ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜସ୍ଥାନର ପ୍ରସିଦ୍ଧ ପୁଷ୍କର ମେଳାରେ ଚଳିତ ଥର ‘ଭୀମ’ ନାମକ ଏକ ମଇଁଷି ସାମିଲ ହୋଇଛି। ଏହି ମଇଁଷିର ମୂଲ୍ୟ ପାଖାପାଖି ୧୦ କୋଟି ଟଙ୍କା। ୧୨୦୦ କିଲୋ ଓଜନ ବିଶିଷ୍ଟ ଏହି ମଇଁଷିର ଉଚ୍ଚତା ୬ ଫୁଟ ଥିବା ବେଳେ ଲମ୍ବ ୧୪ ଫୁଟ। ମାତ୍ର ୫ ବର୍ଷ ବୟସର ଏହି ମଇଁଷି ଅନ୍ୟ ମଇଁଷିଙ୍କଠାରୁ ସମ୍ପୂର୍ଣ୍ଣ ରୂପେ ଭିନ୍ନ। ‘ଭୀମ’ର ଖାଇବାରେ ମାସକୁ ଏକ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ମାଲିକ। ‘ଭୀମ’କୁ ଦେଖିବା ପାଇଁ ପୁଷ୍କର ମେଳାରେ ଜବରଦସ୍ତ ଭିଡ଼ ଦେଖିବାକୁ ମିଳୁଛି।

ପ୍ରତିଦିନ ୨୫ ଲିଟର କ୍ଷୀର, ଏକ କିଲୋ ଘିଅ, ଅଧା କିଲୋ ଲହୁଣି, ୨୦୦ ଗ୍ରାମ ମହୁ ଓ ଏକ କିଲୋ କାଜୁ-ବାଦାମ ‘ଭୀମ’କୁ ଖାଇବାକୁ ଦିଆଯାଇଥାଏ। ‘ଭୀମ’ର ମାଲିକ ଜବାହାରଲାଲ ଜାଙ୍ଗିଡଙ୍କ କହିବା ଅନୁଯାୟୀ, ଏସବୁ ବ୍ୟତୀତ ପ୍ରତିଦିନ ୧ କିଲୋ ସୋରିଷ ତେଲ ଦେହରେ ମାଲିସ କରାଯାଇଥାଏ। ‘ଭୀମ’ର ଦେଖାଶୁଣା କରିବା ପାଇଁ ୪ ଜଣ ଲୋକଙ୍କୁ ନିଯୁକ୍ତି ଦିଆଯାଇଛି।

କିଛିଦିନ ପୂର୍ବେ ରାଜସ୍ଥାନର ଉଦୟପୁର ଜିଲ୍ଲାରେ ଆୟୋଜିତ ଏଗ୍ରୋ ଟେକ୍ ଚାଷୀ ମେଳାରେ ଭୀମ ସବୁଠୁ ଶକ୍ତିଶାଳୀ ମଇଁଷିର ପୁରସ୍କାର ହାସଲ କରିଥିଲା। ଭୀମ ପୂର୍ବରୁ ସୁଲତାନ, ଯୁବରାଜଙ୍କ ଭଳି ମଇଁଷି ଚର୍ଚ୍ଚାର ପରିସରକୁ ଆସିଥିଲେ। ଯାହାଙ୍କର ମୂଲ୍ୟ ମଧ୍ୟ କୋଟି କୋଟି ଟଙ୍କା ରହିଥିଲା। ଭୀମର ମାଲିକ ଜବାହାରଲାଲଙ୍କ କହିବା ଅନୁଯାୟୀ, ଭୀମକୁ କିଣିବାକୁ ତାଙ୍କ ପାଖକୁ ଅନେକ ଲୋକ ଆସୁଛନ୍ତି। କିନ୍ତୁ ସେ ଏହି ମଇଁଷି ବିକ୍ରି କରିବାକୁ ଚାହୁଁନାହାନ୍ତି।

















