ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପିରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର। ତାଙ୍କ ଇସ୍ତଫାକୁ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ବାଣ ଫୁଟାଇ ସ୍ୱାଗତ କରିଛି। ବିଜୟ ଇସ୍ତଫା ଦେବା ପରେ ଦଳ ବନ୍ଧନ ମୁକ୍ତ ହେଲା ବୋଲି ଜିଲ୍ଲା ବିଜେପି ସଭାପତି ଦୁର୍ଯ୍ୟୋଧନ ସାହୁ କହିଛନ୍ତି।

ଦୁର୍ଯ୍ୟୋଧନ ସାହୁ କହିଛନ୍ତି, “ଦଳରେ ବିଶୃଙ୍ଖଳିତ ଆଚରଣ କରି ଆସୁଥିବା ବିଜୟ ଶେଷରେ କୌଣସି ଉପାୟ ନପାଇ ବାଧ୍ୟ ହୋଇ ଦଳ ଛାଡ଼ଥିବା ସେ କହିଛନ୍ତି। ବିଜୟ ଦଳରୁ ଇସ୍ତଫା ଦେଇଥିବାରୁ ଆସନ୍ତା ନିର୍ବାଚନରେ କେନ୍ଦ୍ରାପଡ଼ା ଜିଲ୍ଲାରେ ବିଜେପି ସମସ୍ତ ୫ଟି ବିଧାନସଭା ନିର୍ବାଚନମଣ୍ଡଳୀ ଓ ଲୋକସଭା ଆସନରୁ ବିପୁଳ ବିଜୟ ହାସଲ କରିବ।”

କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି କାର୍ଯ୍ୟାଳୟଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ବିଜୟଙ୍କ ଦଳ ବିରୋଧି କାର୍ଯ୍ୟକ୍ରମକୁ ନିନ୍ଦା କରିଛି।

ଦୁର୍ଯ୍ୟୋଧନ କହିଛନ୍ତି, “ଦଳ ମଧ୍ୟରେ ରହି ବିଜୟ ବାରମ୍ବାର ବିଶୃଙ୍ଖଳିତ ଆଚରଣ କରି ଆସୁଥିଲେ। ଦଳର ରାଷ୍ଟ୍ରୀୟ ସଭାପତିଙ୍କଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଦୀର୍ଘ ଦିନ ଧରି କଟୁ ମନ୍ତବ୍ୟ ଦେଇ ଆସୁଥିଲେ ବିଜୟ। ଦଳରେ ରହି ଦଳ ବିରୋଧରେ ବାରମ୍ବାର ଷଡ଼ଯନ୍ତ୍ର କରିଆସୁଥିଲେ ବିଜୟ। ଦଳୀୟ କର୍ମକର୍ତ୍ତାମାନେ ଏହି ଅପମାନକୁ ସହି ସହି ଅତିଷ୍ଠ ହୋଇପଡ଼ିଥିଲେ। ଏଣୁ ତାଙ୍କ ବିଶୃଙ୍ଖଳିତ ଆଚରଣର ସହିବା ଶକ୍ତିର ଅନ୍ତ ଘଟିଲା।”

ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତ୍ରୀ ଗୀତାଞ୍ଜଳୀ ସେଠୀ, ବିଜେପି ନେତା ବିଜୟ ନାୟକ, ହେମନ୍ତ ପରିଡ଼ା, ଭୁବନମୋହନ ଜେନା, ଜ୍ଞାନଦେବ ବେହୁରା, ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ା, ଭୁବନ ମୋହନ ସିଂ, ଜିଲ୍ଲା ମହିଳା ବିଜେପି ସଭାନେତ୍ରୀ କାନନବାଳା ଦାସ, ସୁନାକର ବେହେରା, ଉର୍ମିଳା ସେଠୀ, ସତ୍ୟ ପ୍ରସାଦ ଜେନା, ଶଶାଙ୍କ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

Comment