ଓଡ଼ିଶାଲାଇଭ୍ ବ୍ୟୁରୋ

ରାମଲୀଳା ମୈଦାନରୁ ସଂସଦ ମୁହାଁ ହେଲେ ଲକ୍ଷାଧିକ କୃଷକ, ସ୍ଵତନ୍ତ୍ର ଅଧିବେଶନ ପାଇଁ ଦାବି।

ଋଣଛାଡ଼, କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ସମେତ ବିଭିନ୍ନ ଦାବିରେ ଶୁକ୍ରବାର ସଂସଦ ଭବନ ଘେରାଉ କରିବେ କୃଷକ। ହଜାର ହଜାର କୃଷକ ସଂସଦ ଅଭିମୁଖେ ଦିଲ୍ଲୀସ୍ଥିତ ରାମଲୀଳା ମୈଦାନରୁ ପଦଯାତ୍ରା ଆରମ୍ଭ କରିଛନ୍ତି।

କେନ୍ଦ୍ର ସରକାର ସଂସଦରେ ଏକ ସ୍ଵତନ୍ତ୍ର ଅଧିବେଶନ ଡକାଇ ସେଥିରେ କୃଷକଙ୍କ ଋଣଛାଡ଼ ଓ ଏମ୍ଏସ୍‌ପି (ମିନିମମ୍ ସପୋର୍ଟ ପ୍ରାଇସ୍‌) ସହ ଜଡ଼ିତ ଏକ ବିଲ୍ ପାରିତ କରିବାକୁ କୃଷକମାନେ ଦାବି କରିଛନ୍ତି।

ଗୁରୁବାର ଦେଶବ୍ୟାପି ବିଭିନ୍ନ ସ୍ଥାନରୁ କୃଷକମାନେ ଏହି ପଦଯାତ୍ରାରେ ଯୋଗଦେବାକୁ ରାମଲୀଳା ମୈଦାନରେ ଏକତ୍ରିତ ହୋଇଥିଲେ। ଓଡ଼ିଶା, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶରୁ ସଂଖ୍ୟାଧିକ କୃଷକ ଟ୍ରେନ ଯୋଗେ ଦିଲ୍ଲୀରେ ପହଞ୍ଚିଥିଲେ।

ଆନ୍ଦୋଳନରେ ସାମିଲ ହୋଇଥିବା ଚାଷୀମାନେ ‘ଅଯୋଧ୍ୟା ନୁହେଁ, ଋଣଛାଡ଼ ଦରକାର’  ନାରା ଦେଇ ସଂସଦ ଅଭିମୁଖେ ପଦଯାତ୍ରା କରିଛନ୍ତି।

କୃଷକମାନଙ୍କର ଏହି ବିଶାଳ ପଦଯାତ୍ରାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି। ରାଜଧାନୀ ଦିଲ୍ଲୀରେ ଯେପରି ଯାତାୟତ ବାଧାପ୍ରାପ୍ତ ନହୁଏ ସେନେଇ ୩ ହଜାର ୫ଶହ ପୋଲିସ କର୍ମୀ ମୁତୟନ ହୋଇଛନ୍ତି।

Comment