ଭାସ୍କର ପରିଚ୍ଛା

ଓଡ଼ିଆ ପାଠକଙ୍କୁ ସହଜ ଉପାୟରେ ଓ ସ୍ୱଳ୍ପ ଆର୍ଥିକ ବୋଝରେ ପୁସ୍ତକ ଯୋଗାଇ ଦେବାର ଏକ ଅଭିନବ ପ୍ରୟାସ ଆରମ୍ଭ କରିଥିବା ‘ବନଫୁଲ’ ପ୍ରକାଶନୀର ଏହା ଏକ ଭିନ୍ନ ପ୍ରକାରର ସଂକଳନ। ବହିର ଶୀର୍ଷକରୁ ଲାଗିବ ଏହା ଛୋଟ ପିଲାଙ୍କ ପାଇଁ ଲେଖା ହୋଇଥିବା ପୁସ୍ତକ। କିନ୍ତୁ ସେହି ଛୋଟ ପିଲାଙ୍କ କଥାକୁ ପ୍ରୌଢ଼ ଗଳ୍ପ ଆକାରରେ ପରିବେଷଣ କରିବା ଏକ ଚମତ୍କାର ପ୍ରଚେଷ୍ଟା।

ପ୍ରକାଶକ ପୁସ୍ତକର ପୃଷ୍ଠଭୂମିରେ କହିଛନ୍ତି, ‘ମଣିଷ ସହିତ ପଶୁପକ୍ଷୀର ସମ୍ପର୍କ ଅତି ନିବିଡ଼। ନିବିଡ଼ତାରୁ ସ୍ନେହ, ପ୍ରେମ ସୃଷ୍ଟି ହୋଇ ପ୍ରକୃତିର ଶୋଭମଣ୍ଡନ କରୁଥିବା ଏହି ମାନବେତର ପ୍ରାଣୀମାନଙ୍କର ଅସହାୟ ବୋଧ ପ୍ରତି ନିଷ୍ଠୁର ଆଚରଣର ଝଲକ’ ଏହି କାହାଣୀ ସଂଗ୍ରହ।

ଚଉଦଟି କାହାଣୀର ସମାହାର ଏହି ପୁସ୍ତକ। ଉଭୟ ଗୃହପାଳିତ ଓ ସ୍ୱଚ୍ଛନ୍ଦରେ ବିଚରଣ କରୁଥିବା ପଶୁପକ୍ଷୀ ଓ ସରୀସୃପଙ୍କୁ ନେଇ କାହାଣୀ ଆକାରରେ ଗଢ଼ି ତୋଳିବା ପଛରେ ଏହି ନିର୍ବାକ ଜୀବମାନଙ୍କ ପ୍ରତି ଥିବା ଲେଖକଙ୍କ ଦୁର୍ବଳତା ଓ ସମବେଦନା ସ୍ପଷ୍ଟ। ରତ୍ନାକର ନାୟକଙ୍କର ଇତିମଧ୍ୟରେ ବେଶ୍ କେତୋଟି ଉପନ୍ୟାସ ଓ ଗଳ୍ପ ମଧ୍ୟ ବନଫୁଲ ଦ୍ୱାରା ପ୍ରକାଶ ପାଇଛି ଯଥା: ଆରୋହଣ, ଛଅମାଣ ଛଅଗୁଣ୍ଠ, ପଳାଶଫୁଲ, ଜଣେ ରେବତୀକୁ ନେଇ ଓ ନଈ ମଣିଷ।

କାହାଣୀ ଲେଖିବା ରତ୍ନାକର ନାୟକଙ୍କ ଅଭ୍ୟାସ ତଥା ସନ୍ତର୍ପଣ ଓ ସମ୍ବେଦନତାର ସହ ସେ ଗଳ୍ପ ଲେଖନ୍ତି। ଉଦାହରଣ ସ୍ୱରୂପ ‘ମାଂସାଶୀମାନଙ୍କ ପାଇଁ’ ଗଳ୍ପର ଆରମ୍ଭ କେମିତି ହୋଇଛି ଦେଖନ୍ତୁ:

କେଉଁ ଗୋଟିଏ ଦିନ ବି ଛାଡ଼ିନଥିଲା, ଏପରିକି ଲକ୍ଷ୍ମୀଙ୍କ ବାର ଗୁରୁବାରରେ ବି…। ସକାଳୁ ସନ୍ଧ୍ୟା ଯାଏଁ ସେଇ ନିୟମିତ ଦୃଶ୍ୟ ଦେଖାଯାଉଥିଲା; ବଜାର ଶେଷ ଆଡ଼କୁ ସଂସ୍କୃତ ଟୋଲ ପାଖ ଗଳିରେ – ଚାରି ଛଅଟା ତାଳବରଡ଼ା ଟେକା ତାଟି ନିକଟରେ ବେଶ୍ ଭିଡ଼ ଜମୁଥିଲା। ଛେଳି କଟା ନ ହେଉଣୁ ଅଶାୟୀମାନଙ୍କ ଜିଭରେ ଧୀରେ ଧୀରେ ଲାଳ ଜକେଇ ଆସୁଥିଲା।’

‘ଗୋଟେ ବିଲେଇକୁ ନେଇ, ବାର୍ଡ଼ ଫ୍ଲୁ, ଶୁକପକ୍ଷୀ, ପଦ୍ମତୋଳା, ରୋମନ୍ଥନ ଆଦି ଗଳ୍ପମାନଙ୍କରେ ବି ସମାନ ପ୍ରକାର ବେଦନା  ଲକ୍ଷ୍ୟ କରାଯାଏ। ସଂଗ୍ରହ ଭିତରୁ ‘ରୋମନ୍ଥନ’ ଗଳ୍ପଟି ପଢ଼ିବା ପାଇଁ ଭଲ ଲାଗିବ। କିରାଣୀ ଚାକିରୀ କରିଥିବା ହାଡ଼ିବନ୍ଧୁ ଓ  ସେ ପାଳିଥିବା ‘ନାଲି’ ହଡ଼ାବଳଦର ଜୀବନ ଏକ ସମାନ୍ତରାଳ ରେଖାରେ ଗତି କରିଛି। ତେବେ ହାଡ଼ିବନ୍ଧୁଙ୍କ କ୍ଷୋଭ ସୀମା ଟପିଯାଇଛି ଯେତେବେଳେ ଟ୍ରକଟିଏ ଆସି ଘର ମୁହଁରେ ଛିଡ଼ା ହୋଇଛି ଓ ଆଗରୁ ହାଜିରା ପକାଇ ସାରିଥିବା ତିନୋଟି ହଡାବଳଦ ସହ ‘ନାଲି’ ବି ଯୋଡ଼ି ହୋଇଯାଇଛି।

ଯେଉଁମାନେ ପଶୁପକ୍ଷୀଙ୍କୁ ଭଲ ପାଆନ୍ତି ସେମାନେ ଏହି କାହାଣୀ ସଂଗ୍ରହକୁ ନିହାତି ପଢ଼ିବା ଦରକାର। ପରିବେଶ ସୁରକ୍ଷା ଓ ଜୀବେଦୟା  ଆଦି ନେଇ ଯାବତୀୟ ଆଲୋଚନା ଓ ପର୍ଯ୍ୟାଲୋଚନା ଭିତରେ ‘ପଶୁପକ୍ଷୀର କାହାଣୀ’ ଏକ ମହତ  ସଂଯୋଜନା।

‘ପଶୁପକ୍ଷୀର କାହାଣୀ’
ଲେଖକ : ରତ୍ନାକର ନାୟକ
ପ୍ରକାଶକ : ବନଫୁଲ
ରାଜନଗର, କେନ୍ଦ୍ରାପଡ଼ା

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭ୍‌ର ପରାମର୍ଶଦାତା ସମ୍ପାଦକ)

Comment