ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ସିବିଆଇ ନାଟକର ଶୁଣାଣି ଅକସ୍ମାତ ଆସନ୍ତା ୨୯ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ମଙ୍ଗଳବାର କୋର୍ଟରେ ଶୁଣାଣି ଆରମ୍ଭ ହେବା ମାତ୍ରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଖୁବ୍ ରାଗିଥିବା ଦେଖାଯାଉଥିଲା ଓ ତତ୍‌କ୍ଷଣାତ୍ ପରବର୍ତ୍ତୀ ଶୁଣାଣି ୨୯ରେ ହେବ ବୋଲି ସେ ଘୋଷଣା କରିଥିଲେ। ଖାଲି ସେତିକି ନୁହେଁ କୋର୍ଟରେ ଉପସ୍ଥିତ ପ୍ରତିପକ୍ଷ ଓ ପକ୍ଷର ଓକିଲଙ୍କୁ କଡ଼ା ଶବ୍ଦରେ କହିଥିଲେ ଯେ ମଙ୍ଗଳବାର  ମାମଲାର ଶୁଣାଣି ପାଇଁ ଆପଣମାନେ କେହି ଯୋଗ୍ୟ ନୁହନ୍ତି।

ଖବରରୁ ଜଣାପଡ଼ିଛି ଯେ, ମଙ୍ଗଳବାର ଶୁଣାଣି ଆରମ୍ଭ ହେବା କ୍ଷଣି ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କ ଓକିଲ ଫଲୀ ନରିମାନଙ୍କ ପ୍ରତି ଜଷ୍ଟିସ୍‌ ଗୋଗୋଇ କଡ଼ା ମିଜାଜ ପ୍ରଦର୍ଶନ କରିଥିଲେ। ଆଲୋକ ବର୍ମା ବନ୍ଦ ଲଫାପାରେ ଯାହା ଲେଖିକରି କୋର୍ଟକୁ ଦେଇଛନ୍ତି ତାହା ମିଡିଆରେ କେମିତି ପ୍ରଘଟ ହେଲା ବୋଲି ଜଷ୍ଟିସ ଗୋଗୋଇ ପ୍ରଶ୍ନ କରିଥିଲେ। ନରିମାନ କହିଲେ ସେ ନିଜେ ବି ଜାଣିନାହାନ୍ତି କିପରି ଏହି ତଥ୍ୟ ଲିକ୍‌ ହେଲା ଓ ଏହା ଦୁର୍ଭାଗ୍ୟପୂର୍ଣ୍ଣ।

ପ୍ରଧାନ ବିଚାରପତି ଏ କଥା ମଧ୍ୟ ପଚାରିଲେ ସୋମବାର ଦିନ ସୁଦ୍ଧା ଆଲୋକ ବର୍ମାଙ୍କୁ ଜବାବ ଦାଖଲ କରିବା ପାଇଁ ସମୟ ଦିଆଯାଇଥିବା ବେଳେ ସେ ଅଧିକ ସମୟ କାହିଁକି ମାଗୁଛନ୍ତି? ସେ କଥା ବି ସେ ଜାଣିନାହାନ୍ତି ବୋଲି ନରିମାନ କୋର୍ଟରେ କହିଲେ। ଏହା ଶୁଣିବା ପରେ ଜଷ୍ଟିସ ଗୋଗୋଇ ଖୁବ୍ ରାଗିଯାଇଥିଲେ ଓ କହିଥିଲେ ଯେ ମଙ୍ଗଳବାର ମାମଲାର ଶୁଣାଣି ହେବ ନାହିଁ। ବେଳକୁ ବେଳ ଜଟିଳ ହେଉଥିବା ଏହି ମାମଲାର ଆଗାମୀ ଶୁଣାଣି ୨୯ ତାରିଖରେ ହେବ।

Comment