ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ସିବିଆଇକୁ ଚେକ୍ ଦେବାକୁ ଚନ୍ଦ୍ରବାବୁ ଓ ମମତାଙ୍କ ରାସ୍ତାରେ ଚାଲିବେ କି ନବୀନ?

ସିବିଆଇକୁ ନିଜ ନିଜ ରାଜ୍ୟରେ ବ୍ୟାନ କରିଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏପରି ପଦକ୍ଷେପ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରି ଦେଇଛନ୍ତି ଦୁଇ ମୁଖ୍ୟମନ୍ତ୍ରୀ। ଏବେ ପ୍ରଶ୍ନ ଉଠୁଛି, ଏମାନଙ୍କ ପରି କଠୋର ନିଷ୍ପତ୍ତି ନେବେକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ? କାରଣ ଚିଟଫଣ୍ଡ ଦୁର୍ନୀତିର ତଦନ୍ତ କରୁଥିବା ସିବିଆଇ ରାଜ୍ୟ ସରକାରଙ୍କୁ ଥରକୁ ଥର ନାଲିଆଖି ଦେଖାଇ ଅଡୁଆରେ ପକାଇ ଆସିଛି।

୨୦୧୯ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ସେତିକି ତୀବ୍ର ହେଉଛି ରାଜନୈତିକ ପ୍ରତିଯୋଗିତା । ରାଜନୀତି ସମୀକ୍ଷକମାନଙ୍କୁ ଚକିତକରି ଦେଇଛି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ନିଷ୍ପତ୍ତି। ସେ ଏପରି ଏକ ନିଷ୍ପତ୍ତି ନେଇଛନ୍ତି ଯାହା କେବଳ ତାଙ୍କର ପ୍ରତିଯୋଗୀ କାହିଁକି ତାଙ୍କର ନିକଟ ସହଯୋଗୀମାନଙ୍କୁ ମଧ୍ୟ ବିସ୍ମିତ କରିଦେଇଛି।

ଆନ୍ଧ୍ର ପ୍ରଦେଶରେ ସିବିଆଇ ପ୍ରବେଶ ଉପରେ ଏକପ୍ରକାର କଟକଣା ଲଗାଇଛନ୍ତି ଚନ୍ଦ୍ରବାବୁ ନାଇଡୁ। ଅର୍ଥାତ୍ ତାଙ୍କ ରାଜ୍ୟରେ ସିବିଆଇ କୌଣସି ତଦନ୍ତ କରିବାକୁ ଚାହିଁଲେ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡ଼ିବ। କାରଣ ଯେଉଁ ଅନୁମତି (ଜେନେରାଲ କନସେଣ୍ଟ୍) ବଳରେ ସିବିଆଇ ଗୋଟିଏ ରାଜ୍ୟରେ ତଦନ୍ତ ବା ଚଢ଼ାଉ କରିପାରେ, ସେହି ଅନୁମତିକୁ ଆନ୍ଧ୍ର ସରକାର ପ୍ରତ୍ୟାହାର କରିନେଇଛନ୍ତି। ଏଣିକି ରାଜ୍ୟ ସରକାରଙ୍କ ବିନା ଅନୁମତିରେ ଆନ୍ଧ୍ରରେ ସିବିଆଇ ପଶିପାରିବ ନାହିଁ।

କାହିଁକି ଏପରି ଚରମ ନିଷ୍ପତ୍ତି ନେଲେ ଚନ୍ଦ୍ରବାବୁ?

ସିବିଆଇ ଭିତରେ ଚାଲିଥିବା କନ୍ଦଳ ଯୋଗୁଁ ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର କାର୍ଯ୍ୟଶୈଳୀରେ ସଂଦେହ ସୃଷ୍ଟି ହୋଇଛି ବୋଲି କାରଣ ଦର୍ଶାଇଛନ୍ତି ଚନ୍ଦ୍ରବାବୁ । ଦେଶର ସବୁଠୁ ବଡ଼ ତଦନ୍ତକାରୀ ସଂସ୍ଥା। କେନ୍ଦ୍ରସରକାରଙ୍କ ହାତବାରିସୀ ସାଜି ଅଣଏନଡିଏ ସରକାର ଥିବା ରାଜ୍ୟଗୁଡିକୁ ଅଯଥା ହଇରାଣରେ ପକାଉଥିବା ଅଭିଯୋଗ ହୋଇଆସୁଛି। ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିକରି ଏନଡିଏର ହାତ ଛାଡ଼ିବା ପରେ ଟିଡିପି ଓ ଏହାର ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କୁ ଅଡୁଆରେ ପକାଇବା ପାଇଁ ମୋଦୀ ସରକାର ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି।

ଅବଶ୍ୟ ଏପରି ଅଭିଯୋଗର ସତ୍ୟତା ମଧ୍ୟ ରହିଛି। କାରଣ ଏନ୍‌ଡିଏରୁ ଯିବା ପରେ ବିଭିନ୍ନ ଦୁର୍ନୀତିର ତଦନ୍ତ ଆଳରେ ସିବିଆଇ ସ୍କାନରକୁ ଆସି ଯାଇଥିଲେ କିଛି ଟିଡିପି ନେତା। କିଛି ନେତାଙ୍କ ଘରେ ଓ ଦପ୍ତରରେ ସିବିଆଇ ଚଢ଼ାଉ ମଧ୍ୟ ହୋଇଛି। ଆନ୍ଧ୍ରର କେତେକ ଗଣମାଧ୍ୟମରେ ପ୍ରକାଶ ପାଇଛି ଯେ ଚନ୍ଦ୍ରବାବୁ ନାଇଡୁଙ୍କ ଘରେ ସିବିଆଇ ଛାପା ମାରିବା ପାଇଁ ପ୍ରସ୍ତୁତ ହେଉଥିଲା। ଏହି ସୂଚନା ପାଇବା ପରେ ଚରମ ନିଷ୍ପତ୍ତି ନେଇଛନ୍ତି ବାବୁ।

ବାବୁଙ୍କ ପଛେ ପଛେ ମମତା

ଶୁକ୍ରବାର ସକାଳେ ସିବିଆଇ ଉପରେ ଚନ୍ଦ୍ରବାବୁ ନାଇଡୁ ବ୍ୟାନ ଲଗାଇବା ପରେ ସନ୍ଧ୍ୟାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଚନ୍ଦ୍ରବାବୁଙ୍କ ରାସ୍ତାରେ ଯାଇ ସିବିଆଇ ଉପରେ କଟକଣା ଲଗାଇଛନ୍ତି। କେନ୍ଦ୍ର ସରକାରଙ୍କ ବିରୋଧରେ ମମତା ବହୁ ପୂର୍ବରୁ ଯୁଦ୍ଧଂଦେହୀ ଡାକରା ଦେଇଆସିଛନ୍ତି।

ଅନେକ ଥର ମୋଦୀ ସରକାରଙ୍କୁ ଖୋଲା ଚ୍ୟାଲେଂଜ ଦେଇଛନ୍ତି ଦିଦି। ଅମିତ ଶାହଙ୍କ ପୂର୍ବଭାରତ ବିଜୟ ଯୋଜନାକୁ ବିଫଳ କରିବା ପାଇଁ ସେ ଜୋରଦାର ଉଦ୍ୟମ କରୁଛନ୍ତି। ତେବେ ଏହି କ୍ଷେତ୍ରରେ ଚନ୍ଦ୍ରବାବୁଙ୍କଠାରୁ ପଛରେ ପଡି ଯାଇଛନ୍ତି ମମତା। ଆଇନରେ ଥିବା ଫାଙ୍କ ଚିହ୍ନଟକରି ନିଷ୍ପତ୍ତି ନେବାରେ ଆଗରେ ରହିଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ।

ଏବେ ନବୀନଙ୍କ ଉପରେ ନଜର…

ଶାରଦା ଓ ରୋଜଭ୍ୟାଲି ଆଦି ଚିଟ୍‌ଫଣ୍ଡ ଠକେଇର ତଦନ୍ତ କରୁଛି ସିବିଆଇ। ଏଥିରେ ମମତାଙ୍କ ତୃଣମୂଳ କଂଗ୍ରେସର ଅନେକ ବରିଷ୍ଠ ନେତାଙ୍କ ସଂପୃକ୍ତି ଥିବା ଅଭିଯୋଗ ରହିଛି। କିଛି ନେତାଙ୍କୁ ମଧ୍ୟ ସିବିଆଇ ଗିରଫ କରିଛି। ଏହି ତଦନ୍ତ ମମତାଙ୍କ ପର୍ଯ୍ୟନ୍ତ ଲମ୍ବିପାରେ ବୋଲି ଆଶଙ୍କା କରାଯାଉଥିଲା। ସାଧାରଣ ନିର୍ବାଚନ ପୂର୍ବରୁ ହୁଏତ ଏହି ତନାଘନା ଆହୁରି ତୀବ୍ର ହୋଇଥାନ୍ତା, ତେବେ ଏହା ପୂର୍ବରୁ ସିବିଆଇ ଉପରେ ରୋକ୍ ଲଗାଇ ଦେଇଛନ୍ତି ପଶ୍ଚିମବଙ୍ଗ ସରକାର।

ପଶ୍ଚିମବଙ୍ଗ ଭଳି ଓଡ଼ିଶାର ଅବସ୍ଥା। ଏଠି ମଧ୍ୟ ଚିଟ୍‌ଫଣ୍ଡ ଠକେଇର ତଦନ୍ତ କରୁଛି ସିବିଆଇ। ବିଜେଡିର କିଛି ନେତା ସିବିଆଇ ଫାନ୍ଦରେ ପଡ଼ି ଜେଲ ଯାଇଛନ୍ତି। ଆଉ କିଛି ନେତା ଓ ବ୍ୟୁରୋକ୍ରାଟଙ୍କ ଉପରେ ସିବିଆଇ ଖଣ୍ଡା ଝୁଲିକି ରହିଛି। ଏପରିକି ଆଶଙ୍କା ପ୍ରକାଶ ପାଇଥିଲା, ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପର୍ଯ୍ୟନ୍ତ ମଧ୍ୟ ଲମ୍ବିପାରେ ତଦନ୍ତ ପ୍ରତିକ୍ରିୟା। କେତେବେଳେ ସିବିଆଇର ତଦନ୍ତ ତ୍ୱରାନ୍ୱିତ ହେଉଛି ତ କେତେବେଳେ କେଉଁ ଅଦୃଶ୍ୟ ଶକ୍ତି ବଳରେ ତଦନ୍ତ ଶିଥିଳ ହୋଇଯାଉଛି। ପ୍ରାୟ ୪ ବର୍ଷ ଧରି ଚାଲିଛି ଏହି ଛକାପଂଝା ସ୍ଥିତି। ଅନେକ ସମୟରେ ବିଜେପି ନେତାମାନେ ଇସାରା ଇସାରାରେ ସିବିଆଇ ତଦନ୍ତର ଭୟ ଦେଖାଇଥାନ୍ତି। ରାଜ୍ୟର କିଛି ବିଜେପି ନେତା ବିଶ୍ୱାସ କରନ୍ତି ଯେ ନିର୍ବାଚନ ପୂର୍ବରୁ ସିବିଆଇ ତଦନ୍ତ ଏପରି ସ୍ଥିତି ସୃଷ୍ଟି କରିବ, ଲୋକେ ବିଜେଡି ଉପରୁ ଆସ୍ଥା ତୁଟାଇ ଦେବେ।

ସେହିପରି ବିଜେଡି ନେତାମାନଙ୍କ ମନରେ ମଧ୍ୟ ସିବିଆଇ ତଦନ୍ତର ଅଜଣା ଭୟ ରହିଛି। ଏହି କଳ୍ପନାଜଳ୍ପନା ଭିତରେ ଚନ୍ଦ୍ରବାବୁ ଓ ମମତାଙ୍କ ଭଳି ନିଷ୍ପତ୍ତି ନେବେକି ନବୀନ? ଏହା ଏବେ ସବୁଠୁ ବଡ଼ ପ୍ରଶ୍ନ।

କି ନିଷ୍ପତ୍ତି ନେବେ ନବୀନ?

ଚନ୍ଦ୍ରବାବୁ ନାଇଡୁ ଓ ମମତା ବାନାର୍ଜୀ ଯେଉଁ ଟାଣୁଆ ନିଷ୍ପତ୍ତି ନେଇଛନ୍ତି, ତାହା ସଂଘୀୟ ବ୍ୟବସ୍ଥାରେ ଅନେକ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି। ହୁଏତ, ଆଗକୁ ଏହା ଏକପ୍ରକାର ସାମ୍ବିଧାନିକ ସଙ୍କଟ ସୃଷ୍ଟି କରିପାରେ। ଗୋଟିଏ ପଟେ କେନ୍ଦ୍ରୀୟ ସଂସ୍ଥାକୁ ଆୟୂଧ କରି ପ୍ରତିପକ୍ଷ ରାଜନେତାଙ୍କୁ ଜବତ କରିବାକୁ କେନ୍ଦ୍ର ଉଦ୍ୟମ କରୁଥିବା ଅଭିଯୋଗ, ଅନ୍ୟପଟେ କେନ୍ଦ୍ରୀୟ ସଂସ୍ଥା ଉପରେ ରାଜ୍ୟ ସରକାର ବ୍ୟାନ ଲଗାଇବା। ଦୁଇଟିଯାକ ସଂଘୀୟ ବ୍ୟବସ୍ଥାର ବିଶ୍ୱାସ ଉପରେ କୁଠାରଘାତ।

ଏଭଳି ସ୍ଥିତିରେ ନିଷ୍ପତ୍ତି ନେବାକୁ ପଡ଼ିବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ। ତେବେ ନବୀନଙ୍କ ଭଳି ଜଣେ କୁଶଳି ଓ ବିବାଦବିହୀନ ରାଜନେତା ଏଭଳି ମୁହାଁମୁହିଁ ଲଢ଼େଇ ସ୍ଥିତିକୁ ଯିବା ପାଇଁ ପସନ୍ଦ କରି ନପାରନ୍ତି। କାରଣ ଏ ପର୍ଯ୍ୟନ୍ତ ନବୀନ ସରକାରଙ୍କୁ ହଟାଇବା ଲାଗି ବିଜେପିର କେନ୍ଦ୍ରୀୟ ନେତାମାନେ ବଡ଼ ଧରଣର ପ୍ରୟାସ କରିନାହାନ୍ତି। ଏହାର କାରଣ ହେଉଛି, ମୋଦି ସରକାରଙ୍କୁ ଚ୍ୟାଲେଞ୍ଜ ଦେଇ କୌଣସି ରାଜନୈତିକ ପଦକ୍ଷେପ ନେଇନାହାନ୍ତି ନବୀନ।

କେନ୍ଦ୍ର ସରକାରଙ୍କ ସଙ୍କଟ ସମୟରେ ନବୀନ ଏପରି ନିଷ୍ପତ୍ତିି ନେଇଛନ୍ତି ଯାହା ଏନଡିଏକୁ ସହାୟତା ଦେଇ ଆସିଛି। ଅଣବିଜେପି ମେଣ୍ଟରେ ମଧ୍ୟ ସାମିଲ ହୋଇନାହାନ୍ତି ନବୀନ। ବିରୋଧୀ ମେଣ୍ଟ ବାରମ୍ବାର ନବୀନଙ୍କ ସହଯୋଗ ଚାହିଁଛନ୍ତି, ମାତ୍ର ନବୀନ ତାହା ଏଡାଇ ଆସିଛନ୍ତି। ଉଭୟ କଂଗ୍ରେସ ଓ ବିଜେପିଠାରୁ ସମ ଦୂରତାର ମନ୍ତ୍ର ଜପୁଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ।

ସେପଟେ ପରିବର୍ତିତ ରାଜନୈତିକ ଦୃଶ୍ୟପଟରେ ନବୀନଙ୍କ ସହ ବୈରୀ ଭାବ ପୋଷଣ କରିବାକୁ ହୁଏତ ଚାହିଁବନି ବିଜେପି। କାରଣ ଦେଶରେ ବିରୋଧୀ ଯେତେ ଏକାଠି ହେବେ, ଆସନ୍ତା ନିର୍ବାଚନ ପାରିହେବା ସେତେ ମୁସ୍କିଲ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ପାଇଁ।

ଏହି ସବୁ ସମୀକରଣ ଗୋଟିଏ କଥା ସୂଚାଉଛି ଯେ ଚନ୍ଦ୍ରବାବୁ ଓ ମମତାଙ୍କ ରାସ୍ତାରେ ନବୀନ ଯିବାର ସମ୍ଭାବନା କମ୍। ସେହିପରି ସିବିଆଇ ଅସ୍ତ୍ରରେ ବିଜେଡିକୁ ଦବଶ କରିବା ପାଇଁ ବିଜେପି ଉଦ୍ୟମ କରିବାର ସମ୍ଭାବନା ବି କ୍ଷୀଣ। ତେବେ ଏକଥା ମଧ୍ୟ ସତ ଯେ ରାଜନୀତିର ଘୋଡ଼ା କେଉଁ ଆଡକୁ କେତେବେଳେ ଛୁଟିଯିବ ଅନୁମାନ ସବୁବେଳେ ଲଗାଇବା ମୁସ୍କିଲ୍।

Comment