ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଏଲସାଙ୍କ ହାଇଭୋଲ୍‌ଟେଜ ଡ୍ରାମା ଉପରରୁ ଉଠିଲା ପରଦା।

କିଛି ଦିନ ତଳେ ଫିଲ୍ମ ‘ତୁ ମୋ ସୁନା ଚଢେଇ’ ଅଡ଼ିଓ ରିଲିଜ ସେଟରେ ହାଇଭୋଲ୍‌ଟେଜ ଡ୍ରାମା କରିଥିଲେ ବଙ୍ଗୀୟ ଅଭିନେତ୍ରୀ ଏଲସା ଘୋଷ। ସେ ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡାଙ୍କ ନାଁରେ ଆଣିଥିଲେ ମାନସିକ ନିର୍ଯାତନାର ଅଭିଯୋଗ। ନଭେମ୍ବର ୧୪ ରାତିରେ ଗଣମାଧ୍ୟମର ପ୍ରତିନିଧି ତାଙ୍କୁ ବାରମ୍ବାର ପ୍ରଶ୍ନ କରିବା ସତ୍ତ୍ୱେ ସେ ଏହାର ଖୁଲାସା କରି ନଥିଲେ।

ସେଥିପାଇଁ ନଭେମ୍ବର ୧୭ ତାରିଖରେ ଏକ ସ୍ଥାନୀୟ ହୋଟେଲରେ ସାମ୍ବାଦିକ ସମ୍ମିଳନୀ ଡକାଇ ଥିଲେ ଏଲସା। ସାମ୍ବାଦିକ ସମ୍ମିଳନୀରେ ନିଜ ମତ ରଖିବାକୁ ଯାଇ ଏଲସା କହିଛନ୍ତି, “ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡା ଓ ତାଙ୍କ ମଧ୍ୟରେ କାଷ୍ଟିଂ କାଉଚ୍ କିମ୍ବା ‘ମି ଠୁ’ ଭଳି କୌଣସି ଘଟଣା ଘଟିନି।”

ଦିଲ୍ଲୀପ ପଣ୍ଡାଙ୍କ ଉପସ୍ଥିତି ଉପରେ ଥିଲା ନଜର

ଅଭିନେତ୍ରୀ ଏଲସା ଡକାଇଥିବା ସାମ୍ବାଦିକ ସମ୍ମିଳନୀରେ ନଜର ଆସିଥିଲେ ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡା। ଏହା ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଥିବାର ଜଣା ପଡ଼ୁଥିଲା। ଏଭଳି କି ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡାଙ୍କୁ ଅଭିନେତ୍ରୀ ଏଲସା ଗୁରୁ ରୂପେ ସମ୍ବୋଧନ କରିଥିଲେ ଏହି ପ୍ରେସ୍ ମିଟ୍‌ରେ। କିନ୍ତୁ ତିନି ଦିନ ଭିତରେ ‘ଜିରୋ’ ବୋଲି କହୁଥିବା ନିର୍ଦ୍ଦେଶକ ‘ଗୁରୁ’ କିପରି ହୋଇଗଲେ ତାହାର ସ୍ପଷ୍ଟୀକରଣ କଲେ ନାହିଁ ଏଲସା।

ଓଡ଼ିଶାର ଗଣମାଧ୍ୟମକୁ ଶସ୍ତା କହିଲେ ଏଲସା

ଗଣମାଧ୍ୟମର ପ୍ରତ୍ୟେକଟି ପ୍ରଶ୍ନକୁ ସେ ଗୋଟିଏ ପରେ ଗୋଟିଏ ଏଡ଼ାଇ ଚାଲିଥିଲେ। ନିଜ କଥାରେ ସ୍ପଷ୍ଟୀକରଣ ନ ଦେଇ ସାମ୍ବାଦିକଙ୍କ ପ୍ରଶ୍ନରେ ବର୍ଷିଥିଲେ ଏଲସା। ଶେଷରେ କ୍ଷୁବ୍ଧ ହୋଇ ପ୍ରେସ୍ ମିଟ୍‌ରୁ ଉଠି ବାହାରକୁ ଚାଲି ଯାଇଥିଲେ। ଏହାପରେ ଓଡ଼ିଶାର ଗଣମାଧ୍ୟମ ଶସ୍ତା ବୋଲି ଏକ ବିଭ୍ରାନ୍ତକାରୀ ମନ୍ତବ୍ୟ ଦେଇଥିଲେ। ଯାହା ଫଳରେ କିଛି ସମୟ ପାଇଁ ସେହି ହୋଟେଲର ସମ୍ମୁଖ ରାସ୍ତାରେ ଭିଡ଼ ଜମି ଯାଇଥିଲା।

ଅଭିନେତ୍ରୀ ଏଲସାଙ୍କ ସମସ୍ତ ପୂର୍ବ ଅଭିଯୋଗକୁ ଖଣ୍ଡନ କରି ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡା କହିଛନ୍ତି, “ଫିଲ୍ମ ‘ତୁ ମୋ ସୁନା ଚଢେଇ’ରେ ଏଲସା ଘୋଷଙ୍କୁ ଅଭିନେତ୍ରୀ ରୂପେ ନେବା ମୋର ଭୁଲ ଥିଲା।”

Comment