇଁ କମିଟି ସୁପାରିଶ କରିଛି। ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ଅଭିଜିତଙ୍କୁ କ୍ଷମା ପ୍ରଦାନ ସମ୍ପର୍କିତ ଏକ ପ୍ରସ୍ତାବ ବିଧାନସଭାରେ ଗୃହୀତ ହୋଇଛି। ଶୁକ୍ରବାର କମିଟି ତାଙ୍କ ସୁପାରିଶକୁ ଦାଖଲ କରିଥିଲେ।

ଏହି  ପ୍ରସ୍ତାବରେ କୁହାଯାଇଛି ଯେ, ଗଣମାଧ୍ୟମ ସାମ୍ନାରେ ଗୃହର ସଦସ୍ୟଙ୍କ ବିରୁଦ୍ଧରେ ଦିଆଯାଇଥିବା ଅପମାନଜନକ ମନ୍ତବ୍ୟ ପରିପ୍ରେକ୍ଷୀରେ  ଅଭିଜିତ ଆୟାର ମିତ୍ରଙ୍କ ପକ୍ଷରୁ ଯେଉଁ କ୍ଷମା ପ୍ରାର୍ଥନା କରାଯାଇଥିଲା ଗୃହ ସହୃଦୟତାର ସହ ତାହାକୁ ଗ୍ରହଣ କରିବା ପାଇଁ କମିଟି ସୁପାରିଶ କରିବା ସହ ଏହି ମାମଲାର ପୂର୍ଣ୍ଣଛେଦ ଘଟାଇବା ପାଇଁ ପ୍ରସ୍ତାବ ଦେଉଛି।
ତା’ ଛଡ଼ା କମିଟି ଏହି ସୁପାରିଶ ମଧ୍ୟ କରିଛି ଯେ, ଓଡ଼ିଶାର ଇତିହାସ, ପରମ୍ପରା, ସଂସ୍କୃତି ଓ ଲୋକଙ୍କ ସମ୍ପର୍କରେ ଅଧିକ ଜ୍ଞାନ ହାସଲ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଭିଜିତ ମିତ୍ରଙ୍କୁ ଆବଶ୍ୟକୀୟ ପୁସ୍ତକ ଓ ତଥ୍ୟ ପ୍ରଦାନ କରାଯାଉ।

ଉଲ୍ଲେଖଯୋଗ୍ୟ ଯେ, ସେପ୍ଟେମ୍ବର ୨୦ ତାରିଖରେ ବାଚସ୍ପତି ପ୍ରଦୀପ ଅମାତଙ୍କ ଦ୍ୱାରା ଏକ ହାଉସ କମିଟି ଗଠନ କରାଯାଇଥିଲା। ଅଭିଜିତ ପ୍ରଥମେ ଅକ୍ଟୋବର ୨୦ ତାରିଖରେ କମିଟି ଆଗରେ ହାଜର ହୋଇଥିଲେ ଓ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ। ସେହିଦିନ ହିଁ ବିଧାନସଭାରୁ ବାହାରିବା ପରେ ପରେ ସହିଦ ନଗର ଥାନାରେ ପୂର୍ବରୁ ରୁଜୁ ହୋଇଥିବା ଏକ ଫୌଜଦାରୀ ମକଦ୍ଦମାରେ ଅଭିଜିତ ମିତ୍ରଙ୍କୁ ଟୁଇନ ସିଟି କମିଶନରେଟ ପୋଲିସ ଗିରଫ କରିଥିଲା।

ବିଧାନସଭା ପକ୍ଷରୁ କ୍ଷମା କରାଯାଇଥିଲେ ହେଁ ପୋଲିସ କେସ୍‌ ନଉଠିବା ପର୍ଯ୍ୟନ୍ତ ଅଭିଜିତ ମିତ୍ରଙ୍କୁ ଜେଲରେ ରହିବାକୁ ପଡ଼ିବ। ମନେ ପକାଇ ଦିଆ ଯାଇପାରେ ଯେ, ସେପ୍ଟେମ୍ବର ୧୬ ତାରିଖରେ ଅଭିଜିତ ତାଙ୍କ ଟୁଇଟର ହ୍ୟାଣ୍ଡଲରେ କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଦେଇ ଏକ ଭିଡ଼ିଓ ପୋଷ୍ଟ କରିଥିଲେ ଓ ଏ ନେଇ ଏକ ବଡ଼ ବିବାଦ ସୃଷ୍ଟି ହୋଇଥିଲା। ଏହି ଭିଡ଼ିଓରେ ସେ ଓଡ଼ିଶାର ସଂସ୍କୃତିକୁ ତାତ୍ସଲ୍ୟ କରିବା ସହ ବିଧାୟକଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ମଧ୍ୟ ଦେଇଥିଲେ।

Comment