ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ମଙ୍ଗଳବାର ଦିନ କଟକ ଜଗତପୁର ପୋଲ ଉପରୁ ଅନୁଗୁଳରୁ ଆସୁଥିବା ବସ ଓଲଟି ୧୨ ଜଣ ପ୍ରାଣ ହରାଇବା ଘଟଣାରେ ଟୁଇନ ସିଟି ପ୍ରଶାସନ ଓ ପୋଲିସର ଚେତା ପଶିଛି। ଉଭୟ ପୌର ସଂସ୍ଥା ପକ୍ଷରୁ ଏଭଳି ଦୁର୍ଘଟଣାକୁ ରୋକିବା ପାଇଁ ପଦକ୍ଷେପ ନେବା  ଆରମ୍ଭ ହୋଇଛି। କଟକ ଓ ଭୁବନେଶ୍ୱରରେ ରାସ୍ତା ଉପରେ ଗୋରୁ ଗାଈଙ୍କ ଅବାଧ ବିଚରଣ ବହୁବର୍ଷ ଧରି ଏକ ବଡ଼ ସମସ୍ୟା ସୃଷ୍ଟି କରିଛି। ଗୋଟିଏ ପଟେ ଗାଡ଼ି ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଗାଈ ଓ ମଇଁଷିଙ୍କ ଯୋଗୁଁ ରାସ୍ତାରେ ଯେଉଁ ପରିସ୍ଥିତି ଉପୁଜୁଛି ତାହାକୁ ବନ୍ଦ କରିବା ପାଇଁ କିଛି ଠୋସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ ପାଇଁ ପ୍ରଶାସନ ଯେତେ ଚିନ୍ତା କରିଛନ୍ତି ତାହା କାମ ଦେଇନାହିଁ।

ପୋଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି ଯେ, ଜଗତପୁରରେ ଯେଉଁ ଦୁର୍ଘଟଣା ଘଟିଲା ତାର ଏକ ମାତ୍ର କାରଣ ପୋଲ ଉପରେ ମଇଁଷି ଗୋଠ ଓ ଗୋଠ ମାଲିକମାନଙ୍କର ବେଧଡକ ଚଳପ୍ରଚଳ।

ଖବର ଅନୁସାରେ, ଉଭୟ ସିଏମ୍‌ସି ଓ ବିଏମସି କର୍ତ୍ତୃପକ୍ଷ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି। କଟକରେ ରାସ୍ତା ଉପରେ ବେଲଗାମ ବୁଲୁଥିବା ଗାଈ ମଇଁଷିଙ୍କ ସଂଖ୍ୟା ପ୍ରାୟ ୪ ହଜାର, କିନ୍ତୁ ଏଗୁଡ଼ିକୁ ଧରିବା ପାଇଁ ସିଏମ୍‌ସି ପାଖରେ କେବଳ ଗୋଟିଏ ଗାଡ଼ି ରହିଛି। କଟକରେ ନିର୍ଦିଷ୍ଟ କାଞ୍ଜିଆ ହୁଦା ନଥିବା ବେଳେ ଯେତେବେଳେ ବି  ସିଏମ୍‌ସି କର୍ତ୍ତୃପକ୍ଷ ଗାଈ ମଇଁଷି ଧରି ଆଣିଥାନ୍ତି ୫୦୦ ଟଙ୍କା ଜରିମାନା ଆଦାୟ କରି ସେଗୁଡ଼ିକୁ ଛାଡ଼ିଦେଇଥାନ୍ତି।

ସ୍ମାର୍ଟ ସିଟି ଭୁବନେଶ୍ୱର ମହାନଗର ନିଗମର ବ୍ୟବସ୍ଥା ଟିକିଏ ଉନ୍ନତ ଧରଣର। ବିଏମସିର ଜଣେ ଅଧିକାରୀଙ୍କ କହିବା  ଅନୁଯାୟୀ ଜରିମାନା ଏବେ ଦୁଇ ଗୁଣ ହୋଇଛି। ମେୟର ଅନନ୍ତ ନାରାୟଣ ଜେନା କହିଛନ୍ତି ଯେ, କାନରେ ଟ୍ୟାଗ କରାଯିବା ଫଳରେ ଏବର୍ଷ ରାସ୍ତାରେ ବୁଲୁଥିବା ଗୋରୁଙ୍କ ସଂଖ୍ୟା ଢେର ପରିମାଣରେ ହ୍ରାସ ପାଇଛି। ଭୁବନେଶ୍ୱରରେ ବୁଲା ଗୋରୁଙ୍କ ସଂଖ୍ୟା ପ୍ରାୟ ୩ ହଜାର ବୋଲି ଏକ ତଥ୍ୟ କହୁଛି।

Comment