ଓଡ଼ିଶାଲାଇଭ୍‌ ବ୍ୟୁରୋ

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କୁ ତୃତୀୟ ଥର ପାଇଁ ମଙ୍ଗଳବାର ଦିନ ସଂସଦୀୟ କମିଟି ଆଗରେ ଉପସ୍ଥିତ ହେବାକୁ ପଡ଼ିଥିଲା। ଆରବିଆଇ ଇତିହାସରେ ପ୍ରଥମ ଥର ପାଇଁ ଏଭଳି ଘଟିଛି। ସୂତ୍ର ଅନୁସାରେ ନୋଟବନ୍ଦୀ, ସରକାରୀ ବ୍ୟାଙ୍କର ବକେୟା ଋଣ ବା ଏନପିଏ ଓ ଅନ୍ୟାନ୍ୟ ପ୍ରସଙ୍ଗରେ  ସେ ତାଙ୍କ ମତ ଦେଇଥିଲେ। ଅର୍ଥ ମନ୍ତ୍ରାଳୟ ସହିତ ଜଡିତ ସ୍ଥାୟୀ କମିଟିର ତାଲିକାରେ ୫୦୦ ଓ ୧୦୦୦ ଟଙ୍କିଆ ନୋଟ ଅଚଳ ଓ ବ୍ୟାଙ୍କଗୁଡ଼ିକର ଆର୍ଥିକ ଅବସ୍ଥା ଭଳି ବିଷୟ ମଧ୍ୟ ରହିଛି।

ଆରବିଆଇ ଗଭର୍ଣ୍ଣର ଏଭଳି ସମୟରେ କମିଟି ଆଗରେ ଉପସ୍ଥିତ ଥିଲେ ଯେତେବେଳେ ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାର ଓ କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ମଙ୍ଗଳବାର ବୈଠକ ମୁଖ୍ୟତଃ ନୋଟବନ୍ଦୀ ବା ବିମୁଦ୍ରାକରଣଜନିତ ଆର୍ଥିକ କ୍ଷତି ସମ୍ପର୍କିତ ଥିଲା।

କମିଟି ଆଗରେ ନିଜର ମତ ରଖିବାକୁ ଯାଇ ପଟେଲ କହିଥିଲେ ଯେ ବିଭିନ୍ନ ପ୍ରସଙ୍ଗରେ ସେ ତାଙ୍କ ମତ ଲିଖିତ ଆକାରରେ ଦେବେ। ରିଜର୍ଭ ବ୍ୟାଙ୍କ ଆଇନର ଧାରା ୭,ବ୍ୟାଙ୍କଗୁଡ଼ିକର ଋଣ ବୋଝ, ରିଜର୍ଭ ବ୍ୟାଙ୍କର ସ୍ୱାଧୀନତା  ଭଳି ଜଟିଳ ପ୍ରସଙ୍ଗରେ ସେ କିଛି କହିନଥିଲେ। ତେବେ ଦେଶର ଓ ବିଶ୍ୱର ଅର୍ଥନୈତିକ ସ୍ଥିତି ସମ୍ପର୍କରେ କମିଟିକୁ ବିସ୍ତୃତ ଭାବେ ଅବଗତ କରାଇଥିଲେ। ଖୁବ୍ ଚତୁରତାର ସହ କମିଟିର ସଦସ୍ୟଙ୍କ ପ୍ରଶ୍ନକୁ ସେ ଏଡ଼ାଇ ଦେଇଥିଲେ। ଅନ୍ୟ ଏକ ସୂତ୍ର କହୁଛି ଯେ ପଟେଲଙ୍କୁ ଗୁଡ଼େଇ ତୁଡେଇ ପ୍ରଶ୍ନମାନ ପଚାରାଯାଇଥିଲା। ଦଶ ପନ୍ଦର ଦିନ ମଧ୍ୟରେ ଜବାବ ରଖିବେ ବୋଲି ସେ କହିଥିଲେ।

Comment