କାଳିକିଙ୍କର  

କାର୍ତ୍ତିକ ମାସକୁ ମହା କାର୍ତ୍ତିକ ମାସ ବୋଲି  କୁହାଯାଏ। ଓଡ଼ିଶାର ଘରେ ଘରେ ମହାଦେବ ଦାସଙ୍କ କାର୍ତ୍ତିକ ମହାତ୍ମ୍ୟ ଓଡ଼ିଆଣୀମାନେ ବହୁ ଶ୍ରଦ୍ଧାର ସହ ଏହି ମାସର ପ୍ରଭାତରେ ପଠନ କରନ୍ତି। କାର୍ତ୍ତିକ ମହାତ୍ମ୍ୟ ନିଳାମ୍ବର ଦାସଙ୍କର ଓଡ଼ିଆରେ ରଚିତ ପଦ୍ମପୁରାଣରୁ ଉଦ୍ଧୃତ ବୋଲି ଜଣାଯାଏ। ଏହି ମାସର କ’ଣ ମହତ୍ୱ ଓ କ’ଣ ଗୁରୁତ୍ୱ ତା’ ସମ୍ପର୍କରେ ଏ ନିବନ୍ଧରେ ଆଲୋଚନା କରିବା ସମ୍ଭବ ହେଉ ନଥିବାରୁ ମୁଁ କେବଳ ଓଡ଼ିଆ ଗଣପର୍ବ ଭାବରେ ପରିଚିତ କାର୍ତ୍ତିକ ପୂର୍ଣ୍ଣିମା କିମ୍ବା ବୋଇତ ଉତ୍ସବ ସମ୍ବନ୍ଧରେ ଆଲୋଚନା କରିବା।

ପିଲାଦିନେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଆମ ଗାଁରେ ଏହି ଉତ୍ସବ ଖୁବ୍ ଆଡ଼ମ୍ବର ସହକାରେ ପାଳନ କରାଯାଉଥିଲା। ସୁବର୍ଣ୍ଣରେଖା କୂଳର ମୋ ଗାଁ ଦହମୁଣ୍ଡା-ଆରୁହାବୃତି। ଖରିଦପିପଳ ଓ ସାହାବନ୍ଦରର ମଧ୍ୟସ୍ଥଳ। ଉତ୍କଳ କିମ୍ବା କଳିଙ୍ଗର ସମୃଦ୍ଧ ପିପିଲି ବନ୍ଦରର ଏ ଅଞ୍ଚଳ। ଉତ୍କଳ ନୌବାଣିଜ୍ୟ ସଂସ୍କୃତିର ଅନନ୍ୟ ତୀର୍ଥସ୍ଥଳ। ଆଜି ସେ ପିପିଲି ବନ୍ଦର ନାହିଁ କିନ୍ତୁ ଏହି ବନ୍ଦରକୁ କେନ୍ଦ୍ରକରି ଗଢ଼ି ଉଠିଥିବା ଓଡ଼ିଶାର ସମୃଦ୍ଧ ପରମ୍ପରାକୁ ମନେ ପକାଇବାକୁ ସେ ଅଞ୍ଚଳରେ ପାଳିତ ହୁଏ କାର୍ତ୍ତିକ ପୂର୍ଣ୍ଣିମା ବା ବୋଇତ ବନ୍ଦାଣ ଉତ୍ସବ। ବିଶେଷ ଭାବରେ ବାଲେଶ୍ୱରର ଲୋକେ ଏହି ପରମ୍ପରାକୁ ବଡ଼ ଶ୍ରଦ୍ଧାର ସହ ମନେ ପକାନ୍ତି। ବାଲେଶ୍ୱରର ନୌବାଣିଜ୍ୟ ବହୁତ ସମୃଦ୍ଧ ଥିଲା ବୋଲି ଅନେକ ଐତିହାସିକ ତଥ୍ୟ ରହିଛି। ବିଶେଷ ଭାବରେ ପିପିଲି ବନ୍ଦର ସେ ବେଳର ବେଙ୍ଗଲ, ବିହାର ଓ ଓଡିଶାର ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ବାଣିଜ୍ୟ କେନ୍ଦ୍ରଥିଲା। ଏହି ବନ୍ଦର ପଥରେ ପ୍ରାଚୀନ ଭାରତର ବହୁ ଅଞ୍ଚଳକୁ ବେପାର ବଣିଜ ହେଉଥିଲା।

ଆଜି ମଧ୍ୟ ସାହାବନ୍ଦର, ଜାମକୁଣ୍ଡା, ଚଉମୁଖ, ପଶ୍ଚିମବାଡ଼, ପୁଟିଣାକୁ ନେଇ ଏକ ବନ୍ଦର ବଳୟର ସୂଚନା ମିଳେ। ବିଭିନ୍ନ ସମୟରେ ଏ ସମତଳ ଭୂମିରୁ ପିପିଲି ବନ୍ଦର କାଳର କିଛି ଭଗ୍ନାବିଶେଷ ଦେଖିବାକୁ ମିଳେ। ଏହି ଅଞ୍ଚଳରେ ସାଧବମାନେ ସବୁଠାରୁ ସମ୍ପନ୍ନ ଓ ସମୃଦ୍ଧ ଜାତିଥିଲେ। ସେମାନେ ପିପିଲି ବନ୍ଦର ପଥରେ ଭାରତର ବିଭିନ୍ନ ସାମୁଦ୍ରିକ ସହର, ନଦୀ ଉପତ୍ୟାକାର ସହର ଆଦି ସହିତ ବେପାର ବଣିଜ କରୁଥିଲେ। ଏମିତିକି ଏହି ବନ୍ଦର ପଥଦେଇ ସିଂହଳ, ବୋର୍ଣ୍ଣିଓ, ବାଲି ଆଦି ଦ୍ୱୀପ ସମୂହ ସହ ଉତ୍କଳର ନୌବାଣିଜ୍ୟ ପ୍ରସାରିତ ଥିଲା।

ସମୃଦ୍ଧ ଓ ଶକ୍ତି ସମ୍ପନ୍ନ ମୂଲକ ଥିଲା ଆମର ଉତ୍କଳ। ସାଧବ ପୁଅମାନେ କାର୍ତ୍ତିକ ପୂର୍ଣ୍ଣିମା ଦିନ ବୋଇତ ଧରି ଏହି ବନ୍ଦରପଥରେ ସମୁଦ୍ରକୁ ଯାଉଥିଲେ। ସେମାନଙ୍କର ସମୁଦ୍ରପଥରେ ଯାଇ ବେପାର ବଣିଜ ଅନ୍ୟୁନ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲୁଥିଲା, କିନ୍ତୁ ଦୂର ରାଇଜକୁ ଯାଉଥିବା ସାଧବ ପୁଅମାନେ ମାସ ମାସ ଧରି ଘରଠାରୁ ଦୂରରେ ରହୁଥିଲେ। ଫେରିଲା ପଥକୁ ଚାହିଁ ରହିଥାନ୍ତି ତାଙ୍କ ଘରର ଲୋକମାନେ। ଆଜିର ସମୟପରି ସେ ସମୟ ନ ଥିଲା। ସମ୍ବାଦ ପ୍ରେରଣ କିମ୍ବା ଗ୍ରହଣର କୌଣସି ସୁବିଧା ନଥିଲା। ଥରେ ଘରୁ ବାହାରିଗଲେ କେବଳ ଫେରିଲେ ଦେଖା।

ସମୟ ସମୟରେ ସାଧବଙ୍କ ବୋଇତ ଫେରୁ ନ ଥିଲା। ଆଜିକାଲି ପରି ପାଣିପାଗର ସୂଚନା କାହାକୁ ମିଳି ପାରୁ ନଥିଲା। ଏଣୁ ପାଣି ମଝିରେ ବେଳେ ବେଳେ ଆସୁଥିଲା ପ୍ରଳୟଙ୍କାରୀ ଝଡ଼। ଜଳ ସମାଧି ଲଭୁଥିଲେ ବୋଇତ ଓ ଅନେକ ଜୀବନ। ଏମିତି ମଧ୍ୟ ସମୟ ଆସିଛି ଯେ ସମସ୍ତ ବୋଇତ ଅଜସ୍ର ଧନ ସମ୍ପଦ ଓ ଜନଜୀବନ ସହ ସମୁଦ୍ର ଭିତରେ ଚିରକାଳ ପାଇଁ ହଜି ଯାଇଛନ୍ତି।

ପିପିଲି କିମ୍ବା ଅନ୍ୟାନ୍ୟ କିଛି ବନ୍ଦରର ବିଲୁପ୍ତ ହେବାର ମଧ୍ୟ ଏମିତି କିଛି ତଥ୍ୟ ବିଚାରକୁ ଆସେ। ଉତ୍କଳର ସମୁଦ୍ର କୂଳ ଓ ନଦୀ ଉପତ୍ୟକା ଅନେକ ସମୟରେ ଭୟଙ୍କର ବାତ୍ୟା, ବନ୍ୟା, ବର୍ଷା ଆଦି ଯୋଗୁଁ ନିଶ୍ଚିହ୍ନ ହୋଇଛି। ସୁବର୍ଣ୍ଣରେଖାର ମୁହାଁଣ ଅଗଭୀର ହୋଇଛି। ବନ୍ଦର ସମୟକ୍ରମେ ଆପଣାର ଅସ୍ତିତ୍ୱ ହରାଇଛି।

ତେବେ କାର୍ତ୍ତିକ ପୂର୍ଣ୍ଣିମାର ସାଂସ୍କୃତିକ ଐତିହ୍ୟ ଏବେ ମଧ୍ୟ ପାଳନ ହେଉଛି। ପିଲାଦିନେ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବୈତରଣୀ, ବ୍ରାହ୍ମଣୀ, ମହାନଦୀ ଆଦି ନଦୀ କୂଳରେ ବସବାସ କରୁଥିବା ମତ୍ସଜୀବୀମାନେ ଆପଣାର ଲଞ୍ଚ, ଡଙ୍ଗା ଆଦି ଧରି ସମୁଦ୍ରକୁ ମାଛଧରିବାକୁ ଯାଆନ୍ତି। ସେମାନଙ୍କର ସେହି ସ୍ୱଳ୍ପ ବଜେଟର ଡଙ୍ଗା ବା ଲଞ୍ଚ ବୋହୂଟିଏ ପରି ସଜେଇ ହୁଏ। ମତ୍ସଜୀବୀମାନେ ସାଧବ ବେଶରେ ନଦୀକୂଳକୁ ଆସନ୍ତି। ମହିଳାମାନେ ସେମାନଙ୍କୁ ବନ୍ଦାଣ କରି ବିଦାୟ ଦିଅନ୍ତି। ଏହା ଆଜି ମଧ୍ୟ ନଦୀ ଓ ସମୁଦ୍ରକୂଳ ଗାଁମାନଙ୍କରେ ଉତ୍କଳୀୟ ପରମ୍ପରା ହୋଇ ବଞ୍ଚି ରହିଛି।

ପିଲାମାନେ ଏ ଦିନ କାଗଜ କିମ୍ବା କଦଳୀ ବାହୁଙ୍ଗାରେ ଡଙ୍ଗା ତିଆରି କରି ପାଣିରେ ଭସାନ୍ତି। ମନ ଆନନ୍ଦରେ ଗୀତ ଗାଆନ୍ତି — ଯା ଯା ରେ ଭାସି କାଗଜ ଡଙ୍ଗା ଭାସିଯା। କାଗଜ ଡଙ୍ଗା ଭାସେ, ପବନରେ ପାଣି ଭିତରେ କିଛି ସମୟ ଘୁରିବୁଲେ ଓ ତା’ପରେ ଧୀରେ ଧୀରେ ପାଣିରେ ବୁଡ଼ିଯାଏ। ଗଡ଼ିଆ ପୋଖରୀମାନଙ୍କରେ ମଧ୍ୟ ବୋଇତ ଭସାଣି ହୁଏ। ଏହା ଆମର ପ୍ରାଚୀନ ଉତ୍କଳୀୟ ପରମ୍ପରାର ପରିଚୟ ଜୀବିତ ରଖେ।

ଉତ୍କଳ ଅର୍ଥାତ୍ ଉତ୍କୃଷ୍ଟ କଳା, ସଂସ୍କୃତି ଓ ସମ୍ପନ୍ନତାର ଭୂମି। ସମଗ୍ର ବିଶ୍ୱରେ ଏ ଭୂମି ଥିଲା ଖୁବ୍ ସମ୍ପନ୍ନ। ଓଡ଼ିଆ ସାଧବ ପୁଅମାନେ ଏହି ଭୂମିକୁ ଆପଣାର ପରିଶ୍ରମ ଓ ସାଧନା ବଳରେ କରିଥିଲେ ସମୃଦ୍ଧ।

ଏଣୁ ଏହି କାର୍ତ୍ତିକ ମାସ ଓଡ଼ିଆଙ୍କ ପାଇଁ ମହାନ୍‌ ଓ ମହାତ୍ମ୍ୟ ବହନ କରିଥାଏ। କାର୍ତ୍ତିକ ପୂର୍ଣ୍ଣିମା ଆମକୁ ଆମର ଐତିହ୍ୟ ବିଷୟରେ ମନେ ପକାଇଦିଏ। ଓଡ଼ିଆ ଜାତି ଯେ ଦିନେ ବିଶ୍ୱବନ୍ଦନୀୟ ଥିଲା ଏହାର ପରିଚୟ ଆମକୁ ଦିଏ। ଏଣୁ ଡଙ୍ଗା ଭାସୁଥିବ ଓ ଆମକୁ ଆମ ଗୌରବ ଓ ଗର୍ବର ଇସ୍ତାହାର ଦେଉଥିବ। ଆମ ଆଗରେ ସ୍ୱର୍ଣ୍ଣିମ ଅକ୍ଷରରେ ଉତ୍କଳୀୟ ନୌବାଣିଜ୍ୟର ସ୍ୱାକ୍ଷର ପ୍ରଦାନ କରୁଥିବ।

Comment