ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବହୁ ପ୍ରତିକ୍ଷୀତ ଫିଲ୍ମ ‘ଜିରୋ’ରେ ଅନୁଷ୍କା ଓ କାଟ୍ରିନା ପୁଣିଥରେ ଏକାଠି ଆସୁଛନ୍ତି। ଜାଣନ୍ତୁ ଏଥିରେ କାହାର ଭୂମିକା କ’ଣ ରହିଛି…

ବଲିଉଡରେ ଅନେକ ସମୟରେ ଏମିତି ଘଟିଥାଏ ଯେ, ଜଣେ ନାୟକଙ୍କ ବିପକ୍ଷରେ ଦୁଇ ଜଣ ନାୟିକା ଏକାଠି କାମ କରିବାକୁ ମନା କରିଥାନ୍ତି। ଖାସ୍‌ କରି ଯେତେବେଳେ ଦୁଇ ଜଣ ନାୟିକା ସଫଳତାର ଶୀର୍ଷରେ ଥାଆନ୍ତି, ସେମାନେ ଏକାଠି ଗୋଟିଏ ସିନେମାରେ କାମ କରିବାକୁ ରାଜି ହୋଇନଥାନ୍ତି।

କିନ୍ତୁ ବଲିଉଡର ଦୁଇ ଜଣ ଟପ୍‌ ହିରୋଇନ୍‌ ଏଥିପାଇଁ ରାଜି ହୋଇଛନ୍ତି। ଏବେ ଦ୍ୱିତୀୟ ଥର ପାଇଁ ଏ ଦୁଇ ନାୟିକା ଏକାଠି ଆସୁଛନ୍ତି କିଙ୍ଗ୍ ଖାନ୍‌ଙ୍କ ବିପକ୍ଷରେ। ପ୍ରଥମ ଥର ଏ ଦୁଇ ନାୟିକା ଶାହାରୁଖ୍‌ ଖାନ୍‌ଙ୍କ ବିପକ୍ଷରେ ୟଶ୍‌ ଚୋପ୍ରାଙ୍କ ଶେଷ ସିନେମା ‘ଜବତକ୍‌ ହେ ଜାନ୍‌’ରେ ଏକାଠି ନଜର ଆସିଥିଲେ।

ଏବେ ଆପଣମାନେ ଜାଣି ସାରିବେଣି ଯେ, ଏ ଦୁଇ ନାୟିକା ହେଉଛନ୍ତି କାଟ୍ରିନା କୈଫ୍‌ ଓ ଅନୁଷ୍କା ଶର୍ମା। ‘ଜବତକ୍‌ ହେ ଜାନ୍‌’ ପରେ ପୁଣି ଏ ଦୁହେଁ ଏକାଠି ଆସୁଛନ୍ତି ନୂଆ ସିନେମା ’ଜିରୋ’ରେ। ଆନନ୍ଦ ଏଲ ରାୟଙ୍କ ନିର୍ଦ୍ଦେଶିତ ‘ଜିରୋ’ରେ ଶାହାରୁଖ୍ ଖାନ୍, କାଟ୍ରିନା କୈଫ୍‌ ଓ ଅନୁଷ୍କା ଶର୍ମାଙ୍କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ଲାଗି ରହିଛି।

‘ଜିରୋ’ରେ କାଟ୍ରିନା କୈଫ୍‌ଙ୍କ ନାଆଁ କାଟ୍ରିନା ଥିବା ଶୁଣିବାକୁ ମିଳୁଛି। କାରଣ ଏହି ଫିଲ୍ମରେ କାଟ୍ରିନା ଜଣେ ଫିଲ୍ମ ଷ୍ଟାର୍ ଭୂମିକାରେ ଅଛନ୍ତି। ଫିଲ୍ମର କାହାଣୀ ଅନୁଯାୟୀ ଶାହାରୁଖ୍ ଜଣେ ଗେଡ଼ା ଲୋକ, ଯିଏକି କାଟ୍ରିନା କୈଫ୍‌ଙ୍କର ବଡ଼ ଦିୱାନା।

କିନ୍ତୁ ଅନୁଷ୍କା ଶର୍ମାଙ୍କର ଭୂମିକା ସମ୍ପର୍କରେ ବିଶେଷ କିଛି ଖୁଲାସା ହୋଇନାହିଁ। ଯାହା ଜଣାପଡ଼ୁଛି ଏଥିରେ ଅନୁଷ୍କାଙ୍କୁ ଅନେକ ସମୟରେ ହୁଇଲ୍‌ ଚେୟାରରେ ବସିଛନ୍ତି। ତେବେ ଅନୁଷ୍କା ଶର୍ମା କାହିଁକି ହୁଇଲ୍‌ ଚେୟାର୍‌ରେ ବସି ରହିଛନ୍ତି, ତା’ର ଖୁଲାସା ହେବ କେବଳ ‘ଜିରୋ’ ଫିଲ୍ମ ରିଲିଜ୍‌ ହେବା ପରେ। ତେବେ ଚର୍ଚ୍ଚା ହେଉଛି ଯେ, ‘ଜିରୋ’ରେ କାଟ୍ରିନା କୈଫ୍‌ଙ୍କ ଅପେକ୍ଷା ଅନୁଷ୍କା ଶର୍ମାଙ୍କର ଚରିତ୍ରଟି ଅଧିକ ଜୋରଦାର୍।

ହେଲେ ଆପଣ ଜାଣନ୍ତି କି, ‘ଜିରୋ’ରେ ଅନୁଷ୍କା ଶର୍ମାଙ୍କ କରିଥିବା ଭୂମିକାଟିକୁ ହାତେଇବା ଲାଗି କାଟ୍ରିନା କୈଫ୍ ଖୁବ୍ ପ୍ରୟାସ କରିଥିଲେ। ଶୁଣିବାକୁ ମିଳୁଛି ଯେ, ଏହି ରୋଲ୍‌ ଲାଗି କାଟ୍ରିନା କୁଆଡ଼େ ନିର୍ଦ୍ଦେଶକ ଆନନ୍ଦ ଏଲ୍ ରାୟଙ୍କୁ ବିନତି କରିଥିଲେ। ଯେତେବେଳେ ପ୍ରଥମେ କାଟ୍ରିନା ଏହି ଫିଲ୍ମର କାହାଣୀ ଶୁଣିଥିଲେ, ସେତେବେଳେ ସେ ନିର୍ଦ୍ଦେଶକଙ୍କୁ ପ୍ରଶ୍ନ କରିଥିଲେ ଏହି ଦୁଇ ନାୟିକା ଚରିତ୍ର ଭିତରୁ କେଉଁଟି ତାଙ୍କର।

ନିର୍ଦ୍ଦେଶକ ଆନନ୍ଦ ଏଲ ରାୟ କହିଥିଲେ, ଫିଲ୍ମରେ ଥିବା କାଟ୍ରିନା ଭୂମିକା ତାଙ୍କୁ କରିବାକୁ ପଡ଼ିବ। ଏ କଥା ଶୁଣି ଚମକି ପଡ଼ିଥିଲେ କାଟ୍ରିନା। କାରଣ କାହାଣୀ ଶୁଣିବା ବେଳକୁ କାଟ୍ରିନା ତାଙ୍କ ଚରିତ୍ର ବ୍ୟତୀତ ଅନ୍ୟ ଚରିତ୍ରର ପ୍ରେମରେ ପଡ଼ିଯାଇଥିଲେ। ଏଣୁ ସେ କହିଥିଲେ କାଟ୍ରିନା ଚରିତ୍ର କରିବାକୁ ଚାହାଁନ୍ତି ନାହିଁ।

ଏହାପରେ କାଟ୍ରିନା ନିର୍ଦ୍ଦେଶକଙ୍କୁ ଝୁଲାଇ ରଖିଥିଲେ। ଏଥିସହ ନିର୍ଦ୍ଦେଶକ ଅନ୍ୟ ଚରିତ୍ରଟି ଲାଗି ଅନୁଷ୍କା ଶର୍ମାଙ୍କୁ ଚୁକ୍ତିବଦ୍ଧ କରିଥିଲେ। ତା’ର କିଛି ଦିନ ପରେ ପୁଣି ନିର୍ଦ୍ଦେଶକ କାଟ୍ରିନାଙ୍କ ପାଖକୁ ଆପ୍ରୋଚ୍‌ କରିଲେ। ଏଥର ପୁଣି ସେହି ସମାନ କଥା ଦୋହରାଇଥିଲେ କାଟ୍ରିନା କୈଫ୍‌। କିନ୍ତୁ ନିର୍ଦ୍ଦେଶକ ନିଜର ଅକ୍ଷମତା ପ୍ରକାଶ କରିଥିଲେ। ପରନ୍ତୁ ଏକଥା ବି ବୁଝାଇଥିଲେ ଯେ ‘ଜିରୋ’ରେ କାଟ୍ରିନାଙ୍କ ରୋଲ୍‌ ବଡ଼।

ତଥାପି ଅମଙ୍ଗ ହେଲେ କାଟ୍ରିନା। ଏଥର ଆନନ୍ଦ ଏଲ ରାୟ ଏକଥା ଶାହାରୁଖ୍‌ ଖାନ୍‌ଙ୍କୁ ଜଣାଇଥିଲେ। ତା’ପରେ ଶାହାରୁଖ୍‌ ଖାନ୍ କାଟ୍ରିନା କୈଫ୍‌ଙ୍କୁ ବୁଝାଇଥିଲେ। ତଥାପି କାଟ୍ରିନା ମାନିନଥିଲେ। ସେତେବେଳକୁ ଫିଲ୍ମରେ ସଲମାନ୍ ଖାନ୍ ଗେଷ୍ଟ ରୋଲ୍‌ ପାଇଁ ରାଜି ହୋଇଥିଲେ। ଶାହାରୁଖ୍‌ ଶେଷ ଅସ୍ତ୍ର ଭାବେ ସଲମାନ୍‌ ଖାନ୍‌ଙ୍କର ସହାୟତା ନେଲେ। ସଲମାନ୍‌ କାଟ୍ରିନାଙ୍କୁ ସେହି ରୋଲ୍‌ କରିବା ଲାଗି ଅନୁରୋଧ କରିଲେ ଏବଂ ସଲମାନ୍‌ଙ୍କ କଥାକୁ ଏଡ଼ାଇ ନପାରି କାଟ୍ରିନା କୈଫ୍‌ ‘ହଁ’ ଭରିଲେ।

Comment