ଓଡ଼ିଶାଲାଇଭ୍ ବ୍ୟୁରୋ

କର୍ତ୍ତାରପୁର କରିଡରକୁ ନେଇ ପାକିସ୍ତାନ ସମ୍ପର୍କରେ କଡ଼ା ବୟାନ ଦେଇଛନ୍ତି ସୁଷମା ସ୍ଵରାଜ।

‘ଆତଙ୍କବାଦ ଓ ଆଲୋଚନା ଏକାସଙ୍ଗେ ଚାଲିପାରିବ ନାହିଁ’ – ପାକିସ୍ତାନ ସମ୍ପର୍କରେ ଏଭଳି କଡ଼ା ମନ୍ତବ୍ୟ ଦେଇଛନ୍ତି  ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ଵରାଜ।

ପାକିସ୍ତାନ ରାଜଧାନୀ ଇସଲାମବାଦରେ ଅନୁଷ୍ଠିତ ହେବ ସାର୍କ ସମ୍ମିଳନୀ। ଏଥିରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାକିସ୍ତାନ ପକ୍ଷରୁ ଆମନ୍ତ୍ରଣ କରାଯାଇଥିଲା। କିନ୍ତୁ ଭାରତ ଏହାକୁ ପ୍ରତ୍ୟାଖ୍ୟାନ କରିଛି।

ଏହି ପରିପ୍ରେକ୍ଷୀରେ ବୈଦେଶିକ ବ୍ୟାପର ମନ୍ତ୍ରୀ ସୁଷମା ସ୍ୱରାଜ ହାଇଦ୍ରାବାଦରେ ଏକ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି।

ସୁଷମା କହିଛନ୍ତି, “ଯେତେଦିନ ଯାଏଁ ଆତଙ୍କବାଦୀ କାର୍ଯ୍ୟକଳାପରୁ ପାକିସ୍ତାନ ନିବୃତ୍ତ ନରହିଛି ସେ ପର୍ଯ୍ୟନ୍ତ ପାକିସ୍ତାନ ସହ କୌଣସି ଆଲୋଚନା ସମ୍ଭବ ନୁହେଁ। ଆତଙ୍କବାଦ ଓ ଆଲୋଚନା ଏକାସାଙ୍ଗେ ହୋଇପାରିବ ନାହିଁ।”

ସୁଷମା ଆହୁରି କହିଛନ୍ତି ଯେ କର୍ତ୍ତାରପୁର କରିଡର ନିର୍ମାଣ ପାଇଁ ପାକ୍ ସରକାରଙ୍କୁ ଦୀର୍ଘ ଦିନ ହେଲା ପଚାରି ଆସୁଥିଲା ଭାରତ। ଏବେ ପାକିସ୍ତାନ ଏହାର ସକରାତ୍ମକ ଉତ୍ତର ରଖିଛି। ଏହାର ଅର୍ଥ ନୁହେଁ ଦୁଇ ଦେଶ ଭିତରେ ଦ୍ଵିପାକ୍ଷିକ ଆଲୋଚନା ଆରମ୍ଭ ହେବ। କାରଣ ଆତଙ୍କବାଦ ଓ ଆଲୋଚନା ଏକାସଙ୍ଗେ ଚାଲିପାରିବ ନାହିଁ।

“ସାର୍କ ସମ୍ମିଳନୀ ପାଇଁ ପାକିସ୍ତାନ ଭାରତକୁ ନିମନ୍ତ୍ରଣ ପତ୍ର ପଠାଇଛି। ହେଲେ ଆମେ ଏହାକୁ ଗ୍ରହଣ କରୁନାହୁଁ। ଭାରତରେ ପ୍ରଥମେ ପାକିସ୍ତାନ ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ କରୁ। ସାର୍କ ସମ୍ମିଳନୀରେ ଭାରତ ଯୋଗ ଦେବ ନାହିଁ”, କହିଛନ୍ତି ସୁଷମା।

Comment