ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଏବେ ‘ପାଟନାଗଡ଼’ ଓ ‘ଛବିରାଣୀ’ ଭଳି ନୂଆ ଓଡ଼ିଆ ସିନେମା ରିଲିଜ୍ ହେବା ଆଗରୁ ଚର୍ଚ୍ଚାରେ ରହିଛି। ଏହାର ମୁଖ୍ୟ କାରଣ ହେଲା ଏଗୁଡ଼ିକ ସତ୍ୟ ଘଟଣା ଉପରେ ଆଧାରିତ। ଆସନ୍ତୁ ନଜର ପକାଇବା ଆଗରୁ ଏହିପରି କେଉଁ ସବୁ ଓଡ଼ିଆ ସିନେମା ନିର୍ମାଣ ହୋଇଛି..

ଓଲିଉଡର ଜଣାଶୁଣା ସିନେମା ନିର୍ମାତା ଶ୍ରୀଧର ମାର୍ଥା ‘ପାଟନାଗଡ଼’ ଟାଇଟଲ୍‌ରେ ଏକ ଓଡ଼ିଆ ସିନେମାର ନିର୍ମାଣ କରୁଛନ୍ତି। ଏହାର କଥାବସ୍ତୁ ବଲାଙ୍ଗିର ଜିଲ୍ଲାର ଟିଟଲାଗଡ଼ ପାର୍ସଲ ବୋମା ଘଟଣା ଉପରେ ଆଧାରିତ ବୋଲି କୁହାଯାଉଛି। ଏହି ଲୋମହର୍ଷଣକାରୀ ଘଟଣାକୁ ପରଦା ଉପରେ କିଭଳି ଭାବେ ଉପସ୍ଥାପିତ କରାଯାଉଛି, ତାହା ଦେଖିବାକୁ ଦର୍ଶକ ଉତ୍କଣ୍ଠାର ସହିତ ଅପେକ୍ଷାରେ ଅଛନ୍ତି।

ଏଣେ ଦୀର୍ଘଦିନ ଧରି ‘ରଙ୍ଗ୍‌ନମ୍ବର’ ଓଡ଼ିଆ ସିନେମାର ନିର୍ଦ୍ଦେଶକ ବବି ଇସଲାମ୍ ୮୦ ଦଶକର ଲୋମ ଟାଙ୍କୁରା ଛବିରାଣୀ ହତ୍ୟାକାଣ୍ଡକୁ ଚଳଚ୍ଚିତ୍ର ରୂପ ଦେଉଛନ୍ତି। ଏଥିରେ ଅମନ୍, ଚନ୍ଦ୍ରାଣୀ, ସିଦ୍ଧାନ୍ତ, ଅନୁ ଚୌଧୁରୀ ଓ ମିହିର ଦାସ ପ୍ରମୁଖ ଅଛନ୍ତି ମୁଖ୍ୟ ଭୂମିକାରେ। ଏହି ଫିଲ୍ମ ବି ସତ୍ୟ ଘଟଣା ଉପରେ ଆଧାରିତ।

ଏହା ପୂର୍ବରୁ ଆହୁରି କେତୋଟି ଏମିତି ଓଡ଼ିଆ ସିନେମା ନିର୍ମିତ ହୋଇଛି, ଯାହାର କାହାଣୀ ମୂଳରେ ଥିଲା ସତ୍ୟ ଘଟଣା।

ଚକା ଆଖି ସବୁ ଦେଖୁଛି

ଦିବଂଗତ ପ୍ରଯୋଜକ ଅମୀୟ ପଟ୍ଟନାୟକଙ୍କ ଏକ ସୁପରହିଟ୍‌ ଫିଲ୍ମ ହେଲା ‘ଚକା ଆଖି ସବୁ ଦେଖୁଛି’। ଏହାର କାହାଣୀକାର୍ ଥିଲେ ତତ୍କାଳୀନ ଆଇ.ଏ.ଏସ୍. ଅଧିକାରୀ ପ୍ରିୟବ୍ରତ ପଟ୍ଟନାୟକ। ଏହା ସତ୍ୟ ଘଟଣା ଉପରେ ଆଧାରିତ ଥିଲା।

‘ଚକା ଆଖି ସବୁ ଦେଖୁଛି’ ସେହି ସମୟର ଜନୈକ ରାଜୁନ ତାଙ୍କର କାରନାମା ପ୍ରଦର୍ଶିତ ହୋଇଥିଲା। ଏହି ସିନେମାକୁ ଏକ ରାଜନୈତିକ ସିନେମା ଭାବେ ବିବେଚନା କରାଯାଏ। ଏଥିରେ ଉତ୍ତମ ମହାନ୍ତି, ଶ୍ରୀରାମ ପଣ୍ଡା, ବିଜୟ ମହାନ୍ତି, ଶ୍ରୀପ୍ରଦା ଓ ଅଶ୍ରୁମୋଚନ ପ୍ରମୁଖ ଅଭିନୟ କରିଥିଲେ। ଅଲରାଉଣ୍ଡର ରାଜୁ ମିଶ୍ର ଏହାର ନିର୍ଦ୍ଦେଶକ।

ମୀମାଂସା

ଜଣାଶୁଣା ନିର୍ଦ୍ଦେଶକ ଚକ୍ରଧର ସାହୁଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ମୀମାଂସା’ର କାହାଣୀ ବି ସତ୍ୟ ଘଟଣା ଉପରେ ଆଧାରିତ ଥିଲା। ଏହାର କାହାଣୀରେ ଏକ ମତ୍ସ୍ୟଜୀବୀ ପରିବାରର କଥା ଦର୍ଶାଯାଇଥିଲା। ଏଥିରେ ଲିପି, ମୀନକେତନ, ହର ରଥ, ଅଶୋକ ଓଝା, ଅଶୋକ ଦାସ ଓ ଶିଳାଲିପି ପ୍ରମୁଖ ଅଭିନୟ କରିଥିଲେ। କହିବା ବାହୁଲ୍ୟ ଯେ, ଏହି ସିନେମାରେ ଉଚ୍ଚକୋଟିର ଅଭିନୟ କରି ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ ଲିପି।

ରଙ୍ଗିଲା ବାବା

କେନ୍ଦ୍ରାପଡ଼ାର ବିବାଦୀୟ ସାରଥୀ ବାବାଙ୍କ ଉପରେ ଆଧାରିତ ହୋଇଥିଲା ଓଡ଼ିଆ ଛବି ‘ରଙ୍ଗିଲା ବାବା’। ଏହି ସିନେମାରେ ଟାଇଟଲ ରୋଲ୍‌ରେ ନଜର ଆସିଥିଲେ କୁନା ତ୍ରିପାଠୀ। ଦିଲୀପ ଦାଶ ଓ ବିରଞ୍ଚି ନାରାୟଣ ପଣ୍ଡାଙ୍କ ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶନା ଦେଇଥିଲେ ଅଲରାଉଣ୍ଡର ସଞ୍ଜୟ ନାୟକ।

ତୁଳସୀ ଅପା

ଆଦିବାସୀ ପିଲାମାନଙ୍କୁ ଶିକ୍ଷା ଓ ସଂସ୍କାର ଦେବାରେ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଅବଦାନ ଉଲ୍ଲେଖନୀୟ। ଏଭଳି ଜଣେ ମହିୟସୀ ମହିଳାଙ୍କ ଜୀବନୀକୁ ନେଇ ନିର୍ମାତା ଅନୁପମ ପଟ୍ଟନାୟକ ଓ ନିର୍ଦ୍ଦେଶକ ଅମିୟ ପଟ୍ଟନାୟକ ‘ତୁଳସୀ ଅପା’ ନାଆଁରେ ଏକ ସିନେମା ନିର୍ମାଣ କରିଥିଲେ। ଏଥିରେ ବର୍ଷା ନାୟକ ତୁଳସୀ ମୁଣ୍ଡାଙ୍କ ଭୂମିକା ନିଭାଇଥିଲେ। ଏହି ସିନେମା ଲାଗି ଅମିୟ ପଟ୍ଟନାୟକ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ।

ଭାଇନା କ’ଣ କଲା ସେ

ଓଲିଉଡର ଲୋକପ୍ରିୟ କମେଡ଼ିଆନ୍ ପପୁ ପମ୍‌ପମ୍‌ଙ୍କୁ ନେଇ ଯେଉଁ ସମୟରେ କାଷ୍ଟିଂ କାଉଚ୍ ଓ ଓଡ଼ିଶାରେ ଚିଟ୍‌ଫଣ୍ଡ୍ ଦୁର୍ନୀତିର ବିବାଦ ଦେଖା ଦେଇଥିଲା, ସେହି ସମୟରେ ସେସବୁ କଥାକୁ ଫେଣ୍ଟାଫେଣ୍ଟି କରି ନିର୍ମାତା- ନିର୍ଦ୍ଦେଶକ ସଞ୍ଜୟ ନାୟକ ‘ଭାଇନା କ’ଣ କଲା ସେ’ ଟାଇଟଲ୍‌ରେ ଏକ ଓଡ଼ିଆ ଫିଲ୍ମ ନିର୍ମାଣ କରିଥିଲେ। ଏଥିରେ ନବାଗତ ବାଳକୃଷ୍ଣ, ତମନ୍ନା, କୁନା ତ୍ରିପାଠୀ, ଚନ୍ଦନ କର ଓ ଜୀନା ପ୍ରମୁଖ ଅଭିନୟ କରିଥିଲେ। ଫିଲ୍ମଟି ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇଥିଲା।

Comment