ଓଡ଼ିଶାଲାଇଭ୍ ବ୍ୟୁରୋ

ଆକା ମା ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧର୍ମ ମୋର। ଶୁକ୍ରବାର ଏପରି କହି ବଡ଼ ଉତ୍ସାହର ସହ ସମସ୍ତ ଓଡ଼ିଶାବାସୀ ପାଳନ କରିଛନ୍ତି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ହେଲେ ଶୁକ୍ରବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ବ୍ୟତୀତ ଶିଖ୍‌ମାନଙ୍କର ମଧ୍ୟ ଏକ ବଡ଼ ପର୍ବ। ଆଜି ଦିନରେ ଶିଖ୍‌ମାନଙ୍କର ପ୍ରଥମ ଗୁରୁ ନାନକ ଦେବ ଜନ୍ମଗ୍ରହଣ କରିଥିଲେ। ଦେଶବ୍ୟାପି ଗୁରୁ ନାନକଙ୍କ ୫୫୦ତମ ଜୟନ୍ତୀ ପାଳନ କରୁଛନ୍ତି।

ଏହି ଅବସରରେ କେନ୍ଦ୍ର କ୍ୟାବିନେଟ ଗୁରୁବାର ଦିନ ଏକ ଐତିହାସିକ ନିଷ୍ପତ୍ତି ଶୁଣାଇଥିଲେ। କେନ୍ଦ୍ର କ୍ୟାବିନେଟ୍ ଶିଖ୍ ଶ୍ରଦ୍ଧାଳୁଙ୍କ ପାଇଁ କରତାରପୁର କରିଡର ନିର୍ମାଣ କରିବାକୁ କହିଥିଲେ। ପଞ୍ଜାବର ଗୁରୁଦାସପୁର ଜିଲ୍ଲାର ଡେରା ବାବା ନାନକଠାରୁ ପାକିସ୍ତାନ ସୀମା ପର୍ଯ୍ୟନ୍ତ ଏହି କରିଡର ନିର୍ମାଣ କରାଯିବ।

କରିଡର ନିର୍ମାଣ ଓ ବିକାଶର ସମ୍ପୂର୍ଣ୍ଣ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ସୂଚନା ଦେଇଥିଲେ। ଏହା ବ୍ୟତୀତ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି, “ଏଠାରେ ଏକ ବଡ଼ ଧାର୍ମିକ ସ୍ଥଳ ମଧ୍ୟ ନିର୍ମାଣ କରାଯିବ।”

ଏହି କରିଡର ନିର୍ମାଣ ହେଲେ ଭାରତୀୟ ଶିଖ୍ ଶ୍ରଦ୍ଧାଳୁମାନେ ସହଜରେ ପାକିସ୍ତାନର ରାବି ନଦୀ କୂଳସ୍ଥିତ କରତାରପୁର ସାହିବ ଗୁରୁଦ୍ଵାରକୁ ଯାଇପାରିବେ। ଏଥିରେ ତୀର୍ଥଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ସୁବିଧା ରହିବ ବୋଲି କୁହାଯାଇଛି।

ଏହି ଅବସରରେ ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କୁରୈଶୀ କହିଛନ୍ତି, “ପାକିସ୍ଥାନ ସରକାର ଏହା ପୂର୍ବରୁ କରିଡର ନିର୍ମାଣ କରିବାକୁ ଘୋଷଣା କରି ସାରିଛନ୍ତି। ଏଥିସହ ନଭେମ୍ବରରେ ୨୮ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କରିଡରର ଭିତ୍ତିପ୍ରସ୍ତର ସ୍ଥାପନା କରିବେ।”

କ’ଣ ରହିଛି କରତାରପୁରର ଇତିହାସ

  • କରତାରପୁର ସେହି ସ୍ଥାନ, ଯେଉଁଠି ଶିଖ୍‌ମାନଙ୍କ ପ୍ରଥମ ଗୁରୁ ଶ୍ରୀ ନାନକ ଜନ୍ମ ଗ୍ରହଣ କରିଥଲେ। ଏଠାରେ ଗୁରୁ ନାନକ ତାଙ୍କ ଜୀବନର ଶେଷ ୧୮ ବର୍ଷ ବିତାଇଥିଲେ। ଏଥିସହ ଗୁରୁ ନାନକ ତାଙ୍କର ଶେଷ ନିଶ୍ଵାସ ଏଠାରେ ତ୍ୟାଗ କରିଥିଲେ। କୁହାଯାଏ, ୧୫୩୯ ମସିହା ସେପ୍ଟେମ୍ବର ୨୨ତାରିଖରେ ଯେଉଁ ସ୍ଥାନରେ ନାନକ ମୃତ୍ୟୁବରଣ କରିଥିଲେ, ସେହି ସ୍ଥାନରେ ହିଁ ଗୁରୁଦ୍ଵାର ନିର୍ମିତ ହୋଇଥିଲା।
  • କରତାରପୁର ସାହିବ ଗୁରୁଦ୍ଵାର ପାକିସ୍ତାନର ନରୱାଲ ଜିଲ୍ଲାରେ ଅବସ୍ଥିତ। ଏହି ଗୁରୁଦ୍ଵାର ଲାହୋରଠାରୁ ପ୍ରାୟ ୧୨୦ କିମି ଦୂରରେ ରହିଛି। ଏଥିସହ ଏହି ଗୁରୁଦ୍ଵାର ଭାରତ ସୀମାରୁ ମାତ୍ର ୩ କିମି ଦୂରରେ ରହିଛି।
  • ପାକିସ୍ତାନ ଓ ଭାରତ ମଧ୍ୟରେ ଥିବା ସମ୍ପର୍କ ତିକ୍ତତା ଯୋଗୁଁ ତୀର୍ଥଯାତ୍ରୀ ଦୂରରୁ ଦର୍ଶନ କରିଥାନ୍ତି। ଏଥିପାଇଁ ଭାରତ ସରକାରଙ୍କ ପକ୍ଷରୁ ଏକ ବଡ଼ ଦୂରବୀକ୍ଷଣ ଯନ୍ତ୍ର ଲଗାଯାଇଛି। ଯାହା ସାହାଯ୍ୟରେ ଶିଖ୍ ଶ୍ରଦ୍ଧାଳୁମାନେ ଗୁରୁଦ୍ଵାର ଦର୍ଶନ କରିଥାନ୍ତି।
  • ରାବି ନଦୀରେ ବନ୍ୟା ଆସିବା କାରଣରୁ ଗୁରୁଦ୍ଵାରର ଅନେକ କ୍ଷତି ହୋଇଥିଲା। ଏହାପରେ ୧୯୨୦-୧୯୨୯ ଭିତରେ ପଟିଆଲା ମହାରାଜା ଭୂପିନ୍ଦର ସିଂହ ଏହାକୁ ପୁନର୍ବାର ନିର୍ମାଣ କରିଥିଲେ। ଏଥିସହ ୧୯୯୫ରେ ପାକିସ୍ତାନ ସରକାର ଗୁରୁଦ୍ୱାରର କିଛି ଅଂଶକୁ ମରାମତି କରିଥିଲେ।
  • ତେବେ ଏ ସମ୍ପର୍କରେ ପ୍ରଥମ ଥର ୧୯୯୮ ମସିହାରେ ଭାରତ-ପାକିସ୍ତାନ ଭିତରେ ଆଲୋଚନା ହୋଇଥିଲା। ପୁଣି ୨୦ ବର୍ଷ ପରେ ଏହି ପ୍ରସଙ୍ଗ ଚର୍ଚ୍ଚାକୁ ଆସିଛି।

Comment