ଓଡ଼ିଶାଲାଇଭ୍ ବ୍ୟୁରୋ

ମଙ୍ଗଳବାର ଦିନ ବିଧାନସଭା ଏବଂ ପାର୍ଲାମେଣ୍ଟରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷିତ ରଖିବାପାଇଁ ସଂସଦକୁ ସୁପାରିଶ କରିବାପାଇଁ ବିଧାନସଭାରେ ଏକ ସର୍ବ ସମ୍ମତ ପ୍ରସ୍ତାବ ଗ୍ରହଣ କରିବା ଲାଗି ମୁଖ୍ୟମନ୍ତ୍ରୀ ଏକ ସଂକଳ୍ପ ଆଗତ କରିଥିଲେ। ସର୍ବ ସମ୍ମତି କ୍ରମେ ଉକ୍ତ ସଂକଳ୍ପ ଗୃହୀତ ହୋଇଯାଇଛି।

ଏହା ଉପରେ ହୋଇଥିବା ଆଲୋଚନାରେ ଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟମାନେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ସମର୍ଥନ କରିଥିଲେ। ସଂକଳ୍ପ ଉପରେ ଆଲୋଚନା ଆରମ୍ଭ କରି କଂଗ୍ରେସ ସଭ୍ୟ ତାରା ବାହିନୀପତି କହିଥିଲେ ଯେ, ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ସଂକଳ୍ପ ଅଣାଯାଇଛି। ରାଜ୍ୟରେ ନାରୀ ନିର୍ଯାତନା, ନାବାଳିକା ଦୁଷ୍କର୍ମ, ଯୌତୁକ ନିର୍ଯାତନା ବଢ଼ି ବଢ଼ି ଚାଲିଛି।

ମା’କୁ ସମ୍ମାନ, ଗାଁକୁ କାମ ଦେବାକୁ ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ସ୍ଲୋଗାନ ସଫଳ ହୋଇନାହିଁ। ମୁଖ୍ୟମନ୍ତ୍ରୀ ଆଣିଥିବା ସଂକଳ୍ପ ଅନୁଯାୟୀ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଉଭୟ ବିଧାନସଭା ଓ ପାର୍ଲାମେଣ୍ଟରେ କରିବାପାଇଁ କେନ୍ଦ୍ର ସରକାର ଯଦି ଅନୁମତି ନ ଦେବେ ଓଡ଼ିଶାରେ ରାଜ୍ୟ ସରକାର ଏହି ବ୍ୟବସ୍ଥା କରିବେ କି ବୋଲି ସେ ପ୍ରଶ୍ନ କରିଥିଲେ। ଲୋକଙ୍କୁ ଦେଖାଇବା ପାଇଁ ଏହି ସଂକଳ୍ପ ଅଣାଯାଇ ନାହିଁ ତ ବୋଲି ସେ ପ୍ରଶ୍ନ କରିଥିଲେ।

ଶାସକ ଦଳ ପକ୍ଷରୁ ଆଲୋଚନା କରି ବିଧାୟିକା ପ୍ରମିଳା ମଲ୍ଲିକ କହିଥିଲେ ଯେ, ଏହା ଏକ ଐତିହାସିକ ସଂକଳ୍ପ। ଓଡ଼ିଶାର ଜନସଂଖ୍ୟାର ୫୦ ପ୍ରତିଶତ ମହିଳା ଅଛନ୍ତି। ସେମାନଙ୍କୁ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଅଧିକାର ଦେବା ସହିତ ସଶକ୍ତ କରାଯିବା ସଂକଳ୍ପର ମୂଳ ଉଦ୍ଦେଶ୍ୟ। ସ୍ୱର୍ଗତ ବିଜୁ ପଟ୍ଟନାୟକ ମହିଳାଙ୍କ ପାଇଁ ପୌର ସଂସ୍ଥା ଓ ପଞ୍ଚାୟତ ବ୍ୟବସ୍ଥାରେ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିବା ବେଳେ ନବୀନ ପଟ୍ଟନାୟକ ଏହାକୁ ୫୦ ପ୍ରତିଶତ କରିଛନ୍ତି।

ବିଜେପି ସଭ୍ୟ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ସଂରକ୍ଷଣ ବ୍ୟବସ୍ଥା ସଂକଳ୍ପକୁ ସମର୍ଥନ କରୁଛନ୍ତି। ମୋଦି ତାଙ୍କ ଶାସନର ପ୍ରଥମ ବର୍ଷରେ ମହିଳା ସଂରକ୍ଷଣ ବିଲ୍ ଆଣିଥିଲେ। ମାତ୍ର ଏହି ବିଲ୍ ଲୋକସଭାରେ ପାସ୍ ହୋଇଥିବା ବେଳେ ରାଜ୍ୟସଭାରେ ପାସ୍ ହୋଇ ପାରିନାହିଁ। ନିର୍ବାଚନ ଅବ୍ୟବହିତ ପୂର୍ବରୁ ଏହି ସଂକଳ୍ପ ନଆଣି ଆଗରୁ ଆଣିଥିଲେ ଭଲ ହୋଇଥାନ୍ତା। ପଦ୍ମନାଭ ବେହେରା ଓ ରାସେଶ୍ୱରୀ ପାଣିଗ୍ରାହୀ କହିଥିଲେ ଯେ ୩୩ ପ୍ରତିଶତ ସଂରକ୍ଷଣ ବଦଳରେ ୫୦ ପ୍ରତିଶତ ହେବା ଦରକାର।

ବେଦ ପ୍ରକାଶ ଅଗ୍ରୱାଲ, ଅମର ପ୍ରସାଦ ଶତପଥୀ କହିଥିଲେ ଯେ, ମହିଳା ସଶକ୍ତ ନହେବା ପର୍ଯ୍ୟନ୍ତ ରାଜ୍ୟର ବିକାଶ ହୋଇପାରିବ ନାହିଁ। ରବି ନାୟକ ଓ ମହେଶ ସାହୁ କହିଥିଲେ ଯେ, କନ୍ୟାଶ୍ରମ ଓ ଆଶ୍ରମ ସ୍କୁଲରେ ପୁରୁଷ କର୍ମଚାରୀଙ୍କ ବଦଳରେ ମହିଳାଙ୍କୁ ନିଯୁକ୍ତି ଦିଆଯାଉ।
ଆଲୋଚନାର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶା ଆଜି ସାରା ଦେଶକୁ ତା’ର ଦୃଢ଼ ସଂକଳ୍ପ ଓ ପ୍ରତିବଦ୍ଧତା ଜଣାଇ ଦେବାକୁ ଚାହେଁ ଯେ, ଓଡ଼ିଶା ମାଟିରେ ମହିଳାମାନେ ହେଉଛନ୍ତି ପ୍ରକୃତରେ ସଶକ୍ତ ଏବଂ ରାଷ୍ଟ୍ର ନିର୍ମାଣରେ ସେମାନଙ୍କର ଭୂମିକା ସଫଳ ଭାବେ ନିର୍ବାହ କରିପାରୁଛନ୍ତି।

ତାଙ୍କ ସରକାର ନିଷ୍ଠାର ସହିତ ମହିଳାମାନଙ୍କର ବିକାଶ ବିଶେଷ କରି ସାମାଜିକ ଓ ଅର୍ଥନୈତିକ ସ୍ଥିତି ସଶକ୍ତ କରିବାପାଇଁ ପଦକ୍ଷେପ ନେଇଛି। ମିଶନ ଶକ୍ତି, ମମତା,୧ ପ୍ରତିଶତ ସୁଧରେ ଋଣ ଦେବା, ମହିଳାମାନଙ୍କର ଜମି ଅଧିକାର, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କୁ ୭ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମାର ବ୍ୟବସ୍ଥା କରିଛନ୍ତି।

ସମ୍ବିଧାନରେ ଲିଙ୍ଗଗତ ସମାନତା ନୀତି ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ରୂପେ ସ୍ଥାନିତ ହୋଇଛି। ମହିଳା ସଶକ୍ତକରଣର ଅଗ୍ରଦୂତ ବିଜୁ ପଟ୍ଟନାୟକ। ୨୦୦୧ରେ ମିଶନ ଶକ୍ତି କାର୍ଯ୍ୟକ୍ରମ ଦ୍ୱାରା ୬ ଲକ୍ଷ ଗୋଷ୍ଠୀର ୭୦ ଲକ୍ଷ ମହିଳା ଓଡ଼ିଶାର ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନ ଆଣିଛନ୍ତି।
ଏହି ପ୍ରସ୍ତାବକୁ ସମର୍ଥନ କରିବା ସହ ସର୍ବ ସମ୍ମତ କ୍ରମେ ପାରିତ କରିବାକୁ ଗୃହର ସଦସ୍ୟମାନଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ।

Comment