ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବିଜୁ ଜନତା ଦଳର ପ୍ରାକ୍ତନ ଉପସଭାପତି, ପୂର୍ବତନ ମନ୍ତ୍ରୀ ଓ ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କ ନୂଆ ଦଳ ଶୁକ୍ରବାର ଗଠନ କରାଯିବ। ସେପ୍ଟେମ୍ବର ୧୨ ତାରିଖରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦାମଙ୍କୁ ଦଳରୁ ବହିଷ୍କାର କରିଥିଲେ। ମନ୍ତ୍ରୀ ପଦରୁ ୨୦୧୭ ଡିସେମ୍ବର ୨୨ରୁ ସେ ବିତାଡ଼ିତ ହୋଇଥିଲେ। ତେବେ ମାତ୍ର ତିନି ମାସ ମଧ୍ୟରେ ଏକ ନୂଆ ଦଳ ଗଠନ କରିବାର ସାହସ ପ୍ରଦର୍ଶନ କରିଛନ୍ତି ଦାମ ରାଉତ, ଯାହା ଏକ ରେକର୍ଡ।

ଖବର ଆସୁଛି ଯେ, କାର୍ତ୍ତିକ ପୂର୍ଣ୍ଣିମାକୁ ଏକ ଶୁଭ ଅବସର ଭାବେ ଗ୍ରହଣ କରିଥିଲେ ଦାମ ରାଉତ। ଦାମଙ୍କ ନୂଆ ଦଳର ନାମ ବିଜୁ କ୍ରାନ୍ତି ଦଳ ରଖାଯାଇପାରେ। ଯଦିଓ ଏହି ନୂଆ ଦଳରେ କିଏ ଯୋଗ ଦେବେ ତାହା ସ୍ପଷ୍ଟ ହୋଇନାହିଁ, ତଥାପି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜ କିଶୋର  ତ୍ରିପାଠୀ ଓ ପୂର୍ବତନ ବିଧାୟକ ଯଜ୍ଞେସ୍ୱର ବାବୁ ଏଥିରେ ଯୋଗ ଦେଇ ପାରନ୍ତି।

ସାତଥର ବିଧାୟକ ରହି ସାରିଥିବା ଦାମ ଦଳରେ ଥାଇ ମଧ୍ୟ ସରକାରଙ୍କ ବିଭିନ୍ନ ଦୁର୍ନୀତି ସମ୍ପର୍କରେ ଆଲୋକପାତ କରୁଥିଲେ ଯାହା ଦଳକୁ ଓ ସଭାପତିଙ୍କୁ ଅଡ଼ୁଆରେ ପକାଉଥିଲା।

ଦାମଙ୍କ ବହିଷ୍କାର ପରେ ଶାସକ ଦଳ ରାଜନୀତିରେ ଗୁଞ୍ଜରଣ ସୃଷ୍ଟି ହୋଇଥିଲା। ଏପରିକି ଯେଉଁମାନଙ୍କର ନବୀନଙ୍କ ସହ ଭଲ ସଂପର୍କ ନାହିଁ ସେମାନେ ମିଶି ଏକ ନୂଆ ଦଳ ଗଢ଼ିବେ ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ଦଳରୁ ବହିଷ୍କୃତ ହେବା ପରଦିନ ଅନ୍ୟ ଜଣେ ବହିଷ୍କୃତ ନେତା ଓ ପ୍ରାକ୍ତନ ସାଂସଦ ବୈଜୟନ୍ତ ପଣ୍ଡା ଦାମଙ୍କ ଘରକୁ ଯାଇ ସାକ୍ଷାତ କରିବା ଘଟଣାରେ ମଧ୍ୟ ବହୁ ପ୍ରକାର ରାଜନୈତିକ ଅନୁମାନ ଲଗାଯାଉଥିଲା, କିନ୍ତୁ ଏହି ଉଦ୍ୟମ ଆଗକୁ ଯାଇପାରି ନଥିଲା। ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ ଓ ପ୍ରଫୁଲ୍ଲ ଘଡାଇ ଏହି ପଦକ୍ଷେପରେ ବିଶେଷ ଆଗ୍ରହ ପ୍ରକାଶ କରିନଥିଲେ। ୨୦୧୯ ନିର୍ବାଚନ ପରିପ୍ରେକ୍ଷୀରେ ଦାମ ରାଉତଙ୍କ ନୂଆ ଦଳ ଓଡ଼ିଶାର ରାଜନୀତି ଉପରେ କି ପ୍ରଭାବ ପକାଇବ ତାହା ଦେଖିବାକୁ ବାକି ରହିଲା।

Comment