ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଭୁବନେଶ୍ୱରର ନାମ ଓ ଏହାର ମୌଳିକତାକୁ ନେଇ ସୋମବାର ଏକ ବଡ଼ ବିବାଦ ସୃଷ୍ଟି ହୋଇଛି। ଆସନ୍ତା ୨୮ ତାରିଖରୁ କଳିଙ୍ଗ ଷ୍ଟାଡିମରେ ହେବାକୁ ଥିବା ହକି ବିଶ୍ୱ କପ ପାଇଁ ରାଜଧାନୀ ସଜାଇ ହେଉଥିବା ବେଳେ ଉଇକିପିଡିଆରେ ଭୁବନେଶ୍ୱରକୁ ନେଇ ଏକ ଭୁଲ ତଥ୍ୟ ମିଳିବା ପରେ ଏ ନେଇ ଚାରିଆଡ଼େ ବୋବାଲ ସୃଷ୍ଟି ହୋଇଛି। ଏହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ବି ଚାଲିଛି।

ଉଇକିପିଡିଆରେ ଲେଖା ଯାଇଛି ଯେ ଟିମ ଇଣ୍ଡିଆର ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ନାମରେ ଭୁବନେଶ୍ୱରର ନାମକରଣ ହୋଇଛି। ସମ୍ପାଦନା ପୂର୍ବରୁ ଏହି ତଥ୍ୟ ଆସିବା ପରେ ବ୍ୟାପକ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ଓଡ଼ିଶାର ରାଜଧାନୀ ଓ ମନ୍ଦିର ମାଳିନୀ ଭୁବନେଶ୍ୱର ଏକ ଐତିହାସିକ ସହର ହୋଇଥିବା ବେଳେ ଏହାକୁ ଜଣେ କ୍ରିକେଟ ଖେଳାଳିଙ୍କ ନାମରେ ନାମିତ କରିବା ଘଟଣା ପଛରେ ଏକ ବଡ଼ ଷଡଯନ୍ତ୍ର ରହିଛି ବୋଲି ମଧ୍ୟ ଫେସବୁକରେ କେହି କେହି ଲେଖିଥିବା ଦେଖାଯାଇଥିଲା। ଏଭଳି ବିଭ୍ରାନ୍ତିକାର ତଥ୍ୟ କିଭଳି ଉଇକିପିଡିଆରେ ପୋଷ୍ଟ ହେଲା ସେ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ଫେସବୁକରେ ବିଭିନ୍ନ ପ୍ରସଙ୍ଗରେ  ନିୟମିତ ଭାବେ ପୋଷ୍ଟ କରୁଥିବା ତ୍ରୈଲୋକ୍ୟ ଜେନାଙ୍କ ମତରେ, “ଉଇକିପିଡିଆ ହେଉଛି ଏକ ହୁଗୁଳା ବ୍ୟବସ୍ଥା ଓ ତାଙ୍କ ସାଇଟ ଉପରେ ଯେ କେହି ତଥ୍ୟ ପ୍ରଦାନ କରିପାରିବେ। ସାଧାରଣତଃ ନୂଆ ତଥ୍ୟ ଓ ବିଷୟ ଉପସ୍ଥାପନ ବେଳେ ଯିଏ ପ୍ରଥମେ ପୋଷ୍ଟ କଲା ତାହାର ପୋଷ୍ଟ ହିଁ ପ୍ରଥମେ ଆଖିରେ ପଡ଼େ। ଏଣୁ ଅତି ଉତ୍ସାହିତ ହୋଇ କେହି କେହି ବାଜେ ତଥ୍ୟ ବି ପୋଷ୍ଟ କରିଥାନ୍ତି। ସର୍ବସାଧାରଣଙ୍କ ପକ୍ଷରୁ କରାଯାଇଥିବା ଏକ ଓପିନିଅନ୍ ପୋଲ ଅନୁସାରେ ଉଇକିପିଡିଆର ନିର୍ଭୁଲ ଅନୁପାତ  ବା ଆକ୍ୟୁରେସି ରେସିଓ ହେଉଛି ୮୦ ପ୍ରତିଶତ। ତେବେ ସବୁଠାରୁ ବଡ଼ କଥା ହେଉଛି ଉଇକିପିଡିଆରେ ସମସ୍ତ ତଥ୍ୟ ଓ ସୂଚନା ମାଗଣାରେ ମିଳିଥାଏ। ଏଣୁ ଯିଏ ଉଇକିପିଡିଆ ଉପରେ ଭରସା କରୁଛନ୍ତି ତାଙ୍କୁ ଏହି ୮୦ ପ୍ରତିଶତ ନିର୍ଭୁଲ ତଥ୍ୟକୁ ନେଇ ହିଁ ରହିବାକୁ ପଡ଼ିବ।”

ସର୍ବଶେଷ ଖବର ଅନୁସାରେ ଉଇକିପିଡିଆରେ ଭୁବନେଶ୍ୱରକୁ ନେଇ ଯେଉଁ ଭୁଲ ତଥ୍ୟ ଦିଆଯାଇଥିଲା ତାହା ସଂଶୋଧିତ ହୋଇସାରିଛି।

Comment