ଓଡ଼ିଶାଲାଇଭ୍ ବ୍ୟୁରୋ

ନଭେମ୍ବର ୨୨ ତାରିଖରେ ସିଟି ଗ୍ୟାସ ଡିଷ୍ଟ୍ରିବ୍ୟୁସନ୍ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି। 

ଦେଶର ୬୩ଟି ଭୈାଗୋଳିକ ଅଞ୍ଚଳର ସିଟି ଗ୍ୟାସ ଡିଷ୍ଟ୍ରିବ୍ୟୁସନ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି। ଏଥି ମଧ୍ୟରୁ ୭ଟି ଭୈାଗୋଳିକ ଅଞ୍ଚଳ ଓଡ଼ିଶାରେ ରହିଛି। ନଭେମ୍ବର ୨୨ ତାରିଖ ଦିନ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ  ଅପରାହ୍ନ ୪ଟା ବେଳେ ଲାଇଭ୍ ଭିଡିଓ ଷ୍ଟ୍ରିମିଂ ଜରିଆରେ ପ୍ରଧାନମନ୍ତ୍ରୀ ଏହାର ଶୁଭାରମ୍ଭ କରିବେ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକଗ୍ୟାସ, ଦକ୍ଷତାବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜ୍ଞାନ,ଟେକ୍ନୋଲୋଜି ମନ୍ତ୍ରୀ ହର୍ଷ ବର୍ଦ୍ଧନ ପ୍ରମୁଖ ଉପସ୍ଥିତ ରହିବେ। ଗେଲ୍ ଗ୍ୟାସ ଲିମିଟେଡ, ଭାରତ ଗ୍ୟାସ ରିସୋର୍ସ ଲିମିଟେଡ ଓ ଅଡାନୀ ଗ୍ୟାସ ଲିମିଟେଡର ବରିଷ୍ଠ ଅଧିକାରୀମାନେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ଓଡ଼ିଶାରେ ଏହାର ଭୂମିକା

ଏହି ପ୍ରକଳ୍ପ କାର୍ଯ୍ୟର ଶୁଭାରମ୍ଭ ସୁନ୍ଦରଗଡ, ଝାରସୁଗୁଡା, ଯାଜପୁର, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର,ଭଦ୍ରକ,ମୟୁରଭଞ୍ଜ, ବରଗଡ, ଦେବଗଡ ଓ ସମ୍ବଲପୁର, ଗଞ୍ଜାମ, ନୟାଗଡ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଓଗ୍ରାଫିକାଲ ଅଞ୍ଚଳରେରେ ପ୍ରତିଷ୍ଠା ହେବ। ଏହି ପ୍ରକଳ୍ପ ଦ୍ୱାରା ଉକ୍ତ ଅଞ୍ଚଳର ଲକ୍ଷ ଲକ୍ଷ ଲୋକମାନେ ପରିବେଶ ଅନୁକୂଳ ଗ୍ୟାସ ପାଇ ପାରିବେ ।

ପ୍ରାକୃତିକଗ୍ୟାସ୍‌ର ବ୍ୟବହାର

ସଙ୍କୁଚିତ ନ୍ୟାଚୁରାଲଗ୍ୟାସ୍ (ସିଏନ୍‌ଜି) ମୁଖ୍ୟତଃ ଅଟୋ-ଇନ୍ଧନ ଭାବରେ ବ୍ୟବହୃତ ହୋଇପାରିବ।

ପାଇପଡ୍ ନ୍ୟାଚୁରାଲଗ୍ୟାସ୍ (ପିଏନ୍‌ଜି) ଘର ପରିବାରରେ ବ୍ୟବହୃତ ହୋଇପାରିବ। ବାଣିଜ୍ୟିକ ଏବଂ ଔଦ୍ୟୋଗିକ କ୍ଷେତ୍ରରେ ବ୍ୟବହୃତ ହୋଇପାରିବ।

ଏହି ପ୍ରାକୃତିକଗ୍ୟାସ୍ ଏକ ସ୍ୱଚ୍ଛ ଏବଂ ସବୁଜ ଇନ୍ଧନ ଅଟେ ଯାହା ପାରମ୍ପରିକ ଇନ୍ଧନ ଯେପରିକି କୋଇଲା, ପେଟ୍ରୋଲ ଓ ଡିଜେଲ୍‌ଠାରୁ ଅପେକ୍ଷାକୃତ ଶସ୍ତା।

ସାରା ଦେଶର ୧୭୪ ଟି ଜିଲ୍ଲାର ୮୬ ଟି ନୂତନ ଭୌଗୋଳିକ କ୍ଷେତ୍ରକୁ ସଂଯୋଗୀକରଣ ପ୍ରଦାନ କରିଛି ଏହି ପ୍ରକଳ୍ପ। ଏହି କ୍ଷେତ୍ର ଗୁଡିକରେ ଆଗାମୀ ୫ ବର୍ଷ ମଧ୍ୟରେ ୨୧୦୦ କୋଟି ଟଙ୍କାର ନିବେଶ କ୍ଷମତା ରହିଛି ଏବଂ ଏହା ଓଡିଶାରେ ଥିବା ୧୯୮୦୦ କୁଶଳୀ, ଅର୍ଦ୍ଧ-କୁଶଳୀ ଓ ଅଣକୁଶଳୀ ଶ୍ରେଣୀରେ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ଆଶା ରଖିଛି।

ପ୍ରକଳ୍ପ ଦ୍ୱାରା ଓଡ଼ିଶାରେ ନିବେଶ

ଏହି ପ୍ରକଳ୍ପ, ଆଗାମୀ ୮ ବର୍ଷ ମଧ୍ୟରେ ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ୧୭୪ କୋଟି ଟଙ୍କା, ଯାଜପୁର ଓ କେଉଁଝର ଜିଲ୍ଲାରେ ୪୬୬ କୋଟି ଟଙ୍କା, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ୩୬୪ କୋଟିଟଙ୍କା, ବରଗଡ଼, ଦେବଗଡ଼ ଓ ସମ୍ବଲପୁର ଜିଲ୍ଲାରେ ୨୪୮ କୋଟି ଟଙ୍କା ନିବେଶ କରିବ।

ସେହିପରି ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଜିଲ୍ଲାରେ ଆଦାନୀ ଗ୍ୟାସ ଲିମିଟେଡକୁ ମିଳିଥିବା ପ୍ରାଧିକରଣ ପତ୍ର ଅନୁସାରେ ଆଗାମୀ ୮ ବର୍ଷମଧ୍ୟରେ ୫୦୦ କୋଟିଟଙ୍କା ନିବେଶରେ ୨୦ଟି ସିଏନଜି ଷ୍ଟେସନ ସହ ୧,୫୦,୪୬୪ ଘରକୁ ଗ୍ୟାସ ଯୋଗାଣ ହେବ।

ଓଡ଼ିଶାର ସୁନ୍ଦରଗଡ, ଝାରସୁଗୁଡା, ଗଞ୍ଜାମ, ନୟାଗଡ ଓ ପୁରୀ ଜିଲ୍ଲା ଗୁଡିକ ନିମନ୍ତେ ଗେଲ୍ ଗ୍ୟାସ୍‌ ଲିମିଟେଡ ପ୍ରାଧିକରଣ ପତ୍ର ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପର ସମୁଦାୟ ବ୍ୟୟ ଅଟକଳ ୯୪୪ କୋଟି ଟଙ୍କା । ସୁନ୍ଦରଗଡ, ଝାରସୁଗୁଡା ଜିଲ୍ଲା ଗୁଡିକରେ ୨୦ଟି ସିଏନଜି ଷ୍ଟେସନ ସ୍ଥାପନ ହେବ। ୧,୦୦,୦୦୦ ଗୃହକୁ ପାଇପ ଯୋଗେ ପ୍ରାକୃତିକଗ୍ୟାସ ଯୋଗେଇ ଦିଆଯିବ।

ଗଞ୍ଜାମ, ନୟାଗଡ ଓ ପୁରୀ ଜିଲ୍ଲା ଗୁଡିକରେ ଏହି ପ୍ରକଳ୍ପର ସମୁଦାୟ ବ୍ୟୟ ଅଟକଳ ୭୨୮ କୋଟି ଟଙ୍କା ରହିଥିବା ବେଳେ ଏହି ସ୍ଥାନମାନଙ୍କରେ ୧୫ଟି ସିଏନଜି ଷ୍ଟେସନ୍ ସ୍ଥାପନ ହେବ। ଅନୂନ୍ୟ ୫୧,୦୦୦ ଗୃହକୁ ପାଇପ ଯୋଗେ ପ୍ରାକୃତିକଗ୍ୟାସ ଯୋଗେଇ ଦିଆଯିବାର ଯୋଜନା ଅଛି।

Comment