ଓଡ଼ିଶାଲାଇଭ୍ ବ୍ୟୁରୋ

 

ମହାନଦୀ ବସ୍ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ଏସ୍‌ସିବି ମେଡିକାଲକୁ ଯାଇ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ମଙ୍ଗଳବାର ସନ୍ଧ୍ୟାରେ କଟକ-ଜଗତପୁର ମହାନଦୀ ପୋଲ ଉପରୁ ଜଗନ୍ନାଥ ନାମକ ଏକ ବସ୍ ଖସି ପଡ଼ିବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୬ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ କଟକ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଛି।

ଏବିଷୟରେ ଖବର ପ୍ରକାଶ ପାଇବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘଟଣାସ୍ଥଳକୁ ଯାଇ ପରିଦର୍ଶନ କରିବା ସହ କଟକ ଏସ୍‌ସିବି ମେଡିକାଲ ଯାଇ ଆହତମାନଙ୍କୁ ଭେଟିଥିଲେ। ଏଥିସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଡାକ୍ତରଙ୍କୁ ପଚାରି ବୁଝିଥିଲେ।

ଆହତମାନଙ୍କୁ ବୁଲି ଦେଖିବା ପରେ ଧର୍ମେନ୍ଦ୍ର କହିଥିଲେ ଯେ, ଜିଲ୍ଲା ପ୍ରଶାସନ ଓ ଏସ୍‌ସିବି ମେଡିକାଲର ଡାକ୍ତରମାନେ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାରେ ଲାଗି ପଡ଼ିଛନ୍ତି। ଏଥିସହ ଏସ୍‌ସିବି ମେଡିକାଲ ପକ୍ଷରୁ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ସେ ଆଶା ରଖିଛନ୍ତି।

କେନ୍ଦ୍ରମନ୍ତ୍ରୀ ଡାକ୍ତରଖାନାରେ ଥିବାବେଳେ ମୃତାହତ ବ୍ୟକ୍ତିଙ୍କ ପରିବାର ଲୋକେ ପହଞ୍ଚିବା ଆରମ୍ଭ କରିଥିଲେ। ସେ ସେମାନଙ୍କୁ ଭେଟି କଥାବାର୍ତ୍ତା କରିବା ସହିତ ସାନ୍ତ୍ୱନା ଦେଇଥିଲେ। ଏଭଳି ଘଟଣା ପାଇଁ  ଧର୍ମେନ୍ଦ୍ର ପ୍ରଧାନ ଦୁଃଖ ପ୍ରକାଶ କରିଛନ୍ତି।

ବସ୍‌ଟି ତାଳଚେରରୁ କଟକ ଆସୁଥିବା ବେଳେ ଜଗତପୁରରୁ ଶିଖରପୁର ମଧ୍ୟରେ ମହାନଦୀ ପୋଲ ଉପରେ ଏକ ମଇଁଷିକୁ ଧକ୍କା ଦେଇ ତଳକୁ ଖସି ପଡ଼ିଥିଲା। ପୋଲରୁ ପ୍ରାୟ ୩୦ ଫୁଟ୍ ତଳେ ବାଲି ଉପରେ ଏହା ପଡ଼ିଥିଲା।

Comment