ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଗାମୀ ୨୦୧୯ ମସିହା ଜାନୁୟାରୀ ମାସରୁ ଆନ୍ଧ୍ରପ୍ରଦେଶ ନିଜସ୍ୱ ହାଇକୋର୍ଟ ପାଇବ। ଭାରତର ୨୫ତମ ହାଇକୋର୍ଟ ରୂପେ ଆସନ୍ତା ଜାନୁୟାରୀ ପହିଲାରୁ ଆନ୍ଧ୍ରପ୍ରଦେଶରେ ନୂଆ ହାଇକୋର୍ଟ ଆରମ୍ଭ ହେବାକୁ ଯାଉଛି। ଏ ସମ୍ପର୍କରେ ସୁପ୍ରିମକୋର୍ଟ ଦ୍ୱାରା ଗୋଟିଏ ବିଜ୍ଞପ୍ତି ଜାରି କରାଯାଇଛି।

ସୁପ୍ରିମକୋର୍ଟ ବିଚାରପତି ଏ.କେ.ସିକ୍ରି ଓ ବିଚାରପତି ଅଶୋକ ଭୂଷଣଙ୍କ ଖଣ୍ଡପୀଠ କହିଛନ୍ତି ଯେ, ନୂଆ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ନିଜର କାର୍ଯ୍ୟାରମ୍ଭ କରିବା ନେଇ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଯାଇଛି। ନୂଆ ବର୍ଷରୁ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ସ୍ୱତନ୍ତ୍ର ହାଇକୋର୍ଟ କାର୍ଯ୍ୟ କରିବ।

ଆନ୍ଧ୍ରପ୍ରଦେଶର ରାଜଧାନୀ ଅମରାବତିଠାରେ ନିର୍ମାଣଧୀନ ଜଷ୍ଟିସ୍ ସିଟି (ବିଚାର ବିଭାଗୀୟ ଅଂଚଳ) ପରିସରରେ ନିଜସ୍ୱ କୋଠା ନିର୍ମାଣ ପର୍ଯ୍ୟନ୍ତ ଏହି ହାଇକୋର୍ଟ ଅସ୍ଥାୟୀ କୋଠାରେ କାର୍ଯ୍ୟକରିବ ବୋଲି ସୁପ୍ରିମକୋର୍ଟ ପ୍ରକାଶ କରିଛନ୍ତି।

ଡିସେମ୍ବର ୨୫ ସୁଦ୍ଧା ଅସ୍ଥାୟୀ କୋଠାର ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହେବ। ଅନୁଧ୍ୟାନ କମିଟି ପୂର୍ଣ୍ଣାଙ୍ଗ କୋର୍ଟ କାର୍ଯ୍ୟାରମ୍ଭ ସମ୍ପର୍କିତ ରିପୋର୍ଟ ଦାଖଲ କରିଛନ୍ତି ଓ ରାଜ୍ୟ ସରକାର ମଧ୍ୟ ଏ ସଂକ୍ରାନ୍ତ ସତ୍ୟପାଠ ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି।

ନବନିଯୁକ୍ତ ବିଚାରପତିଙ୍କ ପାଇଁ ଆବାସସ୍ଥଳ ନିର୍ଣ୍ଣୟ କରାଯାଇଥିବା ରାଜ୍ୟସରକାର ଜଣାଇଛନ୍ତି। ଅମରାବତିଠାରେ ସ୍ୱତନ୍ତ୍ର ଭାବେ ନିର୍ମଣାଧୀନ ଜଷ୍ଟିସ ସିଟିରେ ହାଇକୋର୍ଟ ସମେତ ସମସ୍ତ ନିମ୍ନ ଅଦାଲତ କାର୍ଯ୍ୟକରିବ। ଗୋଟିଏ ପରିସରରେ ବିଚାରପତିଙ୍କ ବାସଗୃହ ଓ ଅନ୍ୟାନ୍ୟ ଆନୁସଙ୍ଗିକ ଜାରି ରହିଛି। ପ୍ରାୟ ୩୩୦୯ ଏକର ପରିମିତ ଜମିରେ ୨.୫ ଲକ୍ଷ ଲୋକଙ୍କ ଚାଲିବା ଭଳି ଜଷ୍ଟିସ ସିଟିର ନିର୍ମାଣ ହେଉଛି। ଏହା ପ୍ରତ୍ୟକ୍ଷ ଓ ପରୋକ୍ଷ ରୂପେ ୧ ଲକ୍ଷ ୩୦ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଆଶା ପ୍ରକାଶ କରାଯାଇଛି।

୨୦୧୪ ଜୁନ ୨ ତାରିଖରେ ଆନ୍ଧ୍ରପ୍ରଦେଶ ବିଭାଜନ ପରଠାରୁ ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦଠାରେ ଦୁଇ ରାଜ୍ୟର ହାଇକୋର୍ଟ ମିଳିତ ଭାବେ କାର୍ଯ୍ୟକରୁଛି। ରାଜ୍ୟ ବିଭାଜନ ସହିତ ନୂଆ ହାଇକୋର୍ଟ ସ୍ଥାପନ ସମ୍ପର୍କରେ ନିଷ୍ପତି ହୋଇଥିଲା।

Comment