ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହିଳା କର୍ମଚାରୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ମାତୃତ୍ଵ ଅବକାଶର ୭ ସପ୍ତାହର ଦରମା ସରକାର କମ୍ପାନିକୁ ଫେରାଇଦେବେ। କମ୍ପାନିଗୁଡ଼ିକରେ ମହିଳାଙ୍କ ଚାକିରି ନିରାପଦ କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି।

କେନ୍ଦ୍ରୀୟ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି। ମାସକୁ ୧୫ ହଜାରରୁ ଅଧିକ ଦରମା ପାଉଥିବା ମହିଳାମାନଙ୍କୁ ମିଳୁଥିବା ମାତୃତ୍ଵ ଅବକାଶର ୭ ସପ୍ତାହର ଦରମା ସରକାର ନିଯୁକ୍ତ କମ୍ପାନିକୁ ଫେରେଇଦେବ।

ମାତୃତ୍ଵ ଅବକାଶର ଅବଧି ସରକାର ୧୨ ସପ୍ତାହରୁ ବୃଦ୍ଧି କରି ୨୬ ସପ୍ତାହ କରିବାପରେ ଗର୍ଭବତୀ ମହିଳାଙ୍କୁ କୌଣସି କମ୍ପାନି ଚାକିରି ଦେବା ପାଇଁ ଅନିଚ୍ଛା ପ୍ରକାଶ କରିଥିଲେ।  ଏହାକୁ ନଜରରେ ରଖି କେନ୍ଦ୍ର  ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଏହି ଘୋଷଣା ଉଭୟ ମହିଳା ଏବଂ କମ୍ପାନୀ ହିତରେ ରହିବ ବୋଲି ଆଶା କରାଯାଉଛି।

ମହିଳା ଏବଂ ଶିଶୁ ବିକାଶ ବିଭାଗର ସଚିବ ରାକେଶ ଶ୍ରୀବାସ୍ତବ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ପାଖରେ ଥିବା ଶ୍ରମିକ କଲ୍ୟାଣ ଯୋଜନାର ଟଙ୍କାର ଉପଯୋଗ ବହୁତ କମ ହେଉଛି। ଶ୍ରମ ମନ୍ତ୍ରାଳୟ ସହ ଆଲୋଚନା ପରେ ନିଷ୍ପତ୍ତି ହୋଇଛି ଯେ, ୨୬ ସପ୍ତାହ ମଧ୍ୟରୁ ୭ ସପ୍ତାହର ଦରମା ନିଯୁକ୍ତ କମ୍ପାନିକୁ ଦିଆଯିବ।

ଶ୍ରୀବାସ୍ତବ କହିଛନ୍ତି, “ମାସିକ ୧୫ ହଜାର ଟଙ୍କାରୁ ଅଧିକ ଦରମା ପାଉଥିବା ମହିଳାଙ୍କ ଅବକାଶ ପାଇଁ ସରକାରଙ୍କ ତରଫରୁ କମ୍ପାନିକୁ ଦିଆଯିବ। ଚଳିତ ବର୍ଷ ସରକାର ମାତୃତ୍ଵ ଅବକାଶକୁ ୧୨ ସପ୍ତାହରୁ ବୃଦ୍ଧି କରି ୨୬ ସପ୍ତାହ କରିଥିଲେ।”

ଚଳିତ ବର୍ଷ ମାର୍ଚ୍ଚ ୧୦ରେ ଲୋକସଭାରେ ଏହି ବିଲ୍ ପାରିତ ହୋଇଥିଲାବେଳେ ଗତବର୍ଷ ଅଗଷ୍ଟରେ ହୋଇଥିବା ମୌସୁମୀ ଅଧିବେଶନରେ ରାଜ୍ୟସଭାରେ ଏହି ବିଲ୍ ପାରିତ ହୋଇଥିଲା। ମାତୃତ୍ଵ ଅବକାଶ ଦେବାରେ ବିଶ୍ୱରେ ଭାରତ ତୃତୀୟ ସ୍ଥାନରେ ରହିଛି। କାନାଡା (୫୦) ଏବଂ ନରୱେ (୪୪) ସପ୍ତାହ ଅବକାଶ ଦେଉଛନ୍ତି।

Comment