ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଥାନାକୁ ଆଦର୍ଶ ଥାନା ଭାବେ ଘୋଷଣା କରିଛନ୍ତି। ଫଳରେ ଥାନାର କର୍ମଚାରୀ ସଂଖ୍ୟା ବୃଦ୍ଧି କରାଯାଇଥିବା ବେଳେ ଥାନାରେ ଗାଡ଼ି ସଂଖ୍ୟା ବୃଦ୍ଧି କରାଯାଇଛି। ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳକୁ ଜିରୋ କ୍ରାଇମ ଜୋନ୍ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର।

କେନ୍ଦ୍ରାପଡ଼ା ଜିଲ୍ଲାର ସବୁଠାରୁ ବଡ଼ ଥାନାର ମାନ୍ୟତା ପାଇଲା ପଟ୍ଟାମୁଣ୍ଡାଇ ଥାନା। ପ୍ରତିବର୍ଷ ଏହି ଥାନାରେ ୫୦୦ରୁ ଅଧିକ ମାମଲା ରୁଜୁ ହେଉଛି। ଥାନା ଅଧିନରେ ରହିଛି ୩୫ଟି ଗ୍ରାମପଞ୍ଚାୟତ। ୨୦୧୧ ଜନଗଣନା ରିପୋର୍ଟ ଅନୁସାରେ ଏହି ଥାନା ଅଞ୍ଚଳରେ ୨ ଲକ୍ଷ ୨୫ ହଜାର ୬୬୫ ଲୋକସଂଖ୍ୟା ରହିଥିବା ବେଳେ ଏବେ ଏହାର ସଂଖ୍ୟା ୩ ଲକ୍ଷ ହୋଇଥିବା କୁହାଯାଉଛି। ପ୍ରତି ଦିନ ଥାନାରେ ମାମଲା ବଢ଼ିବା ସହିତ ଅପରାଧର ସଂଖ୍ୟା ଲମ୍ବୁଛି। ଏହାକୁ ଦୃଷ୍ଟିରେ ରଖି ପଟ୍ଟାମୁଣ୍ଡାଇ ଥାନାକୁ ଜିରୋ କ୍ରାଇମ୍ ଜୋନ୍ କରିବା ପାଇଁ ଏହାକୁ ଆଦର୍ଶ ଥାନା ଭାବରେ ଘୋଷଣା କରିଛନ୍ତି। ଫଳରେ ଥାନାରେ କର୍ମଚାରୀଙ୍କ ସଂଖ୍ୟା ବଢାଇ ଦିଆଯାଇଛି। ଥାନାକୁ ଏକ ପିସିଆର୍ ଭ୍ୟାନ ସହିତ ଦୁଇଟି ଜିପ୍ ଦିଆଯାଇଛି।

ଏହି ଥାନା ଅଞ୍ଚଳରେ ଚଉଦକୁଲାଟ ଠାରେ ଏକ ଫାଣ୍ଡି ରହିଛି। ଥାନାରେ ୫ ଜଣ ଏସ୍ ଆଇ ଓ ୫ ଜଣ ଏଏସ୍ଆଇ ରହିବାକୁ ବ୍ୟବସ୍ଥା କରାଯାଇଛି। ଦୁଇ ଜଣ ହାବିଲଦାର, ୧୦ଜଣ କନଷ୍ଟେବଳ ଓ ୩୫ ଜଣ ହୋମଗାର୍ଡ ନିଯୁକ୍ତି ହେବାର ରହିଛି। ଏହାଛଡ଼ା ଚଉଦକୁଲାଟ ଫାଣ୍ଡିରେ ଜଣେ ଏସ୍ଆଇ ଓ ଆଉ ଜଣେ ଏଏସ୍ ଆଇଙ୍କୁ ନିଯୁକ୍ତି ମିଳିବାର ବ୍ୟବସ୍ଥା ହୋଇଛି। ଫଳରେ ଜନସାଧାରଣ ତ୍ୱରିତ ପୋଲିସ ସେବା ପାଇବାକୁ ସକ୍ଷମ ହେବେ ବୋଲି କେନ୍ଦ୍ରାପଡ଼ା ଏସପି ନିତିଶେଖର ସୂଚନା ଦେଇଛନ୍ତି।

ମଙ୍ଗଳବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଥାନାକୁ ଆଦର୍ଶ ଥାନା ଭାବରେ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ଏକ ଜନସଭାର ଆୟୋଜନ କରାଯାଇଥିଲା।

ଏହି ସଭାରେ ବହୁ ବୁଦ୍ଧିଜୀବୀ, ଲୋକପ୍ରତିନିଧିମାନେ ଯୋଗ ଦେଇଥିଲେ। ଜିଲ୍ଲାପାଳ ଦାଶରଥୀ ଶତପଥୀ, ଏସପି ନିତିଶେଖର, ଉପଜିଲ୍ଲାପାଳ ସଂଜୟ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ବସନ୍ତ ରାଉତ, କେନ୍ଦ୍ରାପଡ଼ା ଏସଡିପିଓ ରାଜୀବଲୋଚନ ପଣ୍ଡା, ପଟ୍ଟାମୁଣ୍ଡାଇ ଏସ୍‌ଡିପିଓ ଉମାଶଙ୍କର ମହାରଣା, କେନ୍ଦ୍ରାପଡ଼ା ବିଧାୟକ କିଶୋର ତରାଇ, ଜିଲ୍ଲାପରିଷଦ ଅଧ୍ୟକ୍ଷ ମାନସ ପରିଡ଼ା, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ।

Comment