ଓଡ଼ିଶାଲାଇଭ୍ ବ୍ୟୁରୋ

 

ଭାଇରାଲ୍‌ ହେଲା ଭିଡିଓ, ପୁଣିଥରେ କାଶୀପୁରରେ ଆକ୍ରମଣର ଶିକାର ହେଲେ ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁ।

ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁଙ୍କ ଉପରେ ପୁଣିଥରେ ଆକ୍ରମଣ ହୋଇଛି। ରାୟଗଡ଼ା ଜିଲ୍ଲା କାଶୀପୁରରେ ଆୟୋଜିତ ହୋଇଥିବା ଏକ ସଭା ମଞ୍ଚରେ ତାଙ୍କୁ ଆକ୍ରମଣ କରାଯାଇଛି। ଖୋଦ୍‌ ଖାରବେଳ କହିଛନ୍ତି, “ବାରମ୍ବାର ଆକ୍ରମଣ କରିଥିବା ଲୋକ ବିଜେଡି ସମର୍ଥକ।”

କେବଳ ଏତିକି ନୁହେଁ, ସେହି ସମୟର ଭିଡିଓକୁ ଖାରବେଳ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଛନ୍ତି।

ଖାରବେଳ ଆହୁରି ମଧ୍ୟ କହିଛନ୍ତି, “ସଭା ଚାଲିଥିବା ସମୟରେ ମୋ ଉପରକୁ ୨ରୁ ୩ଜଣ ଯୁବକ ଆକ୍ରମଣ କରିଥିଲେ। ସେ ନିଜକୁ ବିଜେଡି ଦଳର ବୋଲି କହିଥିଲେ। ତାଙ୍କ ବିନା ଅନୁମତିରେ ମୁଁ କାହିଁକି ସେଠାକୁ ଆସିଛି ଓ ବିଜେଡି ବିରୋଧରେ କହୁଛି ବୋଲି ସେହି ଯୁବକମାନେ କହିଥିଲେ। ଏଥିସହ ସେମାନେ ମୋତେ ବିଧା, ଚାପୁଡ଼ା ମାରିବା ପରେ ମାଇକ୍ ଷ୍ଟାଣ୍ଡ ଉଠାଇ ମାରିବାକୁ ଉଦ୍ୟମ କରିଥିଲେ। ବିଜେଡି ବିରୋଧରେ କହିଲେ ହାଣି ଦେବୁ ବୋଲି ଧମକ ମଧ୍ୟ ଦେଇଥିଲେ। ଏଭଳି ଘଟଣା ପାଇଁ ଆମେ ସଭା ପୂର୍ବରୁ ସୁରକ୍ଷା ପାଇଁ ପୋଲିସ ମାଗିଥିଲୁ, କିନ୍ତୁ ପୋଲିସ ଆସିବାକୁ କହି ଆସିନଥିଲେ।

ଏହା ପୂର୍ବରୁ ମଧ୍ୟ କେନ୍ଦ୍ରାପଡ଼ାରେ ହୋଇଥିବା ଏକ ରାଲିରେ ଖାରବେଳଙ୍କ ଉପରକୁ ଆକ୍ରମଣ ହୋଇଥିଲା।

Comment