ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିହାର, ଝାଡ଼ଖଣ୍ଡ ଓ ଓଡ଼ିଶାର ଅଧାଅଧି ଭୋଟର ଇଛା ପ୍ରକାଶ କରିଛନ୍ତି, ନରେନ୍ଦ୍ର ମୋଦି ପୁଣି ଥରେ ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ।ଏହି ତିନି ରାଜ୍ୟର ଭୋଟର ବିଜେପି ପୁଣି କ୍ଷମତାକୁ ଆସୁ ଏ କଥା ଚାହୁଁଛନ୍ତି, ଯଦିଓ ବିଗତ ସାଢ଼େ ଚାରି ବର୍ଷର ଶାସନରେ ସେମାନେ ଖୁସି ନୁହନ୍ତି। ଇଣ୍ଡିଆ ଟୁଡେ ପକ୍ଷରୁ କରାଯାଇଥିବା ପଲିଟିକାଲ ଷ୍ଟକ ଏକ୍ସଚେଞ୍ଜରେ ଏହା ଜଣାପଡ଼ିଛି।

ଏହି ସର୍ଭେରୁ ଗୋଟିଏ ବଡ଼ କଥା ସାମ୍ନାକୁ ଆସିଛି ଓ ତାହା ହେଉଛି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ହ୍ରାସ ପାଇଛି। ସେପ୍ଟେମ୍ବର ମାସରେ କରାଯାଇଥିବା ସର୍ଭରେ ଓଡିଶାର ୫୯ ପ୍ରତିଶତ ଲୋକ ନବୀନଙ୍କୁ ଭଲ ପାଇଥିବା ବେଳେ ଏବେ ଏହା ୫୪ ପ୍ରତିଶତକୁ ଖସିଆସିଛି, କିନ୍ତୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଲୋକପ୍ରିୟତା ୨ ପ୍ରତିଶତ ବୃଦ୍ଧି ପାଇଛି।

ଇଣ୍ଡିଆ ଟୁଡେ ମତ ସଂଗ୍ରହରେ ବିହାରର ୪୬ ପ୍ରତିଶତ ଲୋକ ଚାହୁଁଛନ୍ତି କେନ୍ଦ୍ରରେ ବିଜେପି ପୁଣି ଥରେ ସରକାର ଗଢ଼ୁ। ୩୨ ପ୍ରତିଶତ ଲୋକ କହିଛନ୍ତି ବିଜେପିକୁ ଆଉ ସୁଯୋଗ ନମିଳୁ। ସେହିଭଳି ଝାଡ଼ଖଣ୍ଡରେ ୪୯ ପ୍ରତିଶତ ଲୋକ ବିଜେପି ଆଉ 5 ବର୍ଷ ପାଇଁ କେନ୍ଦ୍ରରେ କ୍ଷମତାରେ ରହିବା ଦରକାର ବୋଲି କହିଛନ୍ତି। ଓଡ଼ିଶାରେ ମୋଦି ସପକ୍ଷବାଦୀଙ୍କ ସଂଖ୍ୟା ୪୮ ପ୍ରତିଶତ। ଓଡ଼ିଶାର 33 ପ୍ରତିଶତ ଲୋକ ବିଜେପି ସରକାର କ୍ଷମତାକୁ ଫେରିବା ଠିକ୍ ହେବନି ବୋଲି କହିଛନ୍ତି।

ସର୍ଭେରୁ ଏ କଥା ମଧ୍ୟ ଜଣାପଡିଛି ଯେ ଏହି ତିନୋଟି ଯାକ ରାଜ୍ୟରେ ମୋଦିଙ୍କ ଲୋକପ୍ରିୟତା ବଜାୟ ରହିଛି ଓ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ସେ ହିଁ ହେବା ଦରକାର ବୋଲି ମତ ପ୍ରକାଶ ପାଇଛି। ବିହାର ଓ ଝାଡ଼ଖଣ୍ଡରେ ୨୮ ପ୍ରତିଶତ ଲୋକ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବା ଚାହୁଁଥିବା ବେଳେ ଓଡ଼ିଶାରେ ୨୩ ପ୍ରତିଶତ ଲୋକ ରାହୁଲଙ୍କୁ ସୁଯୋଗ ମିଳିବା ଦରକାର ବୋଲି କହିଛନ୍ତି। ମଜା କଥା ହେଉଛି, ବିହାର ଓ ଝାଡ଼ଖଣ୍ଡରେ ରାହୁଲଙ୍କ ଲୋକପ୍ରିୟତା ଦୁଇ ପ୍ରତିଶତ କମିଥିବା ବେଳେ ଓଡ଼ିଶାରେ ୨ ପ୍ରତିଶତ ବୃଦ୍ଧି ପାଇଛି।

Comment