ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣି ଏକ ବିବାଦ ଭିତରକୁ ଟାଣି ହୋଇ ଯାଇଛନ୍ତି କ୍ରିକେଟରରୁ ନେତା ବନିଥିବା କଂଗ୍ରେସ ମନ୍ତ୍ରୀ ନବଜୋତ ସିଂ ସିଦ୍ଧୁ। ଶିଖମାନଙ୍କ ଲାଗି ସ୍ୱତନ୍ତ୍ର ଖଲିସ୍ତାନ ରାଷ୍ଟ୍ର ଦାବି କରୁଥିବା ନେତା ଗୋପାଲ୍ ସିଂ ଚାଓ୍ଵଲା ସିଦ୍ଧୁଙ୍କ ସହ ତାଙ୍କର ଏକ ଫଟୋ ଫେସବୁକରେ ପୋଷ୍ଟ କରିଛନ୍ତି।

ଗୋପାଲ ଚାଓ୍ଵାଲଙ୍କ ସହିତ ତାଙ୍କର ଫଟୋ ସାମ୍ନାକୁ ଆସିବା ପରେ ଦେଶରେ ବିବାଦ ଆରମ୍ଭ ହୋଇଛି। ବିରୋଧୀ ସିଦ୍ଧୁଙ୍କ ଇସ୍ତଫା ଦାବି କରିଛନ୍ତି।

ଅନେକ ସିଦ୍ଧୁଙ୍କୁ ଜଣେ ଆତଙ୍କବାଦୀ ସହ ଫଟୋ ଉଠାଇଥିବା ଲେଖି ସମାଲୋଚନା କରିଛନ୍ତି। ଗତ ସପ୍ତାହରେ ଅମ୍ରିତସରର ନିରଙ୍କରୀ ଭବନରେ ହୋଇଥିବା ଗ୍ରେନେଡ୍ ଆକ୍ରମଣ ପଛରେ ଚାଓ୍ଵଲାଙ୍କ ହାତ ଥିବା ସନ୍ଦେହ କରାଯାଇଛି।

ବର୍ତ୍ତମାନ ଗୋପାଲ୍ ସିଂ ଚାଓ୍ଵାଲା ପାକିସ୍ତାନ୍ ଶିଖ ଗୁରୁଦ୍ୱାରା ପ୍ରବନ୍ଧକ କମିଟିର ମହାସଚିବ ଅଛନ୍ତି। କର୍ତ୍ତାରପୁର କରିଡର ଶିଳାନ୍ୟାସ ସମାରୋହରେ ପାକ୍ ସେନା ମୁଖ୍ୟ କମର ଜାଭେଦ୍ ବଜଓ୍ଵା ଚାଓ୍ଵଲାଙ୍କୁ ଶୁଭେଚ୍ଛା ଜଣାଉଥିବା ଦେଖିବାକୁ ମିଳିଥିଲା।

ପୂର୍ବରୁ ଚାଓ୍ଵଲା ଲାହୋରଠାରେ ଭାରତୀୟ କୂଟନୀତିଜ୍ଞମାନଙ୍କୁ ଗୁରୁଦ୍ୱାରକୁ ପ୍ରବେଶ କରିବାକୁ ନ ଦେଇ ବିବାଦ ଘେରକୁ ଆସିଥିଲେ।

ଅନ୍ୟପଟେ ଭାରତ ଫେରିବା ପରେ ସିଦ୍ଧୁ ସ୍ପଷ୍ଟ କରିଥିଲେ ଯେ ସେ ଗୋପାଲ ଚାଓ୍ଵାଲଙ୍କୁ ଜାଣନ୍ତି ନାହିଁ। ସିଦ୍ଧୁ କହିଛନ୍ତି, “ପାକିସ୍ତାନରେ ମୋ ସହିତ ପାଖାପାଖି ୫୦୦୦ ରୁ ୧୦,୦୦୦ ଫଟୋ ଉଠାଯାଇଛି। ମତେ ଜଣା ନାହିଁ ଯେ ଗୋପାଲ ଚାଓ୍ଵଲା କିଏ?”

ଚାଓ୍ଵଲା ହେଉଛନ୍ତି ମୁମ୍ବାଇ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ହାଫିଜ ସଇଦର ନିକଟତର। ହାଫିଜ ସହିତ ଗୋପାଲ ଚାଓ୍ଵାଲଙ୍କ ଫଟୋ ମଧ୍ୟ ସାମ୍ନାକୁ ଆସି ସାରିଛି। ସୂଚନାଯୋଗ୍ୟ ବୁଧବାର କରତାପୁର କାର୍ଯ୍ୟକ୍ରମରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସିଦ୍ଧୁଙ୍କ ଖୁବ୍ ପ୍ରଶଂସା କରିଥିଲେ।

Comment